Unknown

 

 

 

 

 

 

 

 

 

 

 

ଅଚିହ୍ନା ନାୟିକା

ଶ୍ରୀ ଅଚ୍ୟୁତାନନ୍ଦ ନାୟକ

 

ଉତ୍ସର୍ଗ

 

ଭଦ୍ରକ

ତା ୧୦-୨-୭୨

 

ନୂଆବୋଉ,

 

ଏ ଘରକୁ ନୂଆହୋଇ ଆସିବାର ପ୍ରଥମ ବର୍ଷରେ ତୁମର ଅବସର ସମୟକୁ ସରସ ସୁନ୍ଦର କରିବା ପାଇଁ ଏ ଉପନ୍ୟାସ ଖଣ୍ଡିକ ତୁମ ହାତରେ ଦେଲି ।

 

। ଇତି ।

ତୁମର ସ୍ନେହର

ନଟବାବୁ

★★★

 

ଏହି ଲେଖକଙ୍କର ଅନ୍ୟାନ୍ୟ ସୃଷ୍ଟି

 

୧.

କ୍ଷୁଦ୍ର ଗଳ୍ପ ସଂକଳନ

ଉଜାଣି ଢେଉ

୨.

ରହସ୍ୟ ଉପନ୍ୟାସ

ନୀଳ ନୟନ (ନୂତନ ସଂସ୍କରଣ)

୩.

ଛନ୍ଦକାବ୍ୟ

ମୁଦାବତୀ ପରିଣୟ

୪.

ଛନ୍ଦକାବ୍ୟ

ଶାପ ମୋଚନ

୫.

କବିତା ସଂକଳନ

ଜୀବନ ତରଙ୍ଗ

୬.

ଗଳ୍ପ ସଂକଳନ

ପଞ୍ଚରେଖା

★★★

 

–୧–

 

ମଳୟ ବାବୁଙ୍କ ନିଦଟା ହଠାତ୍ ଭାଙ୍ଗିଗଲା । ସତେ ଯେମିତି କିଏ ତାଙ୍କୁ ବାହାରେ ଅହରହ ଡାକ ଛାଡ଼ୁଛି ବୋଲି ମନେହେଲା । ସତ୍ୟତା ଉପଲବ୍‍ଧି କରିବାକୁ କାନେଇଲା ସେ । ସତେତ ! ବାହାରେ ବୋଧହୁଏ ଗୋଟାଏ ସାନ୍ତାଳ ରିକ୍‍ସାବାଲା ଡାକ ପରେ ଡାକ ଡାକି ଚାଲିଛି । ଆଖି ମଳି ମଳି ବିରକ୍ତରେ ବିଛଣା ଛାଡ଼ିଲେ ମଳୟବାବୁ ।

 

କାନ୍ଥ ଘଣ୍ଟାକୁ ଚାହିଁଲେ–ଦୁଇଟା ବାଜିବାକୁ ମାତ୍ର ଦଶମିନିଟ୍ ବାକି । ଭିତରଖଞ୍ଜା ପାର ହୋଇ ସଦର ଦରଜା ଖୋଲିଲେ ମଳୟବାବୁ । ଦୁଆର ମୁହଁରେ ସତକୁ ସତ ଜଣେ ବୁଢ଼ା ସାନ୍ତାଳ ରିକ୍‍ସାବାଲା ।

 

“କ’ଣ ଦରକାର ?”

 

ମଳୟବାବୁ ଟିକିଏ ବିରକ୍ତି ପ୍ରକାଶ କରି ପଚାରିଲେ ।

 

“ଆଜ୍ଞା ଏଣେ ରେକ୍‍ସାରେ ଡାକୁଛନ୍ତି” ।

 

ମଳୟବାବୁ ଚାହିଁଲେ ବାହାରକୁ । ସେ ଯାହା ଦେଖିଲେ ସେଥିରେ ଆଶ୍ଚର୍ଯ୍ୟ ନହୋଇ ରହି ପାରିଲେ ନାହିଁ । ରିକ୍‍ସାରେ ଜଣେ ତରୁଣୀ । ତାଙ୍କୁ ତରୁଣୀ ଅପେକ୍ଷା ଯୁବତୀ କହିଲେ ବରଂ ଅଧିକ ସମୀଚୀନ ହେବ ବୋଲି ମନେକଲେ ମଳୟବାବୁ । ବୟସ କୋଡ଼ିଏ ବାଇଶିରୁ ବେଶି ହେବନାହିଁ । ଦେହର ଗଠନ ବେଶ ସୁନ୍ଦର । କିନ୍ତୁ ରୁଗ୍‍ଣ ସ୍ୱାସ୍ଥ୍ୟ–ଅଯତ୍ନ କେଶବାସ । ବୋଧ ହୁଏ ଯୁବତୀ ବିଶେଷ ଅସୁସ୍ଥ ।

 

“ଆଜ୍ଞା ତଳକୁ ଆସନ୍ତୁ । ଦେଇ ଡାକୁଛନ୍ତି”

 

ରିକସାବାଲାର ଡାକରେ ମଳୟବାବୁଙ୍କ ଭାବନା ରାଶି ଚ୍ଛିନ୍ନହେଲା । ଯତ୍ନଚାଳିତ ପରି ପାଦ ଦୁଇଟି ତାଙ୍କର ପାହାଚ ପରେ ପାହାଚ ଅତିକ୍ରମ କରି ରିକ୍‍ସା ପାଖରେ ଅଟକିଲା । “ନମସ୍କାର” ହାତଟେକି ନମସ୍କାର କଲେ ଯୁବତୀ । ବୀଣା କିଣା କଣ୍ଠର ଝଙ୍କାର ଅଥଚ ଧୀର, ବୋଧହୁଏ ଦେହର ଅସୁସ୍ଥତା ଯୋଗୁ ।

 

ଏତେ ରାତିରେ ଏପରିଭାବେ ଆସିବାର କାରଣ ନିଶ୍ଚୟ କିଛି ଗୁରୁତର ବୋଲି ଧାରଣା କରୁଥିଲେ ମଳୟବାବୁ । ତଥାପି ପ୍ରଶ୍ନ କଲେ–

 

“ଆପଣ କ’ଣ ମୋତେ ଡାକୁଥିଲେ” ?

 

“ହଁ ଆପଣଙ୍କୁ, ଆପଣ ବୋଧହୁଏ ମଳୟକୁମାର ନାୟକ ପ୍ରାଇଭେଟ ଡିଟେକ୍ଟିଭ୍ ?” ସନ୍ଦେହ ମୋଚନ ଲାଗି ବୋଧହୁଏ ପଚାରୁଥିଲେ ଯୁବତୀ ।

 

“ହଁ ଆପଣଙ୍କର ଅନୁମାନ ଯଥାର୍ଥ । ମୁଁ ଆପଣଙ୍କୁ କି ପ୍ରକାର ସାହାଯ୍ୟ କରିପାରେ ? ଆପଣ ମୋଠାରୁ କ’ଣ ଚାହାଁନ୍ତି ?” ଅପେକ୍ଷାକୃତ ଗମ୍ଭୀର ହୋଇ ପ୍ରଶ୍ନ କରୁଥିଲେ ମଳୟବାବୁ ।

 

“ଆପଣଙ୍କ ଠାରୁ ବହୁତ କିଛି ଆଶାକରି ମୁଁ ଧାଇଁ ଆସିଛି । ମୋର ଏ ଅବସ୍ଥାରୁ ଜାଣି ପାରୁ ନାହାନ୍ତି । ମୁଁ ଖୁବ୍ ବିପଦରେ ପଡ଼ି ଯାଇଛି–ରକ୍ଷା ନକଲେ ମୁଁ ସର୍ବନାଶ ହୋଇଯିବି । ମୋତେ କଥା ଦିଅନ୍ତୁ ନିଶ୍ଚୟ ସାହାଯ୍ୟ କରିବେ ।“ ଖୁବ୍ ବ୍ୟସ୍ତ ଏବଂ ବିବ୍ରତ ହୋଇ ପଡ଼ୁଥିଲେ ଆଗନ୍ତୁକା । କଥା କହିସାରି ଧଇଁ ସଇଁ ହୋଇ ଯାଉଥିଲେ ସେ । “ଆଃ ଆପଣ ଇମିତି ବ୍ୟସ୍ତ ହେଲେ ଚଳିବ ? କୁହନ୍ତୁ କ’ଣ ହୋଇଛି, ମୁଁ କଥା ଦେଉଛି ନିଶ୍ଚୟ ଆପଣଙ୍କୁ ସାହାଯ୍ୟ କରିବି । କୁହନ୍ତୁ !” ସାନ୍ତ୍ଵନା ଏବଂ ସାହସ ଦେଉଥିଲେ ଆଗନ୍ତୁକାଙ୍କୁ ମଳୟବାବୁ ।

 

“ମୋତେ ସେମାନେ ଜୋର କରି ବିବାହ କରିବାକୁ ଚାହାଁନ୍ତି ।“ ବହୁ କଷ୍ଟରେ କଥା କହୁଥିଲେ ଯୁବତୀ ।

 

“କେଉଁମାନେ ଆପଣଙ୍କୁ ଜୋର କରି ବିବାହ କରିବାକୁ ଚାହାନ୍ତି ? ସେମାନଙ୍କର ପରିଚୟ କ’ଣ ? ସେମାନଙ୍କ ସହିତ ଆପଣଙ୍କର ସଂପର୍କ କ’ଣ ? ଆପଣ...

 

‘‘ଆଃ ଆସ୍ତେ ଆସ୍ତେ ଗୋଟିଏ ଗୋଟିଏ ପଚାରନ୍ତୁ । ଏତେଗୁଡ଼ାଏ ପ୍ରଶ୍ନର ଉତ୍ତର ମୁଁ କ’ଣ ଏକାବେଳେ ଦେଇ ପାରିବି ?’’ କଥା କହିଲା ବେଳକୁ ଭାରିକଷ୍ଟ ହେଉଛି । ଧଇଁ ସଇଁ ହୋଇ ପଡ଼ିଲେ ଯୁବତୀ । ଟିକିଏ ଦମ୍ ନେଇ ପୁଣି କହିଲେ ହେଉ ପଚାରନ୍ତୁ କ’ଣ ପଚାରୁଥିଲେ–

 

“ଆଚ୍ଛା ହେଲା ଆପଣ ଧିରେ ଧିରେ କୁହନ୍ତୁ । ଗୋଟିଏ ଗୋଟିଏ ପ୍ରଶ୍ନର ଉତ୍ତର ଦିଅନ୍ତୁ-। କହିଲେ ପ୍ରଥମେ ଆପଣଙ୍କୁ କେଉଁମାନେ ଜୋର କରି ବିବାହ କରିବାକୁ ଚାହାଁନ୍ତି ?”

 

“ସେମାନଙ୍କୁ ଆପଣ ଜାଣିନାହାଁନ୍ତି । ସେମାନେ ମଣିଷ ତ ନୁହନ୍ତି ଗୋଟିଏ ଗୋଟିଏ ହିଂସ୍ର ପଶୁ । ମୋତେ ଜୋର କରି ବିବାହ କରିବାକୁ ଚାହାଁନ୍ତି କିନ୍ତୁ ମୁଁ ଅମିତାଭଙ୍କର ବାଗଦତ୍ତା । ମୁଁ ତାଙ୍କୁ ଭଲ ପାଏ । ତାଙ୍କୁ ଭୁଲି ମୁଁ ଦଣ୍ଡେ ବଞ୍ଚିବା ଅସମ୍ଭବ । ନା–ନା–ମୁଁ ତାଙ୍କୁ ଭୁଲି ପାରିବି ନି–ଭୁଲି ପାରିବି ନି ।“ ଖୁବ୍ ଉତ୍ତେଜିତା ହୋଇ ପଡ଼ିଲେ ଯୁବତୀ ଏବଂ ହଠାତ୍ ରିକ୍‍ସାରେ ଗୋଟାଏ କରକୁ ଢଳି ପଡ଼ିଲେ ।

 

“ଆରେ କ’ଣ ହେଲା ଆପଣଙ୍କର !” ମଳୟବାବୁ ବ୍ୟସ୍ତ ହୋଇ ଉଠିଲେ । ଯୁବତୀ କିନ୍ତୁ ନୀରବ । ଦେହରେ ହାତ ଦେଇ ହଲାଇଲେ–ଯୁବତୀ ଚେତା ହରାଇ ବସିଛନ୍ତି । ଏପରି ଭୟଙ୍କର ଅସୁସ୍ଥ ଶରୀରରେ ଉତ୍ତେଜିତ ହୋଇ କହିବା ଦ୍ଵାରା ଚେତନାଶକ୍ତି ଲିପ୍ତ ହୋଇଛି ବୋଲି ମନେକଲେ ସେ । ଟିକିଏ ଚିନ୍ତା କରି ନିଜର କର୍ତ୍ତବ୍ୟ ସ୍ଥିର କରିନେଲେ । ସେତେବେଳକୁ ସାନ୍ତାଳ ବୁଢ଼ାଟି ଖାଲି ଭୟରେ ବଲବଲ୍ କରି ଚାହିଁଥାଏ ।

 

ଆଚ୍ଛା, ହେ ବୁଢ଼ା ତୁ ସିଟି ହସ୍‍ପିଟାଲ ଦେଖିଛୁ ତ ?

 

“ଆଜ୍ଞା ହଜୁର” ମୁଣ୍ଡହଲାଇ ସମ୍ମତି ଜଣାଇଲା ରିକ୍‍ସାବାଲା ।

 

ତୁ’ ଏ ଦେଈଙ୍କୁ ନେଇ ଶୀଘ୍ର ସିଟି ହସ୍‍ପିଟାଲ ଚାଲି ଯା । ଡାକ୍ତର ସମରବାବୁଙ୍କୁ ମୁଁ ଫୋନ କରି କହି ଦେଉଛି ସେ ଗୋଟାଏ ବେଡ୍‍ର ବ୍ୟବସ୍ଥା କରିଦେବେ । ତୁ’ ସେଠି ମୁଁ ଯିବା ପର୍ଯ୍ୟନ୍ତ ଥିବୁ ।

 

“ଆଜ୍ଞା କୋଉ ଡାକ୍ତର ବାବୁ ମୁଁ ଚିହ୍ନି ନାହିଁ–କ’ଣ କିମିତି କହିବି ?” ରିକ୍‍ସାବାଲା ହୁଣ୍ଡାଙ୍କ ପରି ବଲ ବଲ ହେଇ ଚାହୁଁଥାଏ ।

 

“ଆରେ ତୁ ସିଟି ହସପିଟାଲ ଦେଖିଛୁ ତ ?”

 

“ଆଜ୍ଞା”

 

ହଁ ତୁ ସେଇଠିକି ଯିବୁ । ରାତିରେ ଯେଉଁ ଡାକ୍ତର ବାବୁ ଥିବେ, ତାଙ୍କ ନାଁ ହେଉଛି ସମରବାବୁ । ତୁ’ ତାଙ୍କୁ ଏ ଦେଈଙ୍କ କଥା କହିବୁ । ମୁଁ ଫୋନରେ ତାଙ୍କୁ କହି ଦେବି ଯେ ସେ ତୋ କଥା ଶୁଣି ହସପିଟାଲରେ ଦେଈଙ୍କ ସୁବ୍ୟବସ୍ଥା କରିବେ । ବୁଝିଲୁ ।

 

“ଆଜ୍ଞା”

 

ହଁ, ମୁଁ ଯିବାପର୍ଯ୍ୟନ୍ତ ତୁ ସେହି ଡାକ୍ତରଖାନା ପାଖରେ ଥିବୁ । ଜାଣିଲୁ ।

 

“ଆଜ୍ଞା”

 

“ଯା–ଶୀଘ୍ର ଚାଲିଯିବୁ ।“ ମଳୟବାବୁ ରିକ୍‍ସାକୁ ବିଦାକରି ନିଜର ଶୟନ କକ୍ଷକୁ ଫେରି ଆସି ଫୋନ୍‍ର ଡାଏଲ ଘୁରାଇଲେ–

 

ହାଲୋ ଏକ୍‍ସ୍‍ଚେଞ୍ଜ ।

 

ଟୁ, ୱାନ, ଥ୍ରୀ, ଫାଇଭ ପ୍ଳିଜ୍

 

ହାଲୋ... ଆଇ ଆମ୍ ମଳୟ ସ୍ପିକିଂ... ନୋ ନଟ୍ ଗୁଡ୍‍ନାଇଟ୍‍ ଡକ୍ଟର ସମର ସେ ଗୁଡ୍ ମଣିଙ୍ଗ୍ । ଇଟ ଇଜ୍ ଅଲରେଡ଼ି ଟୁ ଥାର୍ଟି ।

 

(No not good night Doctor Samar, Say good morning. It is already two thirty)…

 

“ଗୁଡ୍ ମଣିଂ ଡକ୍ଟର ସମର” ହସି ଉଠିଲେ ମଳୟ ବାବୁ । ହଁ କ’ଣ କହୁଥିଲି କି ମୁଁ ଗୋଟାଏ ସାନ୍ତାଳ ରିକ୍‍ସାବାଲା ସଙ୍ଗରେ ଜଣେ ଯୁବତୀଙ୍କୁ ପଠାଇଛି । ସେ ବିଶେଷ ଅସୁସ୍ଥା । ତାଙ୍କର ଚେତା ନାହିଁ । ଟିକିଏ ପ୍ଲିଜ୍ ଗୋଟାଏ ବେଡ ଦେଇ ନିଜେ ଯତ୍ନ ନେଇ ଟ୍ରିଟମେଣ୍ଟ କରିବେ-। ତାଙ୍କର ଚେତା ଆସିବା ମୋ ପାଇଁ ବିଶେଷ ଜରୁରୀ ।

 

ବହୁତ ଧନ୍ୟବାଦ । ରହିଲି ।

 

“ଆଚ୍ଛା ବାୟ ବାୟ” । ଫୋନ୍ ରଖି କିଛି ସମୟ କ’ଣ ଚିନ୍ତା କଲେ ମଳୟ ବାବୁ । ରତନାକୁ ଉଠାଇବା ଉଚିତ୍ ହେବନି ବୋଲି ମନେ କଲେ ସେ । ବିଚରା ଖଟି ଖଟି ବହୁତ ରାତିରେ ଶୋଇଛି, ନିଜେ ଷ୍ଟୋଭ୍ ଲଗାଇ କଫି କପେ ତିଆରି କରି ପିଇ ନେଲେ । ତା’ପରେ ସିଟି ହସ୍‍ପିଟାଲ ଆଡ଼େ ଯିବା ପାଇଁ ପୋଷାକ ପିନ୍ଧିଲେ ।

 

ପେଣ୍ଟ ସାର୍ଟ ପିନ୍ଧିସାରି କୋର୍ଟଟା ପିନ୍ଧୁଛନ୍ତି–ଅଦିନ ମେଘଟା କୁଆଡ଼ୁ ଥିଲା ଗଜ୍ ଗଜ୍ କରି ଛେଚିବାକୁ ଆରମ୍ଭ କଲା । ବର୍ଷାକୁ ଦେଖି ପ୍ରମାଦ ଗଣିଲେ ମଳୟ ବାବୁ । ରିକ୍‍ସାବାଲା ବୋଧହୁଏ ଅଧା ରାସ୍ତାରୁ ଅଧିକ ଚାଲି ଯାଇଥିବ କିନ୍ତୁ ହସପିଟାଲରେ ପହଞ୍ଚି ପାରି ନଥିବ । ସେମାନଙ୍କୁ ପୁରା ଭିଜି ଭିଜି ଯିବାକୁ ପଡ଼ିବ । ରୋଗିଣୀଟା ବର୍ଷା ମାଡ଼ ଖାଇ ତା’ର ଅବସ୍ଥା କ’ଣ ହେବ କେଜାଣି” ଚିନ୍ତା କରୁଥିଲେ ମଳୟ ବାବୁ ।

 

ବର୍ଷା କମିବାକୁ ଅପେକ୍ଷା କରି ବସି ରହିଲେ ସେ । ୧୦ ମିନିଟ୍, ୧୫ ମିନିଟ୍, ଅଧଘଣ୍ଟେ, ଘଣ୍ଟେ ଗଲା ତଥାପି ବର୍ଷାର ବିରାମ ନାହିଁ ବରଂ ଅଧିକ ବିଜୁଳି ଘଡ଼ଘଡ଼ି ସହିତ ବୃଷ୍ଟିପାତ ଅବିରାମ ଗତିରେ ଚାଲିବାକୁ ଲାଗିଲା । ବ୍ୟସ୍ତ ହୋଇ ପଡ଼ିଲେ ମଳୟ ବାବୁ ! ବିଚାରୀର ବ୍ୟବସ୍ଥା କ’ଣ ହେଲା ? ରିକ୍‍ସାବାଲାଟା ଡାକ୍ତରଖାନାରେ ଭିଜି ବୁଡ଼ି ତାଙ୍କୁ ଅପେକ୍ଷା କରିଥିବ ? ଏଇମିତି କେତେ କ’ଣ ଚିନ୍ତା କରି ଯାଉଥିଲେ ସେ ।

 

ସବୁ କଥା ଜାଣିବା ପାଇଁ ପୁଣି ଥରେ ଫୋନ୍ ଉଠାଇଲେ ମଳୟ ବାବୁ ।

 

ହେଲୋ ଏକ୍ସଚେଞ୍ଜ !

 

ଟୁ ୱାନ୍ ଥ୍ରୀ ଫାଇଭ୍ ପ୍ଲିଜ୍ !

 

ହେଲୋ–ଆଇ ଆମ୍ ମଳୟ ସ୍ପିକିଂ ।

 

ମୁଁ ଡକ୍ଟର ସମରଙ୍କୁ ଖୋଜୁଛି । ହସ୍‍ପିଟାଲରେ ସେ ଅଛନ୍ତି ତ ?

 

ପ୍ଲିଜ୍ ଗିଭ୍ ହିମ୍ ଦି ଫୋନ୍...

 

ହେଲୋ ଡକ୍ଟର ସମର । କ’ଣ ହେଲା ? ସେମାନେ କିପରି ଅଛନ୍ତି ? ପହଞ୍ଚିଲା ବେଳକୁ ବର୍ଷାରେ କ’ଣ ପୁରା ଭିଜି ଯାଇଥିଲେ ?

 

ହ୍ଵାଟ–ସେମାନେ ଏଯାଏ ପହଞ୍ଚି ନାହାଁନ୍ତି ? ଷ୍ଟ୍ରେଂଜ କହୁଛନ୍ତି ! ଆପଣ ।

 

ମୁଁ ତ କିଛି ବୁଝି ପାରୁନି । ଦୀର୍ଘ ଦେଢ଼ ଘଣ୍ଟା ହେଲାଣି ଅଥଚ ସେମାନେ ପହଞ୍ଚି ନାହାନ୍ତି । ଆଚ୍ଛା ମୁଁ ଯାଉଛି ଯଦି ଏହା ମଧ୍ୟରେ ସେମାନେ ଆସିଥାନ୍ତି, ତାହାଲେ ତାଙ୍କର ସୁବ୍ୟବସ୍ଥା କରିବେ । ରହିଲି ।

 

O. K. ମଳୟ ବାବୁ ଫୋନ୍ ରଖି ଦେଇ ବର୍ଷାତି ଦେହରେ ଗଳାଇଲେ । ହାତରେ ଟର୍ଚ୍ଚଟି ଧରି ବାହାରି ପଡ଼ିଲେ ।

 

ବାହାରେ ବର୍ଷା ବହୁ ପରିମାଣରେ କମି ଆସିଥିଲେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇ ନଥାଏ । ବେଳେ ବେଳେ ଘଡ଼ଘଡ଼ି, ଚଡ଼ଚଡ଼ି ଓ ବିଜୁଳି ଆଦି ମାରି ଦେଉଥାଏ ।

 

ମଳୟ ବାବୁ ଗ୍ୟାରେଜ୍‍ରୁ କାର୍ ବାହାର କରି ସିଟି ହସ୍‍ପିଟାଲ ଅଭିମୁଖେ ଛୁଟାଇ ଦେଲେ ।

 

–ଦୁଇ–

 

‘ତେବେ ସେମାନେ ଗଲେ କୁଆଡ଼େ ଡାକ୍ତର’ ? ବଡ଼ ଆଶ୍ଚର୍ଯ୍ୟ ବୋଧ କରୁଥିଲେ ମଳୟବାବୁ । “ମୁଁ କିପରି କହିବି ସେମାନେ କୁଆଡ଼େ ଗଲେ । ଆପଣଙ୍କ ଠାରୁ ଫୋନ ପାଇଲା ପରଠାରୁ ମୁଁ ଉଦ୍‍ବିଗ୍ନ ହୋଇ ଚାହିଁ ରହିଛି । ବେହେରାଟାକୁ ମଧ୍ୟ ସେତେବେଳଠାରୁ ହସପିଟାଲର ଗେଟ ପାଖରେ ବସାଇ ରଖିଛି କାଳେ ସେମାନେ ଆସିଯାନ୍ତି ।“

 

ନୀରବ ରହିଲେ ଡାକ୍ତର ।

 

‘ହୁଁ’ । ଦୀର୍ଘ ନିଶ୍ଵାସ ତ୍ୟାଗକଲେ ମଳୟବାବୁ । ସତେ ଯେପରି ସେ ଆକାଶ ପାତାଳ ଭାବି ଯାଉଛନ୍ତି । ସେ ଭାବନାର ଆଦି ନାହିଁ କି ଅନ୍ତ ନାହିଁ ।

 

ଡାକ୍ତରବାବୁଙ୍କୁ ମଳୟବାବୁଙ୍କ ନିରବତା ବୋଧ ହୁଏ ଅସହ୍ୟ ହେଉଥିଲା । ସେ ବାଧ୍ୟ ହୋଇ ନୀରବତା ଭଗ୍ନ କଲେ ।

 

“କ’ଣ ଆପଣ ଏତେ ଚିନ୍ତା କରୁଛନ୍ତି ମଳୟବାବୁ ? ହୁଏତ ବର୍ଷାହେବା ଦ୍ଵାରା ସେମାନେ ଆସିପାରି ନାହାନ୍ତି ବର୍ଷା ତ ଛାଡ଼ିଗଲାଣି ଏବେ ବୋଧହୁଏ ସେମାନେ ଆସି ପହଞ୍ଚି ଯିବେ । ଆପଣ ଟିକିଏ ଅପେକ୍ଷା କରନ୍ତୁ । ହୁଏତ ସେମାନଙ୍କ ସାକ୍ଷାତ ମିଳିଯିବ ।

 

“ବେଶ ଦେଖାଯାଉ ଆପଣଙ୍କ ଅନୁମାନ କେତେ ଦୂର ସତ୍ୟ” ।

 

ଏମାନଙ୍କର କଥାବାର୍ତ୍ତା ସରିବା ପରେ ପରେ ଆସି ପହଞ୍ଚିଛି ସେଠାରେ ଷ୍ଟାଫ୍‍ନର୍ସ ଗୋଦାବରୀ ।

 

“ନର୍ସ ! ଥର୍ମୋଫ୍ଲାସକ୍‍ଟା ମୋର କେଉଁଠି ରହିଲା ?”

 

“ଲେଡ଼ି ଡକ୍ଟରଙ୍କ ପାଖରେ ଅଛ । ଆଣିବି ?”

 

ଆଦେଶକୁ ଅପେକ୍ଷାକରି ରହିଲା ଷ୍ଟାଫ୍ ନର୍ସ ଗୋଦାବରୀ ।

 

ନା–ତମେ ଯାଅ ଡକଟର ଲୀନାଙ୍କୁ କହିବ ଥର୍ମୋଫ୍ଲାସକ୍ ନେଇ ନିଜେ ସେ ଆସିବ ।

 

ଗୋଦାବରୀ ଚାଲିଗଲା ।

 

“ଗୋଦାବରୀ କ’ଣ ଏପର୍ଯ୍ୟନ୍ତ ଅବିବାହିତା ?

 

ଗୋଦାବରୀ ? ହଁ ସେ ନୁହେଁ କୁମାରୀ–ନୁହେ ସ୍ତ୍ରୀ । କୁମାରୀ ଓ ସ୍ତ୍ରୀ ମଧ୍ୟରେ ରହିଯାଇଛି ସେ । ବୟସ ତିରିଶି ପାଖା ପାଖି ହେବ । ନିଜର ପୁରିଲା ପାରିଲା ଦେହକୁ ଆହୁରି ପୁରିଲା କରିଛି ତା’ର ରୁପ ବିନ୍ୟାଶ ।

 

କୌଣସି ଏକ ଧନୀର ଯୁବକକୁ ଏକଦା ଭଲ ପାଉଥିଲା ଗୋଦାବରୀ । ଭଲ ପାଇବାରୁ–ଘନିଷ୍ଠତା–ପ୍ରେମ ରୂପ ନେଲା । ଯୁବକ ଏ ସୁଯୋଗ ନଷ୍ଟ କଲା ନାହିଁ ।

 

ଅନ୍ତସତ୍ତ୍ଵା ହେଲାପରେ ଯୁବକ ତାକୁ ପରିତ୍ୟାଗ କଲା । ତା’ର କୁମାରୀ ଜୀବନର ସବୁକିଛି ନେଇ ସାରିଲା ପରେ–ତା’ର ନାରୀତ୍ଵର ସମସ୍ତ ଅହଙ୍କାରକୁ ଭାଙ୍ଗିଦେଲା ପରେ ତାକୁ ଦୂରେଇ ଦେଲା । ଅସହାୟ–ନିରାଶ୍ରୟ ହେଲା ଗୋଦାବରୀ ! ତା’ର ସମସ୍ତ କାକୁତି ମିନତୀ ବ୍ୟର୍ଥ ହେଲା–ବ୍ୟର୍ଥହେଲା ତା’ର ରୂପ ଯୌବନର ସମସ୍ତ ସମ୍ପଦ ।

 

ତା’ପର ?

 

“ତା’ପରର ଘଟଣା ଅତି ମାମୁଲି । ଦଶମାସ ପରେ ଏହି ହସପିଟାଲରେ ଜନ୍ମନେଲା ତା’ର ମୃତ ଶିଶୁ ସନ୍ତାନ–“

 

ମୃତ ?

 

ହଁ ମୃତ । ବହୁ ଚେଷ୍ଟାପରେ ବଞ୍ଚିଗଲା ଗୋଦାବରୀ କିନ୍ତୁ ବଞ୍ଚିଲା ନାହିଁ ତା’ର ଶିଶୁ ପୁତ୍ର-

 

ତା’ହେଲେ–

 

ସେହି ଦିନଠୁଁ ରହି ଯାଇଛି ଗୋଦାବରୀ ସେହିପରି ଭାବେ ।

 

ମୋତେ ଡାକିଲ ସମର ?

 

ହଁ ଲୀନା ! ମୁଁ ଡାକିଲି । ଏ ହେଉଛନ୍ତି ମଳୟ ବାବୁ ଓଡ଼ିଶାର ପ୍ରାଇଭେଟ୍ ଡିଟେକ୍‍ଟିଭ୍‍ ଆଉ ଏ ହେଉଛନ୍ତି ହସ୍ ପିଟାଲର ଲେଡ଼ିଡକ୍ଟର ଲୀନା–ମୋର ସହକର୍ମୀ–ବାନ୍ଧବୀ–ସବୁକିଛି–“ ମୃଦୁଭାବରେ ହସିଲେ ଡକ୍ଟର ।

 

“ଏଁ–ତମେ ଭାରି ଜଣେ” କୃତ୍ରିମ କ୍ରୋଧ ପ୍ରକାଶ କଲେ ଡଃ ଲୀନା । ନାରୀର ଭୂଷଣ ଲଜ୍ୟା ତାଙ୍କର ମୁଖମଣ୍ଡଳକୁ କିୟତାଂଶରେ ରକ୍ତାଭ କରିଥିଲା ।

 

ଓଃ ତା’ହେଲେ ଏତେକଥା... କହିଲେ ମଳୟ । ହସି ଉଠିଲେ ସମସ୍ତେ ।

 

ହସ ବନ୍ଦ କରି ଡକ୍ଟର ସମର ଲୀନାଙ୍କୁ ଥର୍ମୋଫ୍ଲାସ୍‍କରୁ କପେ କଫି ଦେବାକୁ କହିଲେ-

 

ଲୀନା ୩ଟି କପରେ କଫି ଢାଳି ସମସ୍ତଙ୍କୁ ଗୋଟିଏ ଗୋଟିଏ ଧରାଇ ନିଜେ ଗୋଟିଏ ଧରିଲେ । କଫି ପାନ ପରେ–

 

ଡଃ ସମର । ଏଯାଏ ବି ସେମାନେ ଆସିଲେ ନାହିଁ ।

 

ମୁଁ ଯାଏ, ଚେଷ୍ଟାକରେ–ହଁ ଆପଣ... ଡକ୍ଟର ସମରଙ୍କ କାନ ପାଖରେ ଫିସ୍ ଫିସ୍ କରି କ’ଣ କହିଲେ ମଳୟ–ତା’ପରେ ହସପିଟାଲ ଛାଡ଼ିଲେ ସେ ॥ ତାଙ୍କର ଗଲା ପଥକୁ ଚାହିଁ ରହିଥିଲେ ସମର ଏବଂ ଲୀନା–ଲକ୍ଷ କରୁଥିଲେ ଲୋକଟାର କର୍ତ୍ତବ୍ୟ ବୋଧକୁ ।

 

–ତିନି–

 

“ତୋ’ର ତେବେ କ’ଣ ବୋଲି ମନେ ହେଉଛି ଶଚୀ ?”

ସମସ୍ତ ଘଟଣା ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା କରି ସାରି ପ୍ରଶ୍ନ କଲେ ମଳୟ ବାବୁ ତାଙ୍କର ସହକାରୀ ଶଚୀକାନ୍ତଙ୍କୁ । “ମୁଁ କିଛି ଠିକ୍ ସେପରି ଭାବି ପାରୁ ନାହିଁ । ତେବେ ହୁଏତ ସେ ତରୁଣୀଟି ଉପରେ କୌଣସି ବିପଦ ପଡ଼ିଥାଇ ପାରେ ଅର୍ଥାତ୍ ଶତ୍ରୁଦଳଙ୍କ ହାତରେ ସେ ପଡ଼ିଯାଇ ପାରି ଥାନ୍ତି କିମ୍ବା କୌଣସି ନିରାପଦ ସ୍ଥାନରେ ଆଶ୍ରୟ ନେଇ ପାରି ଥାନ୍ତି ।’’

“ହୁଁ ।”

ବିଶ୍ଳେଷଣ କରୁଥିଲେ ମଳୟବାବୁ ଶଚୀକାନ୍ତଙ୍କ ଉତ୍ତରକୁ ।

“ଯଦି ତୋ’ର ପ୍ରଥମ କଥା ଠିକ୍ ହୁଏ ତା’ହେଲେ ଏସମ୍ବାଦଟା ଅନ୍ତତଃ ଅମିତାଭ ପାଇବା ଆବଶ୍ୟକ । ଯଦି ତୋର ୨ୟ କଥାଟା ଠିକ୍ ହୁଏ, ତା’ହେଲେ ଗୋଟାଏ ଭଲ ଗେମ୍ ଖେଳିହେବ ଅନ୍ୟ ପକ୍ଷ ସହିତ । ନା’ କ’ଣ କହୁଛୁ ?”

“କିନ୍ତୁ କିପରି ?”

ଆଶ୍ଚର୍ଯ୍ୟ କଣ୍ଠରେ ପ୍ରଶ୍ନକଲା ଶଚୀକାନ୍ତ ।

“ଦେଖ୍ କ’ଣ ହେଉଛି ।“ ଫୋନ ଉଠାଇଲେ ମଳୟ । ହେଲୋ...ଫୋର ସେଭେନ ସିକ୍‍ସ ପ୍ଲିଜ୍‍ ।

ଆଇ ଆମ୍ ମଳୟ ସ୍ପିକିଂ । କିଏ ସତ୍ୟ କହୁଛୁ ?

ମୁଁ ଶଚୀକୁ ଗୋଟାଏ ଜରୁରୀ ବିଜ୍ଞାପନ ଦେଇ ତୋ ପାଖକୁ ବର୍ତ୍ତମାନ ପଠାଇ ଦେଉଛି-। ସେ ବିଜ୍ଞାପନଟା ଯେମିତି ଆଜି ପେପରରେ ପ୍ରକାଶ ପାଏ ।

ହଁ ବିଶେଷ ଜରୁରୀ । ଫୋନରେ ସବୁ କଥା କହି ହେଉନାହିଁ । ପରେ ଦେଖା ହେଲେ କହିବି ।

ରହିଲି... O. K.

ଫୋନ ଛାଡ଼ିଲେ ମଳୟବାବୁ । ଟେବୁଲ ଡ୍ରୟାରରୁ ଖଣ୍ଡେ କାଗଜ ଟାଣିଆଣି ଲେଖିଲେ

–ବିଜ୍ଞାପନ–

ଅମିତାଭ !

ତୁମେ ଯେଉଁଠି ଥାଅ–ଶୀଘ୍ର ଆସି ସିଟି ହସପିଟାଲର ଡକ୍ଟର ସମରଙ୍କ ସହିତ ଦେଖା କରି ମୋ ବିଷୟରେ ସମସ୍ତ ଘଟଣା ଜାଣିବ । ମୋ ଜୀବନ ବିଷାଦପର୍ଣ୍ଣା–ତୁମେ ଶୀଘ୍ର ଆସିବ । ଇତି

ତୁମର

‘ରାଣୀ’

 

ବିଜ୍ଞାପନଟି ଲେଖିସାରି,ଶଚୀକାନ୍ତଙ୍କ ହାତକୁ ବଢାଇ ଦେଇ କହିଲେ–

ଯା । ସତ୍ୟ ସମାଚାର ଅଫିସରେ ସମ୍ପାଦକ ସତ୍ୟବ୍ରତ ରାୟଙ୍କୁ ଦେଇ ଆସିବୁ । ମୁଁ ପଠେଇଲି ବୋଲି କହିବୁ । ନିଶ୍ଚିତ ରୂପେ ଯେମିତି ପ୍ରକାଶ ପାଏ ଆଜି ସନ୍ଧ୍ୟାର ପେପରରେ ।

“କିନ୍ତୁ–ଏହାର ମାନେ...

“ତୁ’ ଯା ! ପରେ ବୁଝିବୁ ।“ ଶଚୀକାନ୍ତଙ୍କ କଥା ଛଡାଇ ମଳୟବାବୁ କହିଲେ ।

“ହେଲା ବାବା; ଯୋ ହୁକୁମ୍ ।“ ଉଠିଲେ ଶଚୀକାନ୍ତ ବାବୁ । “ହଁ ଫେରିଲାବେଳେ ପୋଲିସ୍ ଷ୍ଟେସନ୍ ଦେଇ ଆସିବୁ । ଇନସ୍ ପେକ୍ଟର ନିହାର ବାବୁଙ୍କୁ କହିବୁ ସେ ଆଜି ସନ୍ଧ୍ୟା ସୁଦ୍ଧା ମୋତେ ଯେମିତି ନିଶ୍ଚୟ ଦେଖା କରନ୍ତି ।

ଓ. କେ. ବସ୍ । ହସିଦେଇ ଚାଲିଗଲେ ଶଚୀକାନ୍ତ ।

ମଳୟବାବୁ ସ୍ନାନାଦି ନିତ୍ୟକର୍ମ ସାରିବା ପାଇଁ ବାଥ୍ ରୁମ୍‍କୁ ପଶିଲେ । ପ୍ରାୟ ଦୁଇ ଘଣ୍ଟା ମଧ୍ୟରେ ଆହାରାଦି ଶେଷ କରି ନିଜ ଅଫିସ୍ ରୁମ୍‍କୁ ଆସିଲେ । ପୂର୍ବରୁ ‘ସତ୍ୟ ସମାଚାର’ ଅଫିସରୁ ଫେରି ଖଣ୍ଡିଏ ଚେୟାର ଅଧିକାର କରିଥାନ୍ତି ଶଚୀକାନ୍ତ ।

“ତୁ କେତେବେଳୁ ଫେରିଲୁଣି ?” ଘରୁ ଖାଇ ଆସିଲୁଣି ?

ଘରକୁ ଆଉ ଗଲି କେତେବେଳେ । ବର୍ତ୍ତମାନ ତ ଫେରୁଛି ।

ସତ୍ୟ ସମାଚାର ଅଫିସରେ ଗୋଟାଏ ଘଟଣା ପ୍ରତି ମୋର କାହିଁକି ସନ୍ଦେହ ହେଲା–ତେଣୁ ତମକୁ ଜଣାଇ ଦେବାକୁ ଚାଲି ଆସିଲି । କହିଲେ ଶଚୀକାନ୍ତ

କ’ଣ ହୋଇଛି–କି’ ଘଟଣା ?

ଜଣେ ଲୋକ ‘ସତ୍ୟ ସମାଚାର’ ଅଫିସ୍ ରେ ଗୋଟାଏ ବିଜ୍ଞାପନ ପ୍ରକାଶ ପାଇଁ ଦେଇଗଲା ।

ଦେଇ ଗଲା ତ କ’ଣ ହେଲା ?

ଶୁଣ ଆଗେ ! ସେ ବିଜ୍ଞାପନରେ ଲେଖାଅଛି–‘ଆମ୍ଭର ଭଉଣୀ ତାରାମତୀ କାଲି ରାତିରେ ଘର ଛାଡ଼ି କେଉଁଆଡ଼େ ଚାଲି ଯାଇଛି । ତା’ର ବୟସ ୨୧ । ଗୌର ବର୍ଣ୍ଣ–ସୁନ୍ଦର ଚେହେରା । କିନ୍ତୁ ସେ ଅସୁସ୍ଥ ଥିଲା ଓ ତା’ର ମସ୍ତିଷ୍କରେ ବିକୃତି ଘଟିଥିଲା । ସବୁବେଳେ ସେ ପ୍ରଳାପ କରେ ମୋତେ ସେମାନେ ଜୋର କରି ବିବାହ କରି ଦେବେ ଆଦି ଅନେକ ।‘ ସେ ଏହା ପୂର୍ବରୁ ଚିକିତ୍ସିତ ହେଉଥିଲା । ତା’ର ବର୍ତ୍ତମାନ ଅବସ୍ଥାରେ ଚିକିତ୍ସା ଏବଂ ବିଶ୍ରାମ ସମ୍ପୂର୍ଣ୍ଣ ଆବଶ୍ୟକ-। ଯଦି କୌଣସି ସହୃଦୟ ବ୍ୟକ୍ତି ତା’ର ସନ୍ଧାନ ପାଇଥାନ୍ତି ଆମ୍ଭଙ୍କୁ ନିମ୍ନ ଠିକଣାରେ ଜଣାଇଲେ ଉପକୃତ ହେବୁ । ପ୍ରକାଶ ଥାଉକି ସନ୍ଧାନ ଦେବା ବ୍ୟକ୍ତିଙ୍କୁ ନଗଦ ୫ ହଜାର ଟଙ୍କା ପୁରସ୍କାର ଦିଆଯିବ ।

। ଇତି ।

ତାରାପଦ ନନ୍ଦ

ସବିତା ଭବନ, କାଳିଗଳି, କଟକ–୨

 

ଆଚ୍ଛା, ତା’ହେଲେ ଏହା ମଧ୍ୟରେ ଏମିତି କଥା ଅଛି । କିନ୍ତୁ ସେ ତରୁଣୀ ଯେ ତାରାମତୀ ଏହାର ପ୍ରମାଣ କ’ଣ ଅଛି ?”

 

“କିନ୍ତୁ ମୁଁ ଭାବୁଛି–ଏହା ସହିତ ତା’ର କିଛି ନା କିଛି ଯୋଗ ସୂତ୍ର ଅଛି ।’’

 

ଆଚ୍ଛା ଠିକ୍ ଅଛି । ଗୋଟାଏ ଟ୍ରାଏଲ ନିଆଯାଉ ପୁଣି ଫୋନ ଉଠାଇଲେ ମଳୟ ବାବୁ-

 

ହେଲୋ ଏକ୍‍ସଚେଞ୍ଜ...ଫୋର ସେଭେନ ସିକ୍‍ସ ପ୍ଳିଜ୍ ।

 

ହାଲୋ...ଆଇ ଆମ ମଳୟ ସ୍ପିକିଂ କିଏ ସତ୍ୟ ?

 

ହଁ । ସେ ଯେଉଁ ବିଜ୍ଞାପନଟା ଶଚୀ ଦେଇ ଆସିଲା ତା’ର ଟିକିଏ ସଂଶୋଧନ ଆବଶ୍ୟକ ।

 

ଖାଲି ଇତି ତୁମର,‘ରାଣୀ’ ପରିବର୍ତ୍ତେ ଇତି ତୁମର ‘ତାରାମତୀ’ କରିଦେବ ।

 

କ’ଣ ହେଲା ? ଏମିତି ଚମକିଲ ?

 

ହେଲେ ତ ୫୦୦୦ ହଜାର ଟଙ୍କା ମୋର ଥୁଆ । କିନ୍ତୁ ଭାଇ ସେ ତାରାମତୀ ଏ ନୁହେଁ-। ୟାଙ୍କ ଘର ଭଦ୍ରକ । ଆଉସର୍ ନେମ୍ ମିଶ୍ର ।

 

ହସିଲେ ମଳୟ ବାବୁ । ଏମିତି ଗଛରୁ ଟଙ୍କାଗୁଡ଼ା କ’ଣ ଆମ ଭାଗ୍ୟରେ ଫଳେ ?

 

ଅଲ ରାଇଟ୍ । ବାୟ–ବାୟ ।

 

ହଁ ତୁ ଶଚୀ ଯା–ଖାଇ ସାରି ଶୀଘ୍ର ଆସିବୁ ବହୁତ କାମଅଛି । ଫୋନ ରଖୁ ରଖୁ କହିଲେ ମଳୟ ବାବୁ ।

 

–ଚାରି–

 

ତା’ ପରଦିନ । ସମୟ ଦ୍ଵିପ୍ରହରରୁ କିଛିଟା ବଳେଇ ଯିବ । ଲାଲବାଗ ପୋଲିସ୍ ଷ୍ଟେସନ୍‍ର ଅଫିସ୍ ରୁମରେ ବସିଛନ୍ତି ଇନିସ୍ ପେକଟର ନିହାର ପଟ୍ଟନାୟକ । ମୁହଁରେ ବ୍ରିଷ୍ଟଲ ଫିଲ୍‍ଟର ସିଗାରେଟ୍–ହାତରେ ପାଲବାର୍କଙ୍କର ‘ଗୁଡ଼ଆର୍ଥ’ ପୁସ୍ତକ ।

 

ଅଫିସ୍ ଦ୍ଵାର ମୁହଁରେ ଅଟକିଲା ଗୋଟାଏ ପ୍ରାଇଭେଟ୍ କାର । ପୁସ୍ତକରୁ ମୁଣ୍ଡ ଟେକିଲେ ଇନିସ୍ ପେକ୍‍ଟର । ‘ହେଲୋ ମଳୟ ବାବୁ ! ନମସ୍କାର–ନମସ୍କାର । କିମିତି ଏତେ ଶୀଘ୍ର ମନେ ପଡ଼ିଲା ମ ।“

 

ମୁଣ୍ଡ ହଲାଇ ପ୍ରତି ନମସ୍କାର ଜଣାଉ ଜଣାଉ ରୁମ୍ ମଧ୍ୟକୁ ପ୍ରବେଶ କଲେ ମଳୟ ବାବୁ-। ଚେୟାର ଖଣ୍ଡିଏ ଅଧିକାର କଲେ ସେ । ସିଗାରେଟ୍ ପ୍ୟାକେଟ ଗୋଟିଏ ନିଜେ ଧରି ଆଉ ଗୋଟିଏ ମଳୟ ବାବୁଙ୍କୁ ଦେଲେ ।

 

ଅଗ୍ନି ସଂଯୋଗ କଲେ ଦୁହେଁ । ସିଗାରେଟରୁ ଧୁମ୍ର ନିର୍ଗତ ହେଲା । “ହଁ ଇନିସ୍‍ପେକ୍‍ଟର ଏକ ଜରୋରୀ ସମସ୍ୟା ମୋ ଆଗରେ । କାଲି ଶଚୀକୁ ପଠାଇ ଥିଲି–ସେ କିନ୍ତୁ ଆପଣଙ୍କୁ ନପାଇ ଫେରିଗଲା ।“

 

ହେଉ, କଥା କ’ଣ କୁହନ୍ତୁ !

 

ଆଜିର ‘ସତ୍ୟ ସମାଚାର’ ଦେଖିଲେଣି ? ହଁ–କ’ଣ ହେଲା ?

 

ଦୁଇଟି ପରସ୍ପର ସାମଞ୍ଜସ୍ୟ ଥିବା ବିଜ୍ଞାପନ ଉପରେ ଆପଣଙ୍କ ଲକ୍ଷ ପଡ଼ିଛି କି ?

 

“ସେ ‘ତାରାମତୀ’ ବିଜ୍ଞାପନ ତ ? ନା ଆଉ କ’ଣ ?”

 

‘ନା–ନା–ସେହି । ଆପଣ ଠିକ୍ ଧରିଛନ୍ତି । ମୁଁ ଭାବୁଛି ଏହା ମଧ୍ୟରେ କିଛି ରହସ୍ୟ ନିଶ୍ଚିତ ରୂପେ ଲୁକ୍‍କାୟିତ ଅଛି ।“

 

“ଆପଣ ତ ରହସ୍ୟ ସନ୍ଧାନୀ ବୋଲି ବିଦିତ । ଆପଣଙ୍କୁ କ’ଣ ଏଟା ବଳାଇ ଯିବ । ତଥାପି ଏ କେସ୍ ଯେ ଯାଏ ଆମ ହାତକୁ ନ ଆସିଛି–ଆମର ଏଥିରେ ଅଯଥାରେ ମୁଣ୍ଡ ଘୂରାଇ ବ୍ୟସ୍ତ ହେବାରେ ଲାଭ କ’ଣ ? ବରଂ ଅନ୍ୟ କିଛି ଆମୋଦ ଦାୟକ କଥାର ପେଡ଼ି ଖୋଲାଯାଉ ।“ କହି ସାରି ମଳୟ ବାବୁଙ୍କୁ ଲକ୍ଷ କରୁଥିଲେ ନିହାର ବାବୁ । ଯଦିଓ ସେ ଜାଣନ୍ତି ମଳୟ ବାବୁ ଯେଉଁ ଥିରେ ଥରେ ପଶନ୍ତି ବା ପଶିବାକୁ ଇଚ୍ଛା କରନ୍ତି ତାଙ୍କୁ ସେଥିରୁ କେହି କୌଣସି ରୂପେ ବାହାର କରି ଆଣି ପାରିବ ନାହିଁ । ତଥାପି–ଲକ୍ଷ କରୁଥିଲେ ନିହାର ବାବୁ ।

 

“କିଛି ସମୟ ନିରବ ରହିଲା ପରେ ତୁଣ୍ଡ ଖୋଲିଲେ ମଳୟବାବୁ–“ଆପଣ ଭୁଲ ବୁଝିଛନ୍ତି ଇନିସ୍ ପେକ୍ଟର । ଆପଣ ଜାଣନ୍ତି ଏହି caseଟା ଏଇଠି ଘଟିଛି–ତେଣୁ ଆମ ହାତକୁ କେଶ୍‍ଟା ନିଶ୍ଚିତ ରୂପେ ଆସିବ । ଯଦି ବର୍ତ୍ତମାନରୁ ଆମେ ଲକ୍ଷ ନକରି ଥିବା ସେତେବେଳେ ଆମ୍ଭଙ୍କୁ ବହୁତ ଅସୁବିଧାରେ ପଡ଼ିବାକୁ ହେବ । ତା’ଛଡ଼ା ଆପଣଙ୍କ ଭଳି କର୍ତ୍ତବ୍ୟପରାୟଣ ପୁଲିସ ଅଫିସର ଯେ ଏପରି ଚିନ୍ତା କରିପାରେ ତାହା ମୁଁ ଅନ୍ତତଃ ଆପଣଙ୍କଠାରୁ ଆଶା କରି ନଥିଲି ।“ “ନା–ନା ମୁଁ ସେପରି କିଛି ଭାବି କହିନି–ଜଷ୍ଟ”–“ଆଚ୍ଛା ଛାଡ଼ନ୍ତୁ ସେ କଥା ।

 

ମୁଁ କ’ଣ କହୁଥିଲି କି ଆପଣ ଟିକେ ଯାଇ ତାରାପଦ ନନ୍ଦଙ୍କ ଠାରୁ ବୁଝିବେ ସେ ତାରାମତୀର ସନ୍ଧାନ ପାଇଲେ କି ନା ? କେଉଁ ଅବସ୍ଥାରେ କିପରି ଭାବେ ସେ ଗୃହ ପରିତ୍ୟାଗ କରିଛନ୍ତି–ଇତ୍ୟାଦି ୨ ସମସ୍ତ ସାଧାରଣ ପ୍ରାଇମେରି ନିଉଜ୍ ।

 

“ଅଲରାଇଟ୍ । ମୁଁ ଠିକ ସମୟରେ ଆପଣଙ୍କୁ ନିଜେ ଯାଇ ଜଣାଇ ଆସିବି । ଉଠିଲେ ଯେ ବସନ୍ତୁ ନା । ଅନ୍ତତଃରେ କପେ କଫି ?

 

“ମୋର ଆପତ୍ତି ନାହିଁ ।“ ଉଠୁ ଉଠୁ ପୁଣି ବସିଲେ ନିଜ ଆସନରେ ମଳୟବାବୁ ।

 

–ପାଞ୍ଚ–

 

ଡାଃ ସମରଙ୍କ ଧ୍ୟାନ ଭଗ୍ନ ହେଲା ଫୋନର ଘନ ଘନ ଚିତ୍କାରରେ । ବାଧ୍ୟ ହୋଇ ଫାଇଲ ପତ୍ର ରଖି ଦେଇ ଫୋନ ଧରିଲେ ଡାକ୍ତର ସମର ।

 

“ହେଲୋ... ୱାନ୍ ଟୁ ଫାଇଭ୍ ସ୍ପିକିଂ”

 

“ହେଁ ମୁଁ ଡାକ୍ତର ସମର ମୋର ରେସିଡ଼େନ୍‍ସିରୁ କହୁଛି ? ଆପଣ କିଏ ?

 

“ହ୍ଵାଟ୍–ଆପଣ ଅମିତାଭ୍ ବାବୁ ? ତେବେ ମୋ ରେସିଡ଼େନ୍‍ସିକୁ ଚାଲିଆସନ୍ତୁ । ସମସ୍ତ ଏଇଠି ଶୁଣିବେ । ଫୋନ୍ ରେ ଏପରି କଥା ସବୁ କହିବାକୁ ମୁଁ ଉଚିତ୍ ମନେ କରୁନାହିଁ । ନା କ’ଣ କହୁଛନ୍ତି ?”

 

“ନା–ନା ଫୋନରେ ମୁଁ ଆପଣଙ୍କର କୌଣସି ପ୍ରଶ୍ନର ଉତ୍ତର ଦେଇ ପାରିବିନି । ଆପଣଙ୍କୁ ଏଠାକୁ ଆସିବାକୁ ହେବ । ଆପଣଙ୍କର ଏଠାକୁ ସ୍ଵ ଶରୀରରେ ଆସିବାରେ କ’ଣ ଆପତ୍ତି ଅଛି ?”

 

“ବେଶ୍ ତା’ହେଲେ ଚାଲି ଆସନ୍ତୁ ଶୀଘ୍ର । ମୁଁ ଅପେକ୍ଷା କରି ରହିଲି” ।

ଫୋନ ଛାଡ଼ିଲେ ଡାକ୍ତର । କିଛି କ୍ଷଣ ଚିନ୍ତା କରି ଫୋନ ଉଠାଇଲେ ସେ । ସମସ୍ତ ଘଟଣା ମଳୟ ବାବୁଙ୍କୁ ଜଣାଇ ଦେବା ହୁଏତ ଉଚିତ୍ ମନେ କଲେ ।

“ବାବୁ ! ବାହାରେ ଜଣେ ଭଦ୍ର ମହିଳା ଏବଂ ଜଣେ ଭଦ୍ର ଲୋକ ଆପଣଙ୍କ ସାକ୍ଷାତ ଅପେକ୍ଷାରେ ଅଛନ୍ତି ।’’

ତାଙ୍କୁ ଡ୍ରଇଁ ରୁମ୍ ରେ ବସା–ମୁଁ ଯାଉଛି । ପୁଣି ଏମାନେ କିଏ ଆସିଲେ ? ବୋଧହୁଏ କୌଣସି ପେସେଣ୍ଟ ! ଚିନ୍ତା କରୁଥିଲେ ଡାକ୍ତର ।

ଦେହରେ ଖଣ୍ଡେ ସାର୍ଟ ଗଳେଇ ଦେଇ ଡ୍ରଇଁ ରୁମକୁ ପ୍ରବେଶ କଲେ ।

ନମସ୍କାର ଆଦାନ ପ୍ରଦାନ ପରେ ସମସ୍ତେ ଖଣ୍ଡିଏ ଖଣ୍ଡିଏ ଆସନ ଅଧିକାର କଲେ ।

ଆପଣମାନଙ୍କ ପରିଚୟ ଜାଣିପାରେ କି ? ନମ୍ର ସହକାରେ ପ୍ରଶ୍ନ କରୁଥିଲେ ଡାକ୍ତର ସମର ।

ହଁ ନିଶ୍ଚୟ–ନିଶ୍ଚୟ । ଆମେ ତ ପରିଚୟ ଦେବାକୁ ଆପଣଙ୍କ ନିକଟକୁ ଆସିଛୁ–ନଦେବୁ କାହିଁକି ? ମୋର ନାମ ଜୟଦୀପ ସେନାପତି, ଏ କ୍ଲାସ କଣ୍ଟ୍ରାକ୍‍ଟର । ଘର କୁସୁପୁର–ପୁରୀ ଡିଷ୍ଟ୍ରିକ୍‍ଟ । କିନ୍ତୁ କଟକରେ ଆମର ନିମଚୌଡ଼ିରେ ଘର ଅଛି । ଏ ହେଉଛନ୍ତି ମୋର ଧର୍ମପତ୍ନୀ ନିୟତି ସେନାପତି । ଆରେ ତୁମେ ଯାଉ ନା ଘର ଆଡ଼େ ଲୀନା ଦେବୀଙ୍କ ସହିତ କଥାବାର୍ତ୍ତା ହେଉଥିବ ଏହାମଧ୍ୟରେ ମୁଁ ଡାଃ ସମରଙ୍କ ସହିତ ଗୋଟିଏ ନିଷ୍ପତ୍ତି କରି ନେଉଛି । ଜୟଦୀପ ସେନାପତି ତାଙ୍କର ପତ୍ନୀଙ୍କୁ ଲକ୍ଷକରି କହୁଥିଲେ ଭଦ୍ରମହିଳା ତାଙ୍କର ଚପଳ ନୀଳ ନୟନକୁ ନଚାଇ ସ୍ଳିପର୍ ଘୋସାରି ଡାକ୍ତରଙ୍କ ଅନ୍ଦର ମହଲକୁ ପ୍ରବେଶ କଲେ–

ଡାକ୍ତରଙ୍କୁ ଏମାନଙ୍କର ଏପରି ଅଚାନକ ବ୍ୟବହାର ବଡ଼ ଆଶ୍ଚର୍ଯ୍ୟ କରୁଥିଲା । ଏମାନଙ୍କ ସହିତ ତାଙ୍କର କଥା ନାହିଁ ବାର୍ତ୍ତା ନାହିଁ, ଆଦୌ ପରିଚୟ ବି ନାହିଁ ଅଥଚ ସେମାନେ ବହୁଦୂର ଆଗେଇ ଯାଉଛନ୍ତି–ଯେପରି ବହୁଦିନର ଆତ୍ମୀୟତା ତାଙ୍କ ପାଖରେ ବରଫ ସ୍ତୁପ ପରି ଜମାଟ ବାନ୍ଧିଛି । ଏପରିକି ତାଙ୍କ ସ୍ତ୍ରୀଙ୍କ ନାମ ସୁଦ୍ଧା ଜାଣି ନେଇଛନ୍ତି । କିନ୍ତୁ ମୁହଁ ଖୋଲି କିଛି ପଚାରି ପାରୁନଥିଲେ ଡାକ୍ତର ସମର । ଭଦ୍ରଲୋକ ଏଆଡ଼େ ସେଆଡ଼େ ଚାହିଁ କ’ଣ ଯେପରି ଖୋଜୁ ଥିଲେ । ଡାକ୍ତର ସମର କଥା ଆରମ୍ଭ କଲେ–

“କୁହନ୍ତୁ । ଆପଣ ମାନେ କୁଆଡ଼େ କିପରି ଚାଲି ଆସିଲେ ?”

ଏଥର ସ୍ମିତ ହାସ୍ୟ ଦେଖା ଦେଲା ଭଦ୍ରଲୋକଙ୍କ ଅଧରରେ । ଟିକିଏ ଗଳା ସଫାକରି ସେ କହିଲେ–“

ନିୟତି ମୋତେ ଆସିବାକୁ ବାଧ୍ୟ କଲା । ବାଧ୍ୟ କଲା କ’ଣ ଜୋର କରି ଟାଣି ଆଣିଛି । ତା’ର ଇଚ୍ଛା, ଆପଣ ମାନଙ୍କର ଆମ ସହିତ ଗୋଟାଏ ସବୁଦିନିଆ ସମ୍ପର୍କ ରହୁ ।

ଅର୍ଥାତ୍ ? କିଛି ବୁଝି ନପାରି ପ୍ରଶ୍ନିଳ ଦୃଷ୍ଟିରେ ଚାହୁଁଥିଲେ ଡାକ୍ତର ।

“ଏଇ ଧରନ୍ତୁ–ଆମ ବଂଶ ସହିତ ଆପଣଙ୍କର ବଂଶର ସମ୍ବନ୍ଧ” ।

ଭଦ୍ରଲୋକ ଯେପରି ଜାଣି ଜାଣି ଅବୁଝା ରଖିବାକୁ ଚେଷ୍ଟା କରଥିଲେ ତାଙ୍କର ବକ୍ତବ୍ୟକୁ ।

 

“ମାନେ ? –ମୁଁ ବୁଝି ପାରିଲିନି–ଖୋଲି କରି କୁହନ୍ତୁ–ଆପଣ କ’ଣ କହିବାକୁ ଚାହୁଁଛନ୍ତି–ସାମାନ୍ୟ ଭାବରେ ମନେ ମନେ ବିରକ୍ତ ପ୍ରକାଶ କରୁଥିଲେ ଡାକ୍ତର ।

 

କ’ଣ ଆମର କହିବାର କଥା କି–ଆପଣଙ୍କର ବଂଶର କୌଣସି ରକ୍ତ ସହିତ ଯଦି ଆମ ବଂଶର କୌଣସି ରକ୍ତର ମିଳନ ହୁଏ ତା’ହେଲେ କ୍ଷତି କ’ଣ ?

 

“ଆପଣ ତା’ହେଲେ କାହା କଥା କହୁଛନ୍ତି ?”

 

ଆପଣଙ୍କ ସାନଭାଇ ଅମର ବାବୁଙ୍କ ସହିତ ଯଦି ଆମର ଏକମାତ୍ର କନ୍ୟା ଶିଖାକୁ ବିଭା କରି ଦିଆ ଯାଏ ତା’ହେଲେ ଖୁବ୍ ଭଲ ହୁଅନ୍ତା !

 

“କ’ଣ–ଅମରର ବିବାହ ?”

 

ଏଥର ଯେପରି ଆକାଶରୁ ପଡ଼ିଲେ ଡାକ୍ତର । ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ତାଙ୍କର-। ବଡ଼ ଅଜବ କଥା କହିଛନ୍ତି ଭଦ୍ରଲୋକ । ବିବାହର କୌଣସି ପ୍ରଶ୍ନ ନାହିଁ...

 

ଡାକ୍ତର ସମରଙ୍କୁ ଭାବିବାକୁ ଅବସର ନଦେଇ ପୁଣି କଥା ଆରମ୍ଭ କଲେ ଭଦ୍ରଲୋକ ।

 

“ଆପଣଙ୍କର କିଛି ଚିନ୍ତା କରିବାର ନାହିଁ । ଆପଣଙ୍କର ଯାହା ଦାବି ଥାଉ ବା ନଥାଉ ମୁଁ ବହୁତ ଦେବି । ଯେ ହେତୁ ଶିଖା ମୋର ଏକମାତ୍ର କନ୍ୟା ତେଣୁ ମୁଁ ତାକୁ ସବୁ ଦିଗକୁ ସୁଖି ରଖିବାକୁ ଚାହେଁ । ଆପଣ ଖାଲି ସମ୍ପତ୍ତିଟା ଦେଲେ ହୁଏତ ଏଇ ବୈଶାଖ୍ୟରେ ହିଁ ବିବାହଟା ଶେଷ କରି ଦିଅନ୍ତେ ।’’ ଡାକ୍ତରଙ୍କ କୌଣସି ଉତ୍ତରକୁ ଅପେକ୍ଷା ନକରି କହି ଚାଲିଥିଲେ ଅନର୍ଗଳ ଜୟଦୀପ ସେନାପତି । “ନିୟତିର ଇଚ୍ଛା ସେ ଶିଖାକୁ ଅମର ହାତରେ ଦେବ ।’’

 

ଏଥର ପାଟି ଖୋଲିଲେ ଡାକ୍ତର ସମର । ଏତେବେଳ ଯାଏ ଖାଲି ଚୁପ୍ ଚାପ୍ ବସି ରହି ଶୁଣୁଥିଲେ ଏ ଭଦ୍ରଲୋକଙ୍କର ପ୍ରଳାପ । ପ୍ରଳାପ ନୁହେଁ ତ ଆଉ କ’ଣ ହୋଇପାରେ ?

 

କିନ୍ତୁ ଆପଣଙ୍କୁ କିଏ କହିଲା ଯେ ଆମେ ଅମରର ବାହାଘର ଏବେ କରିବୁ ବୋଲି ?

 

କାହିଁକି–ତାଙ୍କର କ’ଣ ବୟସ ହୋଇନି ? ବିବାହ ପାଇଁ ଯଥେଷ୍ଟ ବୟସ ହେଲାଣି । ପୁରୁଷଙ୍କ ବିବାହ ମୋ ମତରେ ୨୩ରୁ ୨୬ ବର୍ଷ ମଧ୍ୟରେ ହେବା ଆବଶ୍ୟକ । ଅମର ବାବୁଙ୍କର ତ ବୟସ ୨୪ ହେଲାଣି । ବିବାହ କରିବାରେ ବାଧା କ’ଣ ?

 

ଆଶ୍ଚର୍ଯ୍ୟ ! ଆପଣ ତା’ର ବୟସ ମଧ୍ୟ ଜାଣି ନେଇଛନ୍ତି ? କ’ଣ ଅମରର ଏ ବିବାହରେ ସମ୍ମତ୍ତି ଅଛି ? କିନ୍ତୁ ସେତ ବୁର୍ଲାରେ !

 

ନା–ନା ଏ ବିବାହ ସମନ୍ଧରେ ଅମର ବାବୁ ବିନ୍ଦୁ ବିସର୍ଗ ବି ଜାଣି ନାହାଁନ୍ତି । ଏପରି କି ଆମ୍ଭମାନଙ୍କ ସହିତ ତାଙ୍କର ପରିଚିତି ବି ନାହିଁ ।

 

ତା’ହେଲେ ଆପଣ କିପରି ଏ ବିଷୟ ନେଇ ଏଠାକୁ ଧାଇଁ ଆସିଲେ ? କିପରି ଏତେ କଥା ସଂଗ୍ରହ କଲେ ? ବିସ୍ମୟ ପ୍ରକାଶ କରୁଥିଲେ ଡାକ୍ତର ।

 

ଆମର ଝିଅ ଅଛି–ଆପଣଙ୍କ ଘରେ ପୁଅ । ଦୁହେଁ ଦୁହିଁଙ୍କର ଉପଯୁକ୍ତ । ଶିଖା ଏମ୍, ଏ, ପରୀକ୍ଷା ଦେଇଛି–ଅମର B. Sc. ପାଶ କରି Enggର ଶେଷ ବର୍ଷ ଛାତ୍ର । ତେଣୁ ଆମକୁ ଏ ବିଷୟ ଦିନେ ନା ଦିନେ ସଂଗ୍ରହ କରିବାକୁ ପଡ଼ିବ ବୋଲି ଆମେ ଜାଣୁ–ଏବଂ ସେଇଥିପାଇଁ ବି କରିଛୁ । ଏଥିରେ ବିସ୍ମୟ ହେବାର କ’ଣ ଅଛି । ଆପଣଙ୍କ ଜୀବନରେ ଏଯାଏ ବି ସେପରି ଅନୁଭୂତି ଆସିନାହିଁ । କନ୍ୟାପିତା ସଦାସର୍ବଦା ଚାହେଁ ତା’ର କନ୍ୟାକୁ ସବୁଠାରୁ ଅଧିକ ସୁଖି କରିବାକୁ–ସବୁଠାରୁ ଅଧିକ ଭାଗ୍ୟବାନ, ଚରିତ୍ରବାନ ଯୁବକ ହସ୍ତରେ ଅର୍ପଣ କରିବାକୁ ।

 

ଆଚ୍ଛା ଛାଡ଼ନ୍ତୁ ସେ କଥା । କିନ୍ତୁ ଆମେ ବର୍ତ୍ତମାନ ଅମରର ବିବାହ କରିବା ମୁଡ଼୍‍ ରେ ନାହୁଁ ।

 

କାହିଁକି ?

 

ସେ B.Sc. ପରେ ଇଞ୍ଜିନିୟରିଂ ଯାଇଛି କେବଳ ଫରେନ ଯିବାକୁ । ଏଟା ତାର Final year; ଇଞ୍ଜିନିୟରିଂ ପାଶ୍ କରି ସାରିଲା ପରେ ତାକୁ ଫରେନ୍ ଅନ୍ତତଃ ଦୁଇବର୍ଷ ପାଇଁ ପଠାଇବାକୁ ପଡ଼ିବ । ତା’ପରେ ଯା–କିଛି ।

 

ଆମ୍ଭେ ତ ରାଜିଅଛୁ–ତାଙ୍କର ଫରେନ୍ ଯିବାର ଆବଶ୍ୟକୀୟ ଖର୍ଚ୍ଚ ଦେବାକୁ । ଦୁଇ ବର୍ଷ କାହିଁକି–ଚାହିଁଲେ ଦଶବର୍ଷ ବି ଆମ୍ଭେ ଫରେନ୍ ରେ ପଢ଼ାଇ ଦେଇ ପାରିବୁ । କିନ୍ତୁ ଆଗେ ବିବାହଟା ହୋଇଯାଉ ।

 

ନା–ନା, ତା’ ହୋଇ ପାରିବ ନାହିଁ । ଆମ୍ଭେ ବର୍ତ୍ତମାନ ବିବାହ କରିବାଟା ଉଚିତ୍ ମନେ କରୁନୁ । ସିଧା ସଳଖ ମନାକରି ଦେଲେ ଡାକ୍ତର ସମର ।

 

ବଡ଼ ଆଘାତ ପାଇଲେ ଜୟଦୀପ ସେନାପତି । ଧନର ଅହମିକା ହଠାତ୍ ଯେପରି ତାଙ୍କର ଭୂଇଁରେ ଲୋଟୁଥିଲା–

 

ଠିକ୍ ଏତିକି ବେଳେ ଡ୍ରଇଁ ରୁମ୍‍କୁ ପଶି ଆସିଲେ ନୀୟତି ସେନାପତି ପଛେ ପଛେ ଲୀନାଦେବୀ ।

 

ନୀୟତିଙ୍କ ମୁଖରେ ଯେପରି ହସର ବନ୍ୟା ଖେଳୁଥିଲା–ସେ ଖୁବ୍ ପ୍ରଫୁଲ୍ଲ ଥିଲେ ।

 

ଲୀନା ଆସି ଡାକ୍ତରଙ୍କୁ ପଚାରିଲେ–

 

କ’ଣ ଅମରଙ୍କ ବିବାହ କଥା ପକ୍‍କା ହୋଇଗଲା ? ଯା’ହେଉ ମୋର ଗୋଟିଏ ସାନ ଭଉଣୀ ଆସିଯିବ ଏ ଘରକୁ । ଆନନ୍ଦିତା ହେଉଥିଲେ ଲୀନା ।

 

ତୁମର ସବୁବେଳେ ସେଇକଥା–ବିରକ୍ତିରେ କହୁଥିଲେ ସମର । ଅମରର ବର୍ତ୍ତମାନ ବାହାଘର ହୋଇ ପାରିବନି । କେତେଥର କହିଲି ସେ ଫରେନ୍ ନ ଫେରିଲା ଯାଏ ବିବାହ ତା’ର ହେବନି ବୋଲି ।

 

ସମରଙ୍କର ଏପ୍ରକାର କଥାରେ ହଠାତ୍ ଯେପରି ଆକାଶରୁ ପଡ଼ିଲେ ଲୀନାଦେବୀ ।

 

“ତା ହେଲେ... କ’ଣ କହିବାକୁ ଯାଇ କିଛି କହି ପାରୁ ନଥିଲେ । ଖାଲି ବକ୍ ବକ୍ କରି ଚାହିଁ ରହିଥିଲେ ।

 

ଏଥିରେ ଦୁଃଖ କରିବାର କିଛିନାହିଁ । ଆମର ଝିଅ ଅଛି, ତୁମ ଘରେ ପୁଅ ଅଛି । ଏମିତି କେତେ ପ୍ରସ୍ତାବ ଆସିବ ଯିବ । ହସି ହସି କହୁଥିଲେ ନୀୟତି ଦେବୀ ।

 

ଲୀନାଦେବୀ ଖାଲି ଅନାଉ ଥିଲେ ସ୍ଵାମୀ ଡାକ୍ତର ସମରଙ୍କୁ ଆଉ ନୀୟତି ଦେବୀଙ୍କୁ । ହୁଏତ ସେ ଖାଲି ଚାହୁଁ ଥିଲେ–କିନ୍ତୁ ତାଙ୍କର ସଂବିତ ନଥିଲା । “ଆସ ! ଘର ଭିତରକୁ ଆସ ।“

 

ଡାକ୍ତର ସମରଙ୍କ ଡାକରେ ସଂବିତ୍ ଫେରି ପାଇଲେ ଲୀନାଦେବୀ । ସେତେବେଳକୁ ଚକୋଲେଟ୍ ରଙ୍ଗର ଫିଆଟ ଗାଡ଼ିଟି ଆରୋହୀ ଦୁହିଁଙ୍କୁ ଧରି ଚାଲି ଯାଉଥିଲା ଦୂରକୁ ଦୂରକୁ ।

 

–ଛଅ–

 

ଖୁବ୍ ଅଳ୍ପ ଚେଷ୍ଟାରେ ଅପର ପକ୍ଷ ତା’ର କାର୍ଯ୍ୟ ହାସଲ କରି ଚାଲିଗଲା । ଆପଣ ଯେ ଏପରି ଭାବେ ହଠାତ୍ ଠକିଯିବେ ଏ ଧାରଣା ଅନ୍ତତଃ ମୋର ହୋଇ ନଥିଲା । ତା’ହେଲେ କ’ଣ ମୋର ସନ୍ଦେହ ସତ୍ୟରେ ପରିଣତ ହୋଇଛି ବୋଲି ଆପଣ ଅନୁମାନ କରୁଛନ୍ତି ।

 

ଆଉ କହିବାକୁ ଅଛି ? ଆପଣଙ୍କ ସହିତ ଯେତେବେଳେ ଭଦ୍ରଲୋକ ଆପଣଙ୍କ ସାନଭାଇଙ୍କ ବିବାହ ପ୍ରସଙ୍ଗ ପକାଇଥିଲେ ଠିକ ସେହି ସୁବିଧାରେ ଭଦ୍ର ମହିଳା ଘର ଭିତରକୁ ଯାଇ ସବୁ ରୁମ୍ ଗୁଡ଼ିକ ବୁଲି ଦେଖିବା ସଙ୍ଗେ ସଙ୍ଗେ ବିଭିନ୍ନ ବିଷୟରେ ଲୀନା ଦେବୀଙ୍କ ସଙ୍ଗରେ କଥାବାର୍ତ୍ତା ଛଳରେ ଆଲୋଚନା କରିଛନ୍ତି । ଆଉ ଲୀନା ଦେବୀ ନିବିର୍ବାଦରେ ଅନ୍ୟାନ୍ୟ କଥା ସଙ୍ଗରେ ଏକଥା ମଧ୍ୟ ପ୍ରକାଶ କରି ଦେଇଛନ୍ତି । ଆଉ ସେମାନେ ଦୃଢ଼ ନିଶ୍ଚିତ ହେଲେ ଯେ ତାରାମତୀ ନାମ୍ନୀ କୌଣସି ଯୁବତୀ ଏଠାକୁ ଆସି ନାହିଁ ବରଂ ଏହା ଆମମାନଙ୍କର ଗୋଟାଏ ଚାଲ୍-

 

ଆଚ୍ଛା ମଳୟ ବାବୁ ! ତା’ହେଲେ ବର୍ତ୍ତମାନ ଆଉ କ’ଣ କରା ଯାଇ ପାରିବ ? ବଡ଼ ଦୁଃଖିତ ଏବଂ ବ୍ୟସ୍ତ ହୋଇ କହୁଥିଲେ ଡାକ୍ତର ସମର ।

 

ଆପଣଙ୍କର କିଛି ଚିନ୍ତା କରିବାର ନାହିଁ ଡକ୍ଟର । ମୁଁ ଏହାପରର ଆବଶ୍ୟକୀୟ କାର୍ଯ୍ୟ ସୂଚୀ ତିଆରି କରୁଛି । ଆପଣ ଘରକୁ ବର୍ତ୍ତମାନ ଫେରି ଯାଆନ୍ତୁ । ଲୀନା ଦେବୀଙ୍କୁ ମଧ୍ୟ ବିରକ୍ତ ହୋଇ କିଛି କହିବେ ନାହିଁ । ସମୟ ସମୟରେ ମଣିଷର ଏମିତି ବି ଭୁଲ୍ ହୁଏ ।

 

To err is human…

 

ତା’ହେଲେ ମୁଁ ଯାଉଛି ?

 

ଉଠିଲେ ଚେୟାର ଉପରୁ ଡକ୍ଟର ସମର ।

 

ହଁ ଆପଣ ବର୍ତ୍ତମାନ ପାଇଁ ଯାଆନ୍ତୁ । ଆବଶ୍ୟକ ହେଲେ ମୁଁ ଆପଣଙ୍କୁ ନିଶ୍ଚୟ ଡାକିବି-। ହଁ, ଗଲାବେଳେ ଟିକେ ଥାନା ବାଟ ଦେଇ ଯାଇ ପାରିବେ କି ? ଇନିସ୍ ପେକ୍ଟର ନିହାର ବାବୁଙ୍କୁ ମୁଁ ଡାକୁଛି ବୋଲି କହି ଏଠାକୁ ପଠାଇ ଦିଅନ୍ତେ ।

 

ହଁ, ନିଶ୍ଚୟ ନିଶ୍ଚୟ । ମୁଁ ତାଙ୍କୁ ଡାକି ଦେଇଯିବି ।

 

ନମସ୍କାର ଆଦାନ ପ୍ରଦାନ ପରେ ଡକ୍ଟର ସମର ମଳୟ ବାବୁଙ୍କ ଠାରୁ ବିଦାୟ ନେଇ ଚାଲି ଗଲେ ।

 

ମଳୟ ବାବୁ କେସ ସମ୍ବନ୍ଧୀୟ କେତୋଟି ଫାଇଲ ଖେଳେଇବାକୁ ଲାଗିଲେ । ବିଭିନ୍ନ ଫାଇଲ ଦେଖୁଥିଲା ବେଳେ ତାଙ୍କ ମସ୍ତିଷ୍କରେ ପରିସ୍କାର ଭାବେ ଚିନ୍ତା ରେଖା ଗୁଡ଼ିକ ଫୁଟି ଉଠୁଥାଏ ।

 

ଏହି ସମୟରେ ଗୃହ ମଧ୍ୟକୁ ପ୍ରବେଶ କରିଛନ୍ତି ସହକାରୀ ଶଚୀକାନ୍ତ । ମଳୟ ବାବୁଙ୍କର ଏପ୍ରକାର ଅବସ୍ଥାକୁ ଲକ୍ଷ କରି ଚୁପ୍ ରହିବା ଠିକ୍ ବୋଲି ମନେ କଲେ ସେ । ସେ ଜାଣନ୍ତି ଏପରି ସମୟରେ ତାଙ୍କୁ ବିରକ୍ତ କଲେ ସେ ଭୀଷଣ ଭାବେ ଚିଡ଼ି ଉଠନ୍ତି । ଚେୟାରଟି ଉପରେ ବସି ରହିଲେ ଶଚୀକାନ୍ତ ।

 

ଘରଟିରେ ସମ୍ପୂର୍ଣ୍ଣ ନିରବତା ବିରାଜମାନ କରୁଥାଏ । କାହାରି ମୁହଁରେ ଭାଷା ନାହିଁ । କେବଳ ଫାଇଲ ଘାଣ୍ଟିବାର ଶବ୍ଦ...କିଛି ସମୟ ପରେ ମଳୟ ବାବୁ କଥା ଆରମ୍ଭ କଲେ–

 

ରିକ୍‍ସାବାଲାର ସନ୍ଧାନ ମିଳିଲା ?

 

ନା–ଏଯାଏ କୌଣସି ସନ୍ଧାନ ମିଳିନି । ମିଳିବାର ଆଶା ମଧ୍ୟ ଖୁବ୍ କମ୍ । ଏତିକି କହି ଚୁପ୍ ରହିଲେ ସେ ।

 

ତା’ହେଲେ...ତୁମେ ଯାଅ ବିଶ୍ରାମ ନିଅ । ମୁଁ ପରେ ସମ୍ବାଦ ଦେଲେ ଆସିବ ।

 

ମଳୟ ବାବୁଙ୍କ ନିର୍ଦ୍ଦେଶାନୁଯାୟୀ ଫେରିଲେ ଶଚୀକାନ୍ତ ବାବୁ ଏବଂ ନିଜ ଫାଇଲ ପତ୍ରରେ ମନୋନିବେଶ କଲେ ମଳୟ ବାବୁ ।

 

–ସାତ–

 

ଲାଲବାଗ ପୋଲିସ୍ ଷ୍ଟେସନର ଇନ୍‍ଚାର୍ଜ ଅଫିସର୍ ଇନିସ୍‍ପେକ୍‍ଟର ନିହାର ରଞ୍ଜନ ପଟ୍ଟନାୟକଙ୍କ ବାସ ଭବନ । ବହୁତ ରାତିରେ ଫେରି ମଳୟ ବାବୁଙ୍କ ବସାରୁ ଶୋଇଛନ୍ତି ଏଇ ଦି’ ଘଣ୍ଟା ଖଣ୍ଡେ ହେବ ସେ ଏବଂ ତାଙ୍କର ଧର୍ମ ପତ୍ନୀ ମଧୁମତୀ ଦେବୀ ।

 

ମଧୁମତୀ ଦେବୀଙ୍କୁ ବିବାହ କରିବା ମାତ୍ର ଦଶୋଟି ବର୍ଷ ହୋଇଛି । ଏଇ ଦଶ ବର୍ଷ ପରେ ମଧ୍ୟ ମଧୁମତୀ ଦେବୀ ନିହାର ବାବୁଙ୍କୁ ଏବଂ ନିହାରବାବୁ ମଧୁମତୀ ଦେବୀଙ୍କୁ ବିବାହର ପ୍ରଥମ ବର୍ଷର ସମସ୍ତ ଆକର୍ଷଣ ନେଇ ଭଲ ପାଉ ଥାନ୍ତି । ସତେ ଅବା ମଧୁମତୀ ଦେବୀ ଓ ନିହାରବାବୁ କେଉଁ ଏକ ବୃନ୍ତର ଦୁଇଟି ଚିରସତେଜ ଗୋଲାପ କଳି ।

 

ସେଥିରେ ନିସ୍ତେଜତା ନାହିଁ–ସେଥିରେ ମଳିନତା ନାହିଁ । ଅଛି କେବଳ ଚିରନ୍ତନ–ସବୁଜ ପ୍ରାଣର ଉତ୍‍ଫୁଲିତ ହୃଦୟ ।

 

ଏଇ ମଧୁମତୀ ଦେବୀ ତାଙ୍କ ଜୀବନ ଯୌବନର ପ୍ରଥମ ଏବଂ ଶେଷ କ୍ରୀଡ଼ା ସାଥି । କଲେଜ୍ ଜୀବନରେ ପ୍ରଥମେ ଦେଖା ଚାହାଁ । ତା’ପରେ ଘନିଷ୍ଟତା–ପରେ ପରେ ଭଲ ପାଇବା ।

 

ଏଇ ଭଲ ପାଇବାରୁ ବିବାହ–ଘର ସଂସାର–ଯାହାକିଛି । ମଧୁମତୀ ଦେବୀ ହିଁ ନିହାର ବାବୁଙ୍କ ଜୀବନ ମରୁରେ ଏକ ଚିତ୍ର ବିଚିତ୍ର ୱେସିସ୍–ଏକ ଚଳଚଞ୍ଚଳା ନିର୍ଝରଣୀ ।

 

କ୍ରିଂ... କ୍ରିଂ... କ୍ରିଂ...

 

ଶଯ୍ୟା ନିକଟସ୍ଥ ଫୋନର ଚିତ୍କାରରେ ନିହାର ବାବୁଙ୍କ ସୁଖ ସ୍ଵପ୍ନ ଭାଙ୍ଗିଗଲା । ଆଖି ମଳି ମଳି ଫୋନର ରିସିଭର ଧରିଲେ ସେ । ମୁହଁରେ କିଞ୍ଚିତ୍ ବିରକ୍ତି ଭାବ ଥିଲେ ମଧ୍ୟ ଏଯେ କର୍ତ୍ତବ୍ୟର ଡାକରା । ଗଳା ସଫା କରି ନେଇ ଫୋନ୍ ରେସ୍‍ପଣ୍ଡ କଲେ ନିହାର ବାବୁ ।

 

ହାଲୋ...ହାଲୋ...ମୁଁ ଲାଲବାଗ୍ ପୋଲିସଷ୍ଟେସନ୍ ର ଇନିସ୍‍ପେକ୍‍ଟର ନିହାର ରଞ୍ଜନ ପଟ୍ଟନାୟକ କହୁଛି ମୋ ରେସିଡ଼େନ୍‍ସରୁ । ଆପଣ କିଏ କହୁଛନ୍ତି ?

 

କ’ଣ କହିଲେ ? ମର୍ଡ଼ର କେଶ୍ ଗୋଟାଏ ଘଟିଛି ? କେଉଁଠି ? ଆପଣ କିଏ କହୁଛନ୍ତି-?

 

ପୁରୀଘାଟ ରୋଡ଼–କଟକ ୧ ରେ ? କ୍ଵାଟର ନମ୍ବର କେତେ କହିଲେ–5A/62...

 

କେତେବେଳେ ଏ ଘଟଣା ଘଟିଲା ? କ’ଣ ଆପଣମାନେ ସବୁ ଶୋଇ ଯାଇଥିଲେ-?

 

ରାତି ୩ଟାରେ ? ଗୁଳି କରା ଯାଇ ମର୍ଡ଼ର କରାଯାଇଛି ? ତା’ହେଲେ ମୁଁ ଖୁବ୍ ଶୀଘ୍ର ଯାଉଛି । ଆପଣଙ୍କ ନାମଟା କ’ଣ କହିଲେ ନାହିଁ ତ ?

 

ହାଲୋ...ହାଲୋ ଯାଃ ଫୋନ୍‍ଟା ସେପାଖରୁ ସେ ଛାଡ଼ି ସାରିଲେଣି । ବାଧ୍ୟ ହୋଇ ଫୋନଟି ହାତରୁ ଛାଡ଼ିଲେ ନିହାର ବାବୁ ।

 

“ତା’ହେଲେ କ’ଣ ତୁମେ ବର୍ତ୍ତମାନ ଯିବ ସେଠିକୁ ?”

 

ନିହାରବାବୁଙ୍କ ସ୍ତ୍ରୀ ମଧୁମତୀ ଦେବୀ ପଚାରୁଥିଲେ–

 

“ନଯିବାର କ’ଣ ଚାରା ଅଛି ? ମଣିଷ ଯେତେବେଳେ ଏ ଚାକିରି କରିଛି–ଦିନ କ’ଣ ରାତି କ’ଣ ଯେତେବେଳେ ଦରକାର ପଡ଼ିବ ଯିବାକୁ ହେବ ।”

 

କି ଚାକିରି କଲ ଯେ ଦିନ ନାହିଁ–ରାତି ନାହିଁ ସବୁବେଳେ ଖାଲି ଚୋର–ଡକାଏତ–ଖୁନୀ–ଦ୍ଵାଚୋରୀଙ୍କ କଥା । ଭଲ ନାହିଁ ମନ୍ଦ ନାହିଁ, ଦେହ ନାହିଁ ପାଆନାହିଁ ଖାଲି ଚାକିରି–ଖାଲି ଚାକିରି । ତୁମେ ଶୀଘ୍ର ଏ ଚାକିରି ଛାଡ଼ିଲ ! ଘରେ ରହି ଚାଷ ବାସ କଥାତ ବୁଝିଲେ ଆମ ପେଟ ଅପୋଷା ରହିବ ନାହିଁ ।”

 

ବିରକ୍ତି ପ୍ରକାଶ କରି କହୁଥିଲେ ମଧୁମତୀ ଦେବୀ । ମଧୁମତୀ ଦେବୀଙ୍କ ଏକଥା ଶୁଣି ଏକ କ୍ଷୀଣ ହସ ହସିଲେ ନିହାର ବାବୁ ।

 

“ତୁମେ ଯଦି ଏପରି କଥାକୁହ ତା’ହେଲେ ଗ୍ରାମର ଅର୍ଦ୍ଧଶିକ୍ଷିତ ସ୍ତ୍ରୀଲୋକ ମାନେ ଆଉ କ’ଣ କହିବେ । ଆମେ ଯଦି କର୍ତ୍ତବ୍ୟରେ ହେଳା କରିବା ବା ପରିଶ୍ରମକୁ ଡରିବା ତା’ହେଲେ ଦେଶର ଏପ୍ରକାର ଗୁରୁ ଦାୟିତ୍ଵ ପାଳନ ହେବ କିପରି ? ତୁମେ ତ ଦେଖିଲ କେତେଟା ବର୍ଷ ଚାକିରିରେ ମୁଁ ସବ୍‍ଇନିସ୍‍ ପେକ୍‍ଟର ରୁ ଇନିସ୍‍ ପେକ୍‍ଟର ପଦକୁ ଉନ୍ନତ୍ତି ହେଲି । କଷ୍ଟ କଲେ କୃଷ୍ଣ ମିଳେ । ତେଣୁ ମୁଁ ଯେ ସମୟ ଅସମୟ ବାଛ ବିଚାର ନକରି କାର୍ଯ୍ୟ କରି ପାରୁଛି ଏଥିରେ ତୁମର ଆନନ୍ଦ ପ୍ରକାଶ କରିବା କଥା–ମୋତେ ସାହାଯ୍ୟ–ପ୍ରେରଣା ଦେବା କଥା । ନା’ କ’ଣ କହୁଚ” ?

 

ନିହାର ବାବୁ ବୁଝାଇବା ଭଙ୍ଗୀରେ କହିଗଲେ ଏତିକି ।

 

“ହେଉ ତୁମ ଇଚ୍ଛା ଯାହା ହେଉଛି ତାହା କର ମୁଁ କାହିଁକି ତୁମକୁ ବାଧା ଦେବି ।”

 

ଟିକିଏ ଅଭିମାନିଆ ସ୍ଵରରେ କହିଲେ ମଧୁମତୀ ଦେବୀ ।

 

“ହେଉ, ମୁଁ ଫେରିଲେ ତୁମର ଏ ଅଭିମାନ ଭାଙ୍ଗିବ । ମୁଁ ଡ୍ରେସ୍‍ଟା ପିନ୍ଧୁ ପିନ୍ଧୁ ତୁମେ କପେ କଫି ତିଆରି କରିଦେଲ” ।

 

ବିଛଣା ଛାଡ଼ିଲେ ନିହାର ବାବୁ । ତାଙ୍କ ପଛେ ପଛେ ମଧ୍ୟ ବିଛଣା ଛାଡ଼ିଲେ ମଧୁମତୀ ଦେବୀ ।

 

କାନ୍ଥ ଘଣ୍ଟାକୁ ଚାହିଁଲେ ସେ ଚାରିଟା ବାଜିବାକୁ ଆଉ ମାତ୍ର ୫ମିନିଟ ବାକି ।

 

–ଆଠ–

 

ଆପଣ ତା’ହେଲେ କହୁଛନ୍ତି ନିହାର ବାବୁ ଏ ଖୁନ୍ ଅମିତାଭଙ୍କ ଦ୍ଵାରା ସଙ୍ଗଠିତ ହୋଇଛି ?

 

ସମସ୍ତ ଘଟଣା ନିହାର ବାବୁଙ୍କ ଠାରୁ ଶୁଣି ସାରିଲା ପରେ ପ୍ରଶ୍ନ କଲେ ମଳୟ ବାବୁ ।

 

ନା–ମୁଁ ଯଦିଓ କହୁନାହିଁ ତଥାପି ପ୍ରମାଣ କହୁଛି । ଅବଶ୍ୟ ପ୍ରତ୍ୟେକ୍ଷ ଭାବେ କିଛି ପ୍ରମାଣ ଅମିତାଭ ବାବୁଙ୍କ ବିରୁଦ୍ଧରେ ନହିଁ । ତଥାପି ତାଙ୍କୁ ଏଥିରୁ ମୁକ୍ତ କରାଯାଇ ପାରେ ନା ଏବଂ ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ବିରୁଦ୍ଧରେ ମଧ୍ୟ ପ୍ରମାଣ ନାହିଁ । ତେଣୁ... ତେଣୁ ଅମିତାଭ ବାବୁଙ୍କୁ ଦୋଷୀ ବୋଲି କୁହାଯିବ । ନା କ’ଣ କହୁଛନ୍ତି ନିହାର ବାବୁ ?

 

ନିହାର ବାବୁଙ୍କ କଥାକୁ ଛଡ଼ାଇ ପ୍ରଶ୍ନ କଲେ ମଳୟ ବାବୁ ।

 

Exactly.

 

ନିହାର ବାବୁ ଏହି ସଂକ୍ଷିପ୍ତ ଉତ୍ତରଟି ଦେଇ ଚୁପ ରହିଲେ ।

 

ଆପଣଙ୍କୁ ପ୍ରଥମେ କିଏ ସେ ଫୋନରେ ଏବିଷୟରେ ଅବଗତ କରାଇଥିଲା ଜାଣି ପାରିଲେ ?

 

ନା–ତାଙ୍କର କୌଣସି ପରିଚୟ ଦେବାକୁ ମୁଁ ଚାହିଁବା ପୂର୍ବରୁ ସେ ଫୋନ୍ ଛାଡ଼ି ସାରିଥିଲେ । ପୁରୀଘାଟ ରୋଡ଼ର ନିର୍ଦ୍ଦିଷ୍ଟ ଘର 5A/62 ରେ ମୁଁ ଯାଇ ଯେତେବେଳେ ପହଞ୍ଚିଲି ସେତେବେଳେ କୌଣସି ଜୀବିତ ବ୍ୟକ୍ତି ଉପସ୍ଥିତ ନଥିଲେ । କେବଳ ମାତ୍ର ଏକ ମୃତ ତରୁଣୀଙ୍କୁ ଆବିଷ୍କାର କଲି ।

 

ମର୍ଡ଼ରର ଆକାର କି ପ୍ରକାର ଥିଲା ? ସେହିପରି ଅର୍ଦ୍ଧନିମଳିତ ଚକ୍ଷୁରେ ପ୍ରଶ୍ନ କରୁଥିଲେ ମଳୟ ବାବୁ ।

 

ଦୁଇଟି ଗୁଳି ତରୁଣୀଙ୍କ ପିଠିରେ ଆଘାତ କରାଯାଇଛି । ଲାସ୍‍ର ପୋଜିସନ୍‍ରୁ ଯାହା ମାଲୁମ ହୁଏ ଅତି ଅତର୍କିତ ଭାବେ ତରୁଣୀଙ୍କୁ ହତ୍ୟା କରାଯାଇଛି । ପୋଷ୍ଟ ମର୍ଟମ ରିପୋର୍ଟରୁ ପ୍ରକାଶ ଯେ ତରୁଣୀଙ୍କର ଜୀବନ ଗୁଳି କରାଯାଇ ଅପହରଣ କରାଯାଇଛି ।

 

ତରୁଣୀଙ୍କ ସମ୍ବନ୍ଧରେ କୌଣସି ପରିଚିତି ମିଳିଲା ?

 

ନାଁ । ଆଖପାଖର କୌଣସି ବ୍ୟକ୍ତି ଏ ତରୁଣୀଙ୍କୁ ଚିହ୍ନିବାକୁ ସକ୍ଷମ ହୋଇ ପାରୁ ନାହାଁନ୍ତି-। ତାଙ୍କ ଗଳାରେ ଥିବା ଲକେଟ୍ ରୁ ଜଣାଯାଏ ଯେ ତରୁଣୀଙ୍କ ନାମ ‘ବାସନ୍ତୀ’ ।

 

ମୃତ୍ୟୁ କାଳୀନ ଫଟୋଟିଏ ବାହାର କରି ମଳୟ ବାବୁଙ୍କ ହାତକୁ ବଢ଼ାଇ ଦେଲେ ଇନିସ୍‍ପେକ୍‍ଟର ନିହାର ବାବୁ ।

 

ମଳୟ ବାବୁ ଫଟୋଟିକୁ ନେଇ ଦେଖିଲେ ୨୦–୨୨ ବର୍ଷର ଜଣେ ତରୁଣୀ । ଦେହର ସ୍ୱାସ୍ଥ୍ୟ ସହିତ ଶାରୀରିକ ସୌନ୍ଦର୍ଯ୍ୟ ମନ୍ଦ ନଥିଲା । ଯେ କେହି ଜଣେ ଯୁବକଙ୍କୁ ଆକର୍ଷିତ କରିବା ପାଇଁ ଯେତିକି ରୂପ ଯୌବନ ଆବଶ୍ୟକ ତା’ଠାରୁ କୌଣସି ଗୁଣରେ କମ୍ ନଥିଲା ଯୁବତୀଙ୍କ ଦେହରେ ।

 

ଆଉ କୌଣସି Evidence ?

 

ଏକମାତ୍ର ଡାଏରୀଟିଏ ବ୍ୟତୀତ ଆଉ କିଛି ମିଳିଲା ନାହିଁ । ଡାଏରୀଟି ସ୍ଵୟଂ ଅମିତାଭ ବାବୁଙ୍କର । ପକେଟରୁ ଗୋଟିଏ ଡାଏରୀ ବାହାର କରି ଥୋଇଲେ ନିକଟସ୍ଥ ଟେବୁଲ୍ ଉପରେ ।

 

ପୁଣି କହିଲେ ସେ––ନିକଟସ୍ଥ ଗୃହବାସିମାନଙ୍କୁ ପଚାରିବାରୁ ସେମାନେ କହିଲେ ଯେ ଅମିତାଭ ବାବୁ 5A/62 ଗୃହର ମାଲିକ । ତାଙ୍କ ବ୍ୟତୀତ ସେ ଗୃହରେ ଗୋଟିଏ ଚାକର ପିଲା ରହୁଥିଲା । ମଝିରେ ମଝିରେ (ଅଧିକାଂଶ ସମୟରେ) ଜଣେ ୨୨–୨୩ ବର୍ଷର ଯୁବତୀ ସେ ଘରକୁ ଆସୁଥିଲେ । ବୋଧହୁଏ ଦୁହେଁ ଦୁହିଙ୍କୁ ଭଲ ପାଉଥିଲେ ।

 

ମୃତ ତରୁଣୀ କ’ଣ ସେହି ଯୁବତୀ ? ପ୍ରଶ୍ନ କଲେ ମଳୟ ବାବୁ ।

 

ନା । ମୃତ ତରୁଣୀଙ୍କୁ କୌଣସି ବ୍ୟକ୍ତି ଚିହ୍ନି ପାରିଲେ ନାହିଁ । ଏପରି କି କେବେ ଦେଖି ନାହାଁନ୍ତି ବୋଲି ମଧ୍ୟ କହିଲେ ।

 

ହୁଁ ।

 

ଗମ୍ଭୀର ଭାବେ କହିଲେ ମଳୟ ବାବୁ ।

 

ତା’ହେଲେ...

 

କ’ଣ କହି ଆସୁଥିଲେ ଇନିସ୍‍ପେକ୍‍ଟର କିନ୍ତୁ କଥା ଛଡ଼ାଇ ନେଲେ ମଳୟ ବାବୁ–

 

ଆପଣ ତେବେ ବର୍ତ୍ତମାନ ଆସନ୍ତୁ । ନିହାର ବାବୁ ! ମୁଁ ଏ ବିଷୟରେ କିଛି ସମୟ ଚିନ୍ତାକରି ସାରିଲା ପରେ ଆପଣଙ୍କୁ ଦେଖାକରି ଯାହା କରିବାର କଥା କହିବି । ଯଦି ଆପଣଙ୍କର ଆପତ୍ତି ନଥାଏ ତା’ହେଲେ ଏ ଡାଏରୀଟି ମୋ ପାଖରେ ମୁଁ ରଖୁଛି ।

 

ନା–ନା–ମୋର କିଛି ଆପତ୍ତି ନାହିଁ । ଆପଣ ଖୁସିରେ ଏ ଡାଏରୀ ସହିତ ଏ ଫଟୋଟି ମଧ୍ୟ ରଖି ପାରନ୍ତି ।

 

ଚେୟାରରୁ ଉଠୁ ଉଠୁ କହିଲେ ଇନିସ୍‍ପେକ୍‍ଟର ନିହାର ବାବୁ ।

 

ମଳୟ ବାବୁ ଡାଏରୀଟି ଖୋଲି ନିଜର ତୀକ୍ଷଣ ଦୃଷ୍ଟି ବୁଲାଇବାକୁ ଲାଗିଲେ । ରଞ୍ଜନ ରଶ୍ମି ଯେପରି ଦେହର ଯେ କୌଣସି ଆଭ୍ୟନ୍ତରୀଣ ଅଂଶକୁ ପରିଷ୍କାର ରୂପେ ଦେଖାଇ ପାରେ ସେହିପରି ମଳୟ ବାବୁ ଚାହୁଁଥିଲେ ଯେପରି ଡାଏରୀକୁ ଟିକିନିଖି କରି ଦେଖିନେବେ ।

 

କଲିଂ ବେଲ୍ ରେ ହାତ ଦେଲେ ମଳୟ ବାବୁ ।

 

ରତନା ନାହିଁ–କ’ଣ କହୁଥିଲ ?

 

ଗୃହ ମଧ୍ୟକୁ ପ୍ରବେଶ କରି କହିଲେ ଶଚୀକାନ୍ତ ବାବୁ । ନା–କିଛି କହିବାର ନାହିଁ । ମୁଁ ତୁମକୁ ଡାକୁଥିଲି । ବସ । ମୁଁ ଏ ଡାଏରୀଟି ପଢ଼ୁଛି ଶୁଣ ! ଏବଂ ଆବଶ୍ୟକ ସ୍ଥଳେ ନୋଟ୍ କରି ରଖ-

 

ଶଚୀକାନ୍ତ ବାବୁ ଖାତା ପେନ୍‍ସିଲ୍‍ ଧରି ବସିଲେ ମଲୟ ବାବୁଙ୍କ ସମ୍ମୁଖ ଚେୟାରରେ ।

 

–ନଅ–

 

ମଳୟ ବାବୁ ହସି ହସି ଫାଟି ପଡ଼ୁଥିଲେ ପୁଷ୍ପା ବନାର୍ଜୀଙ୍କ କଥୋପକଥନ, ଚକ୍ଷୁଚାଳନା, ଅଙ୍ଗଭଙ୍ଗୀ ଏବଂ ସର୍ବୋପରି ଲିପ୍‍ଷ୍ଟିକ ବୋଳା ଅଧରର ଦରଦର ହାସ୍ୟ ରୋଳରେ ।

 

ପୁଷ୍ପା ବାନାର୍ଜୀ । ଜଗତ ବନ୍ଧୁ ଷ୍ଟିଲ ଫେକ୍ଟ୍ରିର ଜେନେରାଲ ମେନେଜର ସୁବ୍ରତ ବାବୁଙ୍କ ପର୍ସନାଲ ଆସିଷ୍ଟାଣ୍ଟ । ବୟସ ୨୪–୨୫ରୁ ବେଶୀ ହେବ ବୋଲି ମନେହୁଏନା । ଦେହର ପୁରିଲା ପୁରିଲା ସ୍ଵାସ୍ଥ୍ୟ ସହିତ ଦୁଧ ଓ ଅଳତା ରଙ୍ଗର ଚେହେରା ବେଶ ଉପଭୋଗ୍ୟ । ଆହୁରି ଅଧିକ କରି ଆକର୍ଷଣ କରିବାର ଚେଷ୍ଟା ଯେ ତରୁଣୀଙ୍କର ନାହିଁ ତାହା କହି ହେବ ନାହିଁ । ସ୍ନୋ, ପାଉଡର, ଇଭିନିଂଇନ୍ ପ୍ୟାରିସର ଏସେନ୍‌ସ ସହିତ ଗୋଲାପି ଟେରେଲିନ୍ ଶାଢ଼ୀ ଓ ସ୍କାଇ ରଙ୍ଗର ସ୍ନିପ୍‍ଲେସ୍‍ ଛାତିକଟା ବ୍ଲାଉଜ୍‍ ବେଶ୍ ମେଚ୍‍ କରିଛି । ଦେହ ଉପରୁ କେତେକାଂଶ ଲୁଗା ତଳକୁ ଖସିଯାଇଛି ବକ୍ଷର କେତେକ ଲୋଭନୀୟ ଅଂଶକୁ ଅନାବୃତ କରି ।

 

ହସିବା ମଧ୍ୟରେ ବି ଯୁବତୀଙ୍କ ଉଗ୍ର ଆଧୁନିକତାକୁ ମନେ ମନେ ବିଶ୍ଳେଷଣ କରୁଥିଲେ ମଳୟ ବାବୁ ।

 

ବେଶ୍ କୁହନ୍ତୁ ମୁଁ ଆପଣଙ୍କ ପାଇଁ କ’ଣ କରିପାରେ ?

 

ଆପଣ ସବୁକଥା ଶୁଣି ଯାଆନ୍ତୁ ! ତା’ପରେ କ’ଣ କରିପାରିବେ ବା କରାଯାଇ ପାରେ ଚିନ୍ତା କରିବେ ।

 

ଗଳା ଟିକିଏ ସଫା କରିନେଇ କଥା ଆରମ୍ଭକଲେ ପୁଷ୍ପା ଦେବୀ । ଆପଣ ତ ବସ୍ ଆଇ ମିନ୍ ସୁବ୍ରତ ବାବୁଙ୍କ ଚିଠି ପଢ଼ିଲେ । ସେ ବି ଏଥିପାଇଁ ଟିକିଏ ବିବ୍ରତ ହୋଇ ପଡ଼ିଛନ୍ତି । ନିତ୍ୟାନ୍ତ ଜରୋରୀ କାର୍ଯ୍ୟ ନଥିଲେ ସେ ନିଜେ ଆସିଥାନ୍ତେ ଆପଣଙ୍କ ପାଖକୁ ପରାମର୍ଶ କରି ସାହାଯ୍ୟ ଲୋଡ଼ିବାକୁ ।

 

ହେଉ କ’ଣ ପ୍ରକୃତ ଘଟଣାଟା କୁହନ୍ତୁ । ଚିଠିରେ ତ ଲେଖା ଯାଇଛି ‘ମୁଁ ବିଶେଷ ଅସୁବିଧାରେ ପଡ଼ି ଯାଇଛି । ପୁଷ୍ପାଙ୍କୁ ପଠାଇଲି ସମସ୍ତ ଘଟଣା ତାଙ୍କ ଠାରୁ ଶୁଣି ଆବଶ୍ୟକୀୟ ପରାମର୍ଶ ଦେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ବିଶେଷ ଅନୁରୋଧ ।’

 

ହଁ, ଘଟଣା କ’ଣ କି ଜଗତ୍‍ବନ୍ଧୁ ଷ୍ଟିଲ ଫେକ୍ଟ୍ରିର ଜଣେ ଲେଡ଼ି ଟାଇପିଷ୍ଟ ଆଜକୁ ଦୁଇଦିନ ହେବ କୁଆଡ଼େ ଅର୍ନ୍ତଦ୍ଧାନ ହୋଇଛନ୍ତି । ଯେତେ ଖୋଜ ଖବର ନିଆଗଲେ ବି ତାଙ୍କର କୌଣସି ପତ୍ତା ମିଳୁନି ।

 

ଆମେ ତ ପବ୍ଲିକ ସେକ୍ଟରରେ ବିଜନେସ୍ କରୁଛୁ । ଯଦି ଏକଥା ପ୍ରଚାରିତ ହୋଇଯାଏ ଅନ୍ତତଃ ଆଉ କିଛି ହେଉ ବା ନହେଉ ଆମ ଫେକ୍‌ଟେରୀର ବଦ୍‌ନାମ ହେବ–ବିଜ୍‍ନେସରେ ଆଞ୍ଚ ଆସିବ । ଅନ୍ତତଃ ଆମକୁ ଏ ବଦନାମରୁ କୌଣସି ପ୍ରକାର ରକ୍ଷାକରିବାର ବ୍ୟବସ୍ଥା କରନ୍ତୁ ! ଅର୍ଥାତ୍...

 

ଅର୍ଥାତ୍ ଆପଣ କହିବାକୁ ଚାହୁଁଛନ୍ତି କୌଣସି–ମତେ ଆପଣଙ୍କ ଲେଡ଼ି ଟାଇପିଷ୍ଟକୁ ଖୋଜି ବାହାର କରିବାକୁ–ଏଇୟା ନାଁ ? ମିସ୍ ପୁଷ୍ପାଙ୍କ କଥା ଛଡ଼ାଇ ନେଇ କହିଲେ ମଳୟ ବାବୁ ।

 

ହଁ ସେଇଆ–କିମ୍ବା ... ଜାଣି ଜାଣି କଥାଅଧା କରି ଚୁପ ରହିଲେ ପୁଷ୍ପା ବାନାର୍ଜୀ । ମଳୟବାବୁ ମଧ୍ୟ ମାର୍କ କରିଥିଲେ ଏ ପ୍ରକାର କିମ୍ବା କହି ହଠାତ୍ ଚୁପ୍ ରହିବାଟାକୁ । ତେଣୁ ସେ ନିଜ ଆଡ଼ୁ ଏ ପ୍ରଶ୍ନର ପୁନରାବୃତ୍ତି କଲେ–

 

କ’ଣ କହୁ କହୁ ଅଟକି ଗଲେ ? କୁହନ୍ତୁ ! କିମ୍ବା...

 

ନା–ମୁଁ କ’ଣ କହୁଥିଲି କି..ଯଦି ତାକୁ ଖୋଜି ବାହାର କରିବା ସମ୍ଭବ ନହୁଏ ତା’ହେଲେ…କ’ଣ କରାଯିବ ?

 

ହୁଁ... ଟିକିଏ ଗମ୍ଭୀର ହୋଇ ଚିନ୍ତାକଲେ ମଳୟ ବାବୁ ।

 

‘ହଁ ସେଇଆ କିମ୍ବା...ଯଦି ଖୋଜି ବାହାର କରିବା ସମ୍ଭବ ନହୁଏ ତା’ହେଲେ କ’ଣ କରାଯିବ ?’...

 

ନା–ଏ କଥାତ ଖାପ ଖାଉନି... ନିଶ୍ଚୟ ଅନ୍ୟ କିଛି କହିବାକୁ ଚାହୁଁଥିଲେ କିନ୍ତୁ କଥାଟା ବଦଳାଇ ଦେଲେ—କିନ୍ତୁ କଥାଟା ବଦଳାଇବାର କାରଣ କ’ଣ ହୋଇପାରେ ? ଆଚ୍ଛା... ଦେଖାଯାଉ ।

 

ଦୀର୍ଘନିଶ୍ଵାସଟିଏ ତ୍ୟାଗ କଲେ ମଳୟ ବାବୁ ।

 

ହଁ ଆପଣ କ’ଣ କହୁଥିଲେ–ଯଦି ତାଙ୍କର ଖୋଜ ଖବର ନ ମିଳେ ତା’ହେଲେ କ’ଣ କରିବାକୁ ହେବ ବୋଲି ଆପଣ ଚିନ୍ତା କରୁଥିଲେ ?

 

ନା...ନା... ମୁଁ ସେମିତି କିଛି ଚିନ୍ତା କରୁନଥିଲି... ମାନେ ମୁଁ ଚାହୁଁଥିଲି, ଯଦି ଖୋଜି ବାହାରକରିବା ସମ୍ଭବ ନହୁଏ ତା’ହେଲେ କ’ଣ କଲେ ଅନ୍ତତଃ ଆମ ଫେକ୍ଟ୍ରିର ମାନ–ଇଜ୍ଜତ ରହିଯିବ ।

 

ହଁ ସେଇ ପରିପ୍ରେକ୍ଷୀରେ କ’ଣ କଲେ ଭଲ ହେବ ବୋଲି ଆପଣ ଅନୁମାନ କରୁଛନ୍ତି ମୁଁ ଜାଣିବାକୁ ଚାହୁଁଛି ।

 

ମାନେ–ମାନେ–ମୁଁ କ’ଣ କହିବି । ମୁଁ...

 

ହଁ କୁହନ୍ତୁ ! ଆପଣଙ୍କ ଚିନ୍ତାଧାରାଟା ପ୍ରକାଶ କରନ୍ତୁ । ମୁଁ ମିଳାଇ ଦେଖିବି କେତେଦୂର ଆମ ପକ୍ଷରେ ସୁବିଧା ଜନକ ହେଉଛି ।

 

ମୁଁ ଭାବୁଥିଲି ଯଦି ଖୋଜି ବାହାର କରିବା ନିହାତି ଅସମ୍ଭବ ହୁଏ ତା’ହେଲେ ତା’ର ଅପମୃତ୍ୟୁ ହୋଇଛି ବୋଲି ସ୍ଵୀକାର କରାଯାଇ ପାରେ–କିନ୍ତୁ ଫେକ୍ଟ୍ରିର ସମ୍ମାନରେ ଯେପରି କିଛି ଆଞ୍ଚ୍‍ ନଆସେ ।

 

ଖୁବ୍ ଡରି ଡରି ଯେପରି କହିଲେ ମିସ୍ ବାନାର୍ଜୀ ।

 

ଓଃ ଏଇକଥା । ଖୁବ୍ ସହଜ ଭାବରେ ଯେପରି ଏକଥା ଗୁଡ଼ାକୁ ଗ୍ରହଣ କରିଛନ୍ତି ମଳୟ ବାବୁ ।

 

ହଁ । ଆପଣ ଏତିକ ପ୍ରମାଣିତ କରିଦେଲ ଆମ ପକ୍ଷରେ ଯଥେଷ୍ଟ ହେବ । ଏଥିପାଇଁ ଯେତେ ଖର୍ଚ୍ଚ ହେଉ ବରଂ ଆମର ତିଳେ ହେଲେ ଦ୍ଵିଧା ନାହିଁ ବୋଲି ବସ୍‌ କହିଛନ୍ତି ।

 

ଆଚ୍ଛା–ସେ କଥା ମୁଁ ଟିକିଏ ଚିନ୍ତାକରି ପରେ କହିବି । ତା’ଛଡ଼ା ତାଙ୍କୁ ବାହାର କରିବା ପାଇଁ ଆମର ଗୋଟାଏ ଶେଷ ଚେଷ୍ଟା ହୋଇ ଯାଉ । ନା କ’ଣ କହୁଛନ୍ତି ?

 

ହଁ ଆମେ ମଧ୍ୟ ଠିକ୍ ସେଇଆ ଚାହୁଁଥିଲୁ । ଯଦି ବାସନ୍ତୀର ସନ୍ଧାନ ମିଳିଲା ଖୁବ୍ ଭଲ–ନହେଲେ ...

 

ବାସନ୍ତୀ ? ଏହି ବାସନ୍ତୀ ପୁଣି କିଏ ? ପ୍ରଶ୍ନ କଲେ କିଞ୍ଚିତ ବ୍ୟଗ୍ରତା ସହିତ ମଳୟ ବାବୁ-

 

ସେଇ ଲେଡ଼ି ଟାଇପିଷ୍ଟର ନାମ ବାସନ୍ତୀ ।

 

ଓଃ...ତା’ହେଲେ ତରୁଣୀଙ୍କ ନାମ ବାସନ୍ତୀ । ଟିକିଏ ରହି ପୁଣି ଆରମ୍ଭ କଲେ ମଳୟ ବାବୁ ।

 

ଆଚ୍ଛା ମିସ୍ ବାନାର୍ଜୀ ! ଆପଣ ସେ ବାସନ୍ତୀ ଦେବୀଙ୍କୁ ସ୍ଵଚକ୍ଷୁରେ କେବେ ଦେଖିଛନ୍ତି ?

 

ହଁ । ଏକା ଫାର୍ମରେ ଚାକିରି କରିଛୁ ଯେତେବେଳେ ଆଉ ନଦେଖିବି କିପରି । ପ୍ରତିଦିନ ଦେଖା ଚାହାଁ–କଥା ବାର୍ତ୍ତା ଇତ୍ୟାଦି ।

 

ବେଶ୍–ତା’ହେଲେ ମୋର ଅଳ୍ପ କେତୋଟି ସାଧାରଣ ପ୍ରଶ୍ନର ଉତ୍ତର ଦେବାକୁ ଆପଣ ନିଶ୍ଚିତ ରୂପେ କୁଣ୍ଠିତ ହେବେନି ବୋଲି ମୋର ଆଶା ।

 

ନା କୁଣ୍ଠିତ ହେବି କାହିଁକି ? ଯାହା ଜାଣିଥିବି ସବୁ କହିବାକୁ ରାଜି ଅଛି । ପଚାରନ୍ତୁ କ’ଣ ପଚାରିବାକୁ ଚାହୁଁଛନ୍ତି ।

 

ଆଚ୍ଛା ବାସନ୍ତୀ ଦେବୀଙ୍କ ବୟସ ଓ ଚେହେରା ସମନ୍ଧରେ ଆପଣ କ’ଣ ଜାଣିଛନ୍ତି କହିଲେ–

 

ବାସନ୍ତୀର ବୟସ ଯଦିଓ ମୁଁ ସଠିକ ରୂପେ ଜାଣିନି ତଥାପି ୨୨–୨୩ ବର୍ଷ ଅର୍ଥାତ୍ ମୋର ସମ ବୟସୀ ହେବ ବୋଲି ଅନୁମାନ କରା ଯାଇ ପାରେ । ଆଉ ଚେହେରା ସମନ୍ଧରେ କହିବାକୁ ଗଲେ–ବେଶ ଭଲ । ସାଧାରଣ ଆବଶ୍ୟକୀୟ ସ୍ଵାସ୍ଥ୍ୟ, ଗୌରବର୍ଣ୍ଣ ଏବଂ ଶାରିରୀକ ଗଠନ ତା’ର ଯାହା ଯେକୌଣସି ଜଣେ ଯୁବତୀ ପକ୍ଷରେ ତାହା ହିଁ ଯଥେଷ୍ଟ ରୂପ ଲାବଣ୍ୟ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଉଚ୍ଚତା ଅନ୍ତତଃ 5 ଫୁଟ୍ ହେବ ।

 

ଆଚ୍ଛା ଆଉ ଗୋଟିଏ ପ୍ରଶ୍ନର ଉତ୍ତର ମୋର ଦରକାର ।

 

ହଁ ଗୋଟିଏ କାହିଁକି— କୋଟିଏ ପଚାରନ୍ତୁ । ମୋର କିଛି ଆପତ୍ତି ନାହିଁ ହସି ହସି କହିଲେ ମିସ୍ ପୁଷ୍ପା ।

 

ବାସନ୍ତୀ ଦେବୀଙ୍କ ଘର ଠିକଣା ବା ତାଙ୍କର ଏ ସହରରେ ଥିବା କୌଣସି ବନ୍ଧୁ ବାନ୍ଧବଙ୍କ ସମ୍ପର୍କରେ କିଛି ଜାଣନ୍ତି କି ? ଅନ୍ତତଃ ସେ ଯାହାଘରକୁ ଯିବା ଆସିବା କରୁଥିବେ ।

 

ନା–ସେ ପ୍ରକାର ସମ୍ବାଦ ମୁ ବିଶେଷ କିଛି ଜାଣି ନାହିଁ । କିମ୍ବା ଜାଣିବାକୁ ବିଶେଷ ଚେଷ୍ଟା କରି ନାହିଁ... । ତଥାପି...

 

ତଥାପି ?

 

ତଥାପି ଏତିକି ଜାଣେ ଯେ ତା’ର କୌଣସି ବ୍ୟକ୍ତିଙ୍କ ସହ କିଛି ନା କିଛି ସମ୍ପର୍କ ଥିଲା ଏବଂ ସେ ମଝିରେ ମଝିରେ ଏ ସହରରେ ଥାଇ ସୁଦ୍ଧା ବି ଅଫିସ୍‌ ଆସୁ ନଥିଲା । ବେଳେ ବେଳେ ପୁରୀଘାଟ ରୋଡ଼ ଆଡକୁ ଯିବାର ଏବଂ ପୁରୀଘାଟ ରୋଡ଼ ଆଡ଼ୁ ଆସିବାର ମୁଁ ଦେଖିଛି ।

 

ମେନି ମେନି ଥ୍ୟାଙ୍କସ୍ ଟୁ ଇଉ । ଆପଣ ଆଜି ପାଇଁ ଯାଆନ୍ତୁ । ମୁଁ ପରେ ଆବଶ୍ୟକ ବେଳେ ଡାକିଲେ ଆସିବେ । ଆପଣ ଆମକୁ ସାହାଯ୍ୟ ନକଲେ ଆମେ ଆପଣଙ୍କୁ ସାହାଯ୍ୟ କରିବା ସମ୍ଭବ ନୁହେଁ ।

 

ନିଶ୍ଚୟ–ନିଶ୍ଚୟ । ଆମେ ଆପଣଙ୍କୁ ସବୁ ମତେ ସାହାଯ୍ୟ କରିବାକୁ ସଦା ସର୍ବଦା ପ୍ରସ୍ତୁତ ।

 

ମୁଁ ମଧ୍ୟ ଠିକ୍ ସେଇଆ ଆପଣଙ୍କଠାରୁ ଆଶା କରୁଥିଲି । ଆଚ୍ଛା, ଠିକ୍ ଅଛି । ଆପଣ ବର୍ତ୍ତମାନ ପାଇଁ ଯାଆନ୍ତୁ । ...ହଁ ଯିବା ପୂର୍ବରୁ ଆପଣଙ୍କ ମେନେଜରଙ୍କ ରେସିଡେନ୍‌ସ ଓ ଅଫିସ ଫୋନ୍ ନମ୍ବର ଦୁଇଟି କହି ଯାଆନ୍ତୁ ।

 

ଅଫିସ–ଟୁ ଫାଇଭ ଡବଲ ଥ୍ରୀ । ରେସିଡେନସ୍–ଲଙ୍ଗ୍‍ରିଂ । ନିଜ ଡାଏରୀର କୌଣସି ଏକ ପୃଷ୍ଠାରେ ଟିପିରଖିଲେ ମଳୟ ବାବୁ ।

 

ନମସ୍କାର ଆଦାନ ପ୍ରଦାନ ପରେ ନିଜର ଆସନ ତ୍ୟାଗ କରି ହାଇହିଲ୍ ସ୍ଳିପର୍ ଘୋସାରି ଘୋସାରି ମିସ୍ ବାନାର୍ଜୀ ମଳୟ ବାବୁଙ୍କ ବାସ ଗୃହ ତ୍ୟାଗ କଲେ ।

 

ସେ ଯିବା ପ୍ରରେ ଅର୍ଦ୍ଧନିମିଳିତ ନୟନରେ ଖୁବ୍ ଗୁରୁତର ଭାବେ ଚିନ୍ତା କରିବାକୁ ଲାଗିଲେ ମଳୟ ବାବୁ ।

 

ଏହିପରି କେତେ ସମୟ ଯେ କଟି ଯାଇଛି ତାଙ୍କର ଆଦୌ ଖିଆଲ ନାହିଁ । ରତନାର ଡାକରେ ତାଙ୍କର ଚିନ୍ତାରାଶି ଛିନ୍ନ ହେଲା ।

 

ବାବୁ । ଆପଣ ସେତିକିବେଳୁ ଏଠାରେ ଏଇମିତି ବସିଛନ୍ତି ଆସି ରାତିହେଲାଣି । ଲାଇଟ୍‍ଟା ଅନ୍ କଲା ସେ ।

 

ହଁ ତୁ ଠିକ୍ ସମୟରେ ଆସି ଡାକିଛୁ । ନହେଲେ ମୋର ଗୋଟାଏ ଜରୁରୀ କାମ ମାଟି ହୋଇ ଯାଇଥାନ୍ତା । ଇତ୍ୟବସରେ ଲୁଗାପଟା ବଦଳାଉ ଥିଲେ ମଳୟ ବାବୁ ।

 

ଜଳଖିଆ ନଖାଇ କୁଆଡ଼େ ବାହାରିଲେଣି ?

 

ନା— ଭୋକ ଲାଗୁନି । ମୁଁ କିଛି ଖାଇବିନି । ଯଦି ଶଚୀ ଆସେ ତାକୁ କହିବୁ ସେ ତା’କାମରେ ଯିବ । ଯଦି ଦରକାର ପଡ଼େ ସେଠାରେ ସେ ଆଜି ରାତିଟା ମଧ୍ୟ ରହିଯିବ । ଆଉ ପୁଷ୍ପା ଖବର ଦେଇଥିଲା ଆସିବ ବୋଲି । ସେ ଆସିଲେ ତାକୁ ଅଟକାଇ ରଖିଥିବୁ ମୁଁ ଆସିବା ପର୍ଯ୍ୟନ୍ତ । ହଁ ତୁ ଘରଛାଡ଼ି ବର୍ତ୍ତମାନଠୁ ଆଉ ପଦାକୁ ଯିବୁନି । ବିଶେଷତଃ ପୃଷ୍ଠାକୁ ଏକୁଟିଆ ଛାଡ଼ି କୁଆଡ଼େ ଯିବୁନି । ଆବଶ୍ୟକ ପଡ଼ିଲେ ଓ୍ୱାନ୍ ଥ୍ରୀ, ଫାଇଭ୍ କୁ ଫୋନ୍ କରି ମୋତେ ଖୋଜିବୁ ।

 

ସମସ୍ତ ଶୁଣିସାରି ମୁଣ୍ଡ ହଲାଇ ସମ୍ମତି ପ୍ରଦାନ କଲା ରତନା–ମଳୟ ବାବୁଙ୍କ ଚାକର–ପୂଜାରୀ–ଆବଶ୍ୟକ ବେଳେ ଆତ୍ମୀୟ ଓ ସହକାରୀ ମଧ୍ୟ ।

 

ମଳୟ ବାବୁ ଯିବାର ପ୍ରାୟ ଘଣ୍ଟାକ ପରେ ବାହାରେ କଲିଂବେଲର ଶବ୍ଦ ଶୁଣି ଦ୍ଵାର ଖୋଲିଲା ରତନା ।

 

ଦ୍ଵାର ନିକଟରେ ପୁଷ୍ପା । ପୁଷ୍ପା ଦାସ ମଳୟଙ୍କର ବାକ୍‌ଦତ୍ତା । ପୁଷ୍ପା ସମଦ୍ଧରେ ବିଶେଷ ବିବରଣୀ ଦିଆଯାଇଛି ସେ କିଏ ଉପନ୍ୟାସରେ ବୟସ ୨୦–୨୧ ପାଖା ପାଖି ହେବ । ଆଉଟା ସୁନାର ଗୋରା ତକ ତକ ରଙ୍ଗକୁ ଦେହର ଶାରିରୀକ ସ୍ଵାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ଯଥେଷ୍ଟ ପୁରି ରହିଛି । ଗୋଲାପି ରଙ୍ଗର ଟେରିକଟ ଶାଢ଼ୀ ଓ ବ୍ଲାଉଜ ଆଦି ଚମତ୍କାର ମ୍ୟାଚ କରିଛି ।

କିରେ ତୁମ ବାବୁ ଘରେ ଅଛନ୍ତି ନା ଗସ୍ତରେ । ହସ ହସ ମୁହଁରେ ପ୍ରଶ୍ନ କରୁଥିଲେ ପୁଷ୍ପା-

ତୁମେ ଦେଈ ଭିତରକୁ ଆସ, ଏମିତି ବାହାରୁ ବାହାରୁ ଚାଲି ଯିବନା କ’ଣ ?

ନା–ଯେ ତଥାପି...କହୁ କହୁ ଆସି ମଳୟ ବାବୁଙ୍କ Bed room ରେ ପହଞ୍ଚିଗଲେ ।

ବାବୁଙ୍କର କାହିଁ ଦର୍ଶନ ତ ମିଳୁନି ।

ବାବୁ କ’ଣ ଗୋଟାଏ ଜରୁରୀ କାମର ବାହାରକୁ ଯାଇଛନ୍ତି । ତମେ ବସ–ସେ ଖୁବ ଶୀଘ୍ର ଆସିଯିବେ ।

ସବୁବେଳେ ତ ତୁମ ବାବୁଙ୍କର ଖାଲି ଜରୋରୀ କାମ । ଯେପରି ଜରୋରୀ ଶବ୍ଦଟା ତାଙ୍କର ଏକଚାଟିଆ ମନୋପଲି । ମୁଁ ବେଶି ସମୟ ଅପେକ୍ଷା କରି ପାରିବିନି—ଚାଲି ଯିବି । ସେ ଫେରିଲେ ମୁଁ ଆସିଥିବା କଥା କହିଦେବ ।

ନା–ନା ଦେଈ ତାହା ହୋଇ ପାରିବ ନାହିଁ । ବାବୁ ମୋତେ ବାରମ୍ବାର କରି କହିଯାଇଛନ୍ତି ଯେ ସେ ଆସିବା ଯାଏ ତୁମକୁ ଏଠାରେ ଅପେକ୍ଷା କରି ରହିବାକୁ ହେବ ।

କି ମୁଁ କ’ଣ ତୁମ ବାବୁଙ୍କର କିଛି ଖାଇଛି ନା ତାଙ୍କ ଅଧୀନରେ ଚାକିରି କରିଛି ଯେ ତାଙ୍କ ହୁକୁମ ତାମିଲ କରିବା ପାଇ ଚାହିଁ ବସିଥିବି । ହସି ହସି ଲଘୁ ପରିବେଶ ସୃଷ୍ଟି କରି କହିଲେ ପୁଷ୍ପା ।

ସେ କଥା ଦେଈ ତମ ମନ ଜାଣୁନଥିବ କି । ଅଧିକ ମୁଁ କ’ଣ ଆଉ କହିବି ?

ବାଃ ଉପଯୁକ୍ତ ଗୁରୁର ଉପଯୁକ୍ତ ଶିଷ୍ୟ !

ହସି ଉଠିଲେ ଦୁହେଁ ।

ହସ ବନ୍ଦକରି ରତନା କହିଲା ଦେଈ ତୁମେ ବସ ମୁଁ କପେ କଫି ତିଥାରି କରି ଆଣେ । ନିରବ ରହିଲେ ପୁଷ୍ପା । ରତନା ଗଲା ରୋଷାଇ ଘରକୁ ।

 

–ଦଶ–

 

ପୁଷ୍ପାଙ୍କୁ ନେଇ ଫେରୁଥିଲେ ମଳୟ ବାବୁ ଗ୍ରାଣ୍ଡ ସିନେମା ହଲରୁ ସେକେଣ୍ଡ ସୋ’ ଫିଲିମ୍ ଦେଖିସାରି । ‘ଆରାଧନା’ ଚିତ୍ରରେ ଶର୍ମିଲା ଟାଗୋର ଓ ରାଜେଶ୍ ଖାନାଙ୍କ ଅଭିନୟ ସମ୍ପର୍କରେ ଦୁହିଁଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା । ଗାଡ଼ି ଡ୍ରାଇଭ୍ କରୁଥିଲେ ମଳୟ ବାବୁ । ମିଟରକଣ୍ଟା ନିର୍ଦ୍ଦେଶ ଦେଉଥିଲା ଗାଡିର ବେଗ ୨୦ରୁ ୮୦ କିଲୋମିଟର । ଆଗରେ ହଠାତ୍‌ ସାପ ଦେଖିଲା ପରି ଚମକି ପଡ଼ି ବ୍ରେକ୍ କଷିଲେ ମଳୟ ବାବୁ । ପୁଷ୍ପା ଏ ଅଚାନକ ବ୍ରେକ୍ ପାଇଁ ପ୍ରସ୍ତୁତ ହୋଇ ନଥିଲେ । ସେ ମଳୟବାବୁଙ୍କ ଦେହରେ ଖୁବ୍ ଜୋରରେ ଆସି ପିଟି ହୋଇଗଲେ । ଠିକ୍‍ ଯେପରି ନୀଳ ସମୁଦ୍ରର ଉତ୍‍ଥାଳ ତରଙ୍ଗ ମାଳା ଆସି ବେଳା ଭୂଇଁରେ ମଥା ପିଟନ୍ତି ।

 

ଉଃ ତୁମେ ବଡ଼ ଦୁଷ୍ଟ । କ’ଣ ଦରକାର ଥିଲା ହଠାତ୍ ଏପରି ଅନାବଶ୍ୟକ ଭାବେ କାର୍‍ର ବ୍ରେକ୍ କରିବା ?

 

ନିଜର ମୁଣ୍ଡକୁ ଆଉଁସୁ ଆଉଁସୁ କହିଲେ ମିସ୍ ପୁଷ୍ପା ଦାସ । ସେ ମନେକଲେ ହୁଏତ ମଳୟ ବାବୁ ଖୁସିରେ ତାଙ୍କୁ (ପୁଷ୍ପାଙ୍କୁ) ଏପରିଭାବେ ଚମକାଇ ଦେବାକୁ ବ୍ରେକ କରିଛନ୍ତି । କାରଣ ଏପରି ଅଚାନକ ଭାବେ କାରର ବ୍ରେକ୍ କରିବାର କୌଣସି ଯଥାର୍ଥତା ଅଛି ବୋଲି ସେ ଭାବି ପାରୁ ନଥିଲେ ।

 

ରୁହ ! ଦେଖ–କ’ଣ ହେଉଛି ।

 

କାର ପୂରାପୂରି ବନ୍ଦ କରିଦେଇ ଓହ୍ଲେଇ ପଡ଼ିଲେ ମଳୟ ବାବୁ । ପୁଷ୍ପା ମଧ୍ୟ ତାଙ୍କ ପଛେ ପଛେ ଓହ୍ଲେଇ ପଡ଼ିଲେ ।

 

ରାସ୍ତାରେ ଯାଉଥିବା ରିକ୍‌ସାବାଲାଟି ସମ୍ମୁଖରେ ଏପରି ଭାବେ କାର୍‍ଟି ପାର୍କ କରି ଆରୋହୀମାନେ ଓହ୍ଲେଇ ପଡ଼ିବାରୁ ସେ ଟିକିଏ ଭୟଭୀତ ହୋଇଯାଇ ଥିଲେ ହେଁ ରିକ୍‌ସାରୁ ନ ଓହ୍ଲେଇ ରାସ୍ତା କାଟି ଚାଲି ଯିବାକୁ ବସିଥାଏ ।

 

ଏ ରିକ୍‌ସାବାଲା ! ଶୁଣ !

 

ବାବୁଙ୍କ ଡାକରେ ଅଗତ୍ୟା ରିକ୍‌ସାରୁ ଓହ୍ଳେଇ ବାକୁ ବାଧ୍ୟ ହେଲା ।

 

ବାବୁ ! ମୋତେ ଡାକିଲୁ ?

 

ରିକ୍‌ସାବାଲାଟି ମଳୟ ବାବୁଙ୍କୁ ପଚାରିଲା । ରିକ୍‌ସାବାଲାର ଚାଲି ଚଳନ ଏବଂ କଥାବାର୍ତ୍ତାରୁ ଜଣାଯାଉଥାଏ ସେ ବୋଧହୁଏ ଜଣେ ସାନ୍ତାଳ ରିକ୍‌ସାବାଲା ।

 

ହଁ–ତୋତେ ଡାକିଲି । ତୁ’ ମତେ ଚିହ୍ନି ପାରୁଛୁ ?

 

ଆଜ୍ଞା...

 

ଆରେ ମୋତେ ତୁ’ କେବେ କେଉଁଠି ଦେଖିନୁ ଭଲକରି ମନେ ପକାଇ କହିଲୁ ।

 

ରିକ୍‌ସାରୁ ବୁଢ଼ା ଲଣ୍ଠନ ଫିଟାଇ ମଳୟ ବାବୁଙ୍କ ନିକଟକୁ ଆସି ଆଲୁଅରେ କିଛି ସମୟ ପର୍ଯ୍ୟନ୍ତ ନିରୀକ୍ଷଣ କରି ଦେଖିଲା । ଆଜ୍ଞା ମୋର ଯାହା ମନରେ ପଡ଼ୁଛି–ତାହା ଠିକ୍ କି କ’ଣ କେଜାଣି ? ଥଙ୍ଗ ଥଙ୍ଗହୋଇ କହୁଥାଏ ସେ ।

 

ତୋ’ର ଡରିବାର କିଛି ନାହିଁ । ତୁ’ ଯାହା ମନେପକାଉଛୁ–କହ । ବୁଢ଼ାକୁ ସାହସ ଦେଇ କହିଲେ ମଳୟ ବାବୁ ।

 

ଏପରି କଥା ଶୁଣି ବୁଢ଼ା ମନରେ ମଧ୍ୟ ଟିକିଏ ସାହସ ଆସିଗଲା ବୋଧହୁଏ । ପୁଣି ଟିକିଏ ଚିନ୍ତା କରି ନେଇ କହିଲା–

 

ବାବୁ–ସେଦିନ ରାତିରେ ଜଣେ ବାବୁଆଣୀଙ୍କୁ ନେଇ ଆପଣଙ୍କ ଘର ନିକଟକୁ ଯାଇ ଆପଣଙ୍କୁ ଡାକିଥିଲି...

 

ବାସ୍ ସେତିକି ଥାଉ; ଆଉ କିଛି କହିବା ଆବଶ୍ୟକ ନାହିଁ । ତୁ’ ବର୍ତ୍ତମାନ ମୋ ସଙ୍ଗରେ ରିକ୍‌ସା ନେଇ ମୋ ଘରଠାକୁ ଚାଲ । ତୋ ପାଖରେ ମୋର କେତେକ କାମ ଅଛି ।

 

ବାବୁ–ମୋର ଗୋଟାଏ ଭଡ଼ା ଥିଲା–ମୁଁ ଯାଇ ଥାନ୍ତି...

 

ମୁଁ ସେ ଭଡ଼ାର ଦୁଇଗୁଣ ଦେବି ତୁ ମୋ ସହିତ ଆ ।

 

ହେଉ ବାବୁ, ଚାଲ ।

 

ମଳୟ ବାବୁ ଓ ପୁଷ୍ପା କାର ଭିତରେ ନିଜନିଜର ଆସ୍ଥାନ ଧରି ସାରିଲା ପରେ ଧିରେ ଧିରେ କାର୍ ଡ୍ରାଇଭକଲେ ମଳୟ ବାବୁ । ରିକ୍‌ସାବାଲା କାର ଆଗେ ଆଗେ ରିକ୍‌ସା ଚଳାଇ ଚାଲିଥାଏ ।

 

ପୁଷ୍ପା ମଳୟ ବାବୁଙ୍କର ଏତାଦୃଶ୍ୟ କାର୍ଯ୍ୟକଳାପରୁ କିଛି ବିନ୍ଦୁବିସର୍ଗ ବି ବୁଝି ପାରୁ ନଥାଏ । ଖାଲି ପ୍ରଶ୍ନିଳ ଆଖିରେ ଚାହିଁ ରହିଥାଏ ମଳୟ ବାବୁଙ୍କୁ ।

 

ମଳୟ ବାବୁ ଖୁସି ଥିଲେ । ସତେ ଯେପରି ସେ ଆଜି ଗୋଟାଏ କିଛି ନୂଆ ଆବିଷ୍କାର ବା ଉଦ୍ଭାବନ କରି ପକାଇଲେ ।

 

କିଛି ସମୟ ପରେ ସେମାନେ ସମସ୍ତେ ଆସି ପହଞ୍ଚିଗଲେ ମଳୟ ବାବୁଙ୍କ ବାସ ଭବନରେ ।

 

କଲିଂ ବେଲ ଟିପିଲା ପରେ ରତନା ନିଦ ମଳ ମଳ ଆଖିରେ ଉଠିଲା ଏଇ ମାତ୍ର ବିଛଣା ଧରିଲା ପରେ ତାକୁ ଛାଇ ନିଦ ଆସି ଯାଇଥିଲା । ଦ୍ଵାର ଖୋଲି ଦେଇ ମଳୟ ବାବୁଙ୍କ ଆଦେଶକୁ ଅପେକ୍ଷା ନକରି ସେ ରୋଷେଇ ଘର ଆଡ଼କୁ ମୁହାଁଇଲା ।

 

ମଳୟ ବାବୁ ରତନାର ମନୋଭାବ ବୁଝି ପାରି କହିଲେ–ରହ ! ଟିକିଏ ପରେ ଖାଇବାକୁ ଦେବୁ ।

 

ରତନା ସମ୍ମତି ଜଣାଇଲା ।

 

ମଳୟ ବାବୁଙ୍କ ଡ୍ରଇଁରୁମ୍ ରେ ସେତେବେଳକୁ ସମସ୍ତେ ପ୍ରବେଶ କରି ସାରିଥିଲେ । ପୁଷ୍ପା ଓ ମଳୟ ବାବୁ ଖଣ୍ଡିଏ ଖଣ୍ଡିଏ ଆସନ ଧରି ନେଇ ସାରିଲା ପରେ ରିକ୍‌ସାବାଲାକୁ ଖଣ୍ଡିଏ ଚେୟାର ଉପରେ ବସିବାକୁ କହିଲେ ମଳୟ ବାବୁ ।

 

ପ୍ରଥମେ ସେ ବସିବାକୁ ରାଜି ହେଉ ନଥିଲା । ମଳୟ ବାବୁଙ୍କ ବାଧ୍ୟରେ ଥଙ୍ଗ ମଙ୍ଗ ହୋଇ ବସିଲା । ମନରେ ଆଶଙ୍କା ତା’ର ଜାଗରୁତ ହେଉଥାଏ । ସେ ବୁଝି ପାରୁ ନଥାଏ ଘଟଣା କ’ଣ ହେବାକୁ ଯାଉଛି ।

 

ତା’ର ବିକ୍ଷିପ୍ତ ଚିନ୍ତାଧାରାରେ ପୂର୍ଣ୍ଣଚ୍ଛେଦ ଟାଣି କଥା ଆରମ୍ଭ କଲେ ମଳୟ ବାବୁ ।

 

ଆଚ୍ଛା ବୁଢ଼ା ! ମୁଁ ଯାହା ପଚାରିବି ସବୁ ମନେକରି କରି ସତ ସତ ଘଟଣା କହିଯିବୁ, ବୁଝିଲୁ ।

 

ବାବୁ କେଉଁ କଥା କ’ଣ ?

 

ରିକ୍‌ସାବାଲା ଅବୁଝା ଓ ପ୍ରଶ୍ନିଳ ଆଖିରେ ଚାହିଁଲା ମଳୟ ବାବୁଙ୍କ ମୁହଁକୁ ।

 

ଆରେ ତୁ’ ଏମିତି ଘାବରେଇ ଯାଉଛୁ କାହିଁକି ? ସେଦିନ ରାତି କଥା–ଯେଉଁ ଦିନ ମୋ ପାଖକୁ ସେ ଯୁବତୀଙ୍କୁ ଧରି ଆସିଥିଲୁ–ତୋର ସବୁ ମନେଥିବ ! ତୁ ତ କହୁଥିଲୁ ମୋତେ ଚିହ୍ନି ପାରିଛୁ ବୋଲି । ତେଣୁ ସବୁକଥା ଯେ ତୋର ମନେ ଥିବ ଏ ବିଶ୍ଵାସ ଅନ୍ତତଃ ମୋର ତୋ ଉପରେ ଅଛି ।

 

ବୁଝାଇ ସୁଝାଇ କହିଲେ ମଳୟ ବାବୁ ରିକ୍‌ସା ବାଲାର ମନକୁ ଆକର୍ଷଣ କରିବାକୁ ।

 

ହଁ ବାବୁ–ମୋର ସେ ସବୁକଥା ମନରେ ଅଛି । ଯାହା ପଚାରିବେ ସବୁ ଗୋଟି ଗୋଟି କରି କହିଯିବି ।

 

ବେଶ ଭଲ କଥା । ମୁଁ ଗୋଟି ଗୋଟି କରି ପଚାରୁଛି, ତୁ ମୋତେ ସେଇମିତି ଗୋଟି ଗୋଟି କରି କହ ।

 

ବୁଢ଼ା ଅପେକ୍ଷା କଲା ନିରବରେ ମଳୟ ବାବୁଙ୍କ ପ୍ରଶ୍ନକୁ । ମଳୟ ବାବୁ ଟିକିଏ ଗଳା ଖଙ୍କାରି ପ୍ରଶ୍ନ ଆରମ୍ଭ କଲେ ।

 

ଆଚ୍ଛା ସେଦିନ ତୋତେ ପଠାଇଲି ସିଟି ହସ୍‍ପିଟାଲ୍‍କୁ । ତୁ ସେଠାକୁ ନଯାଇ କୁଆଡ଼େ ଗଲୁ ।

 

ସେଦିନ ଆପଣ କହିବାନୁଯାୟୀ ମୁଁ ସିଟି ହସ୍ପିଟାଲକୁ ଯାଉଥିଲି । କିଛି ବାଟଯାଇଛୁ କି ନାହିଁ ହଠାତ୍ ବର୍ଷା ଘଡ଼ଘଡ଼ି ମାଡ଼ି ଆସିଲା, ରୋଗିଣୀ ପିଲାଟାକୁ ବର୍ଷାରେ ଭିଜାଇ ଭିଜାଇ ହସ୍ପିଟାଲ ପର୍ଯ୍ୟନ୍ତ ନେବାକୁ ମୋର ମନ କହିଲା ନାହିଁ । ମୋ ବସାକୁ ନେଇ ଯେତିକି ତୁଟୁକା ମୁଟୁକା ମୋତେ ଜଣାଥିଲା–ମୁଁ ସେ ବ୍ୟବସ୍ଥା କଲି । ପ୍ରାୟ ପାହାନ୍ତା ପହରକୁ ତାଙ୍କର ଚେତା ଆସିଲା । ଆଉ ସେତେବେଳେ ମୁଁ ଡାକ୍ତରଖାନାକୁ ଆସିବାକୁ ଉଚିତ୍ ମନେ କଲି ନାହିଁ । ଭାବିଲି, ଖୁବ ଶୀଘ୍ର ତ ସକାଳ ହୋଇଯିବ । ସକାଳ ହେଲେ ନେଇ ରିକ୍‌ସାରେ ପହଞ୍ଚାଇ ଦେଇ ଆସିବି । ସେ ଦେଈଙ୍କର ମଧ୍ୟ ସେତେବେଳକୁ ପୂର୍ବ ଖିଆଲ ସବୁ ଆସି ସାରିଥାଏ । ସେ ଆପଣଙ୍କୁ ଖୋଜିବାରୁ ସବୁକଥା ଗୋଟି ଗୋଟି କରି କହିବାରୁ ଟିକିଏ ଶାନ୍ତିରେ ନିଶ୍ଵାସ ମାରି କହିଲେ “ହଁ ସକାଳ ହେଲେ ଯିବା ?”

 

ରିକ୍‌ସାବାଲା ଏତିକି କହିସାରି ଟିକିଏ ରହିଲା–ବୋଧହୁଏ ଦମ୍ ନେବାକୁ ।

 

ତା’ପର ? ଉଦ୍‌ଗ୍ରୀବ ହୋଇ ପଚାରିଲେ ମଳୟ ବାବୁ ।

 

ତା’ପରଦିନ ସକାଳୁ ନିତ୍ୟକର୍ମାଦି ଶେଷ କରି ଦେଈଙ୍କ କହିବାନୁସାରେ ମୁଁ ରିକ୍‌ସାରେ ତାଙ୍କୁ ନେଇ ପୁଣି ଆପଣଙ୍କ ଘର ଆଡ଼କୁ ଆସୁଥିଲି । ହଠାତ୍ ବାଟରେ ଜଣେ ବାବୁ ଆମକୁ ଅଟକାଇ କ’ଣ ଦେଈଙ୍କ ସହିତ କଥାବାର୍ତ୍ତା କଲେ । ତା’ପରେ ଦେଈ ମୋ ରିକ୍‌ସାରୁ ଓହ୍ଲାଇ ମୋର ପ୍ରାପ୍ୟ ତୁଟାଇ ଦେଇ ତାଙ୍କ ମଟର ବାଇକ୍ ପଛରେ ବସି ମୋତେ ଫେରିଯିବାକୁ କହିଲେ ।

 

ସେ ଯାହା ସହିତ ଗଲେ ତାଙ୍କର କିଛି ପରିଚୟ ଅର୍ଥାତ୍ ନାମ ଇତ୍ୟାଦି ତୁ କିଛି ଶୁଣିଛୁ-?

 

ନା । ମୁଣ୍ଡ ହଲାଇ ମନାକଲା ରିକ୍‌ସାବାଲା ।

 

ଆଚ୍ଛା, ସେ କୁଆଡ଼େ ଯିବେ ବୋଲି କିଛି କଥା ବାର୍ତ୍ତା ହେଉଥିଲେ ?

 

ନା–ସେମିତି କିଛି ମୁଁ ଧରି ପାରିଲି ନାହିଁ । ତଥାପି ସେମାନେ ଏଇ ଟାଉନ୍ ଭିତରେ ରହିବେ ବୋଲି କଥାବାର୍ତ୍ତାରୁ ଜଣା ଯାଉ ଥିଲା ।

 

ତୁ ଯଦି ସେ ବାବୁଙ୍କୁ ଦେଖୁ ତା’ହେଲେ ଚିହ୍ନି ପାରିବୁ ତ ?

 

ନିଶ୍ଚୟ ଚିହ୍ନି ପାରିବି ବାବୁ । ବୁଢ଼ା ରିକ୍‌ସାବାଲାଟିର କଥାରୁ ଦମ୍ଭୋକ୍ତି ପ୍ରକାଶ ପାଉଥିଲା ।

 

ବିଚରା ରିକ୍‌ସାବାଲାଟି ସମସ୍ତ ସତକଥା କହୁଛି ବୋଲି ମଳୟ ବାବୁଙ୍କର ହୃଦ୍‌ବୋଧ ହେଲା । ବେଶି କିଛି ପଚାରି ଲାଭ ନାହିଁ ବୋଲି ମନେ କରି ୫ଟି ଟଙ୍କା ପକେଟରୁ ବାହାର କରି ତାକୁ ବିଦା କରି ଦେଲେ ।

 

ରିକ୍‌ସାବାଲାଟି ଖୁସି ହୋଇ ଚାଲିଗଲା ।

 

ପୁଷ୍ପାକୁ ନେଇ ମଳୟ ବାବୁ ତାଙ୍କ ଖାସ୍ ରୁମ୍‌କୁ ଗଲେ ।

 

ରତନା ଖାଇବା ପାଇଁ ବ୍ୟବସ୍ଥା କରୁଥିଲା ।

 

–ଏଗାର–

 

ହୋଟେଲ କଂଜରଭେଟିଭ । ତ୍ରିତଳ ଏକ ବିରାଟ କାୟ କୋଠା । ତଳ ମହଲାରେ ଡାଇନିଂହଲ, ଅଡ଼ିଟରିୟମ, ମେନେଜରିୟାଲ ସେକ୍‌ସନ୍‌ ଓ ଆଉଟଡ଼ୋର କଷ୍ଟମର୍‍ମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି । ଦ୍ଵିତୀୟ ତଳରେ କେବଳ ମାତ୍ର ଲଜିଂ । ଫ୍ଲାଟପରେ ଫ୍ଲାଟ ଅସଂଖ୍ୟ ଏବଂ ତୃତୀୟ ତଳର ଅଳ୍ପ କେତକ ଅଂଶ ଲଜିଂ ରୁପେ ବ୍ୟବହୃତ ହେଉଛି । ସେ ପ୍ରକାର ଫ୍ଲାଟ ଗୁଡ଼ିକର ବିଶେଷତ୍ଵ ଅଛି । ସ୍ଵତନ୍ତ୍ର ଶ୍ରେଣୀର ଫ୍ଲାଟ ଗୁଡ଼ିକ । ସେଥିରେ ହୋଟେଲର ଅତି ଜଣାଶୁଣା ସମ୍ମାନୀୟ ଅତିଥି ବୃନ୍ଦଙ୍କର କେବଳ ପାଦ ପଡ଼େ । ସେହି ତ୍ରିତଳର ଅନ୍ୟ ଅଂଶ ହୋଟେଲର ଷ୍ଟୋର ରୁମ୍ ଓ ଷ୍ଟ୍ରଙ୍ଗ ରୁମ୍ ଆଦି ଅବସ୍ଥିତ ।

 

ହୋଟେଲର ମାଲିକଙ୍କ ସମ୍ବନ୍ଧରେ ପ୍ରାୟସବୁ କଷ୍ଟମରସ୍‍ମାନେ ଅଜ୍ଞ ଥାଆନ୍ତି । ମେନେଜର ହିଁ ସର୍ବେସର୍ବା । କେହି କେହି କୌତୁହଳ ବଶତଃ ମାଲିକଙ୍କ ସମନ୍ଧରେ କିଛି ଜାଣିବାକୁ ଚାହିଁଲେ ମେନେଜର ଟିକିଏ ହସି କଥାଟାକୁ ଏଡ଼େଇ ଯିବାକୁ ଚେଷ୍ଟା କରନ୍ତି । କେବେ କେବେ ସେ ଅଡ଼ୁଆରେ ପଡ଼ିଯାଇ ଏଡ଼େଇବା ସମ୍ଭବ ହୁଏ ନାହିଁ–ତାହା ନୁହେଁ ଏବଂ ଏପରି ଅବସ୍ଥାରେ ସେ ସାମାନ୍ୟ ଭାବେ ମାଲିକଙ୍କ ସମନ୍ଧରେ କେତେଟା ସୂଚନା ଦେବା ଦେଖାଯାଏ । ତାଙ୍କର କହିବାନୁସାରେ ମାଲିକ ଜଣେ ବିଦେଶୀ ବ୍ୟାଙ୍କର ମ୍ୟାନେଜିଂ ଡାଇରେକଟର । ସେ ସଦା ସର୍ବଦା ଭାରତ ବାହାରେ ରହିଥାନ୍ତି । ଏହାଙ୍କର ସମସ୍ତ ପ୍ରକାର କାର୍ଯ୍ୟର ଆବଶ୍ୟକୀୟ କର୍ମପନ୍ଥା ଗ୍ରହଣ କରିବାକୁ ସେ କ୍ଷମତା ତାଙ୍କୁ (ମେନେଜରଙ୍କୁ )ଦେଇ ଯାଇଛନ୍ତି । କେବେ କିପରି ବର୍ଷରେ ଥରେ ଅଧେ ଆସନ୍ତି । ହୋଟେଲ ସମ୍ବନ୍ଧରେ ଯାହା ଜାଣିବାର କଥା ଜାଣି ସାରିଲା ପରେ ପୁଣି ଚାଲି ଯାଆନ୍ତି ।

 

ହୋଟେଲ କଂଜରଭେଟିଭ୍ ରେ କେବଳ ଧନୀ ପୁଞ୍ଜିପତି ଏବଂ ବିଦେଶୀ ଗ୍ରାହକ ମାନଙ୍କର ଗହଳୀ ହେବାର ଦେଖାଯାଏ । ସାଧାରଣ ମଧ୍ୟବିତ୍ତ ବା ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ପକ୍ଷରେ ସେ ହୋଟେଲର ନାମ କେବଳ ହିଁ ସ୍ଵପ୍ନ । ଆଭିଜାତ୍ୟଶୀଳ ଏ ହୋଟେଲର ମେନ୍ ଗେଟ୍ ରେ ଦୁଇଜଣ ନେପାଳୀ ବନ୍ଧୁକଧାରୀ ଦରବାନ ସଦାସର୍ବଦା ପ୍ରହରା ରତ । ତଳ ମହଲାରେ ଦ୍ଵିତୀୟ ଓ ତୃତୀୟ ମହଲାକୁ ଯିବା ପାଇଁ ସିଡ଼ି ଏବଂ ଲିଫଟ୍ ଉଭୟର ବ୍ୟବସ୍ଥା ଅଛି । ପ୍ରତ୍ୟେକ ଠାରେ ଜଣେ ଜଣେ କରି ସମସ୍ତ ଦରବାନ ପ୍ରହରା ଦେଇଥାନ୍ତି । ଆବଶ୍ୟକୀୟ ଅନୁମତି ପତ୍ର ବିନା କେହି ଯିବା ଆସିବା କରିବା ସମ୍ଭବ ନୁହେଁ ।

 

ଖଣ୍ଡିଏ ଚକୋଲେଟ୍ ରଙ୍ଗର ଫିଆଟ୍ ପ୍ରବେଶ କଲା ହୋଟେଲ କଂଜରଭେଟିଭର କେମ୍ପସ୍ ମଧ୍ୟକୁ । ଦରବାନ ସଂଭ୍ରମ ଅଭିବାଦନ ଜଣାଇ ରାସ୍ତା ଛାଡ଼ି ଦେଇଥିଲା । କାର ମଧ୍ୟରେ ଥିଲେ ମାତ୍ର ଦୁଇଜଣ । ଜଣେ ଯୁବକ–ବୟସ ଆନୁମାନିକ୨୮ । ୨୯ ହେବ ଏବଂ ଜଣେ ଯୁବତୀ ବୟସ ୨୧ । ୨୨ ରୁ ବେଶି ହେବ ନାହିଁ । ଦୁହେଁ ଦୁହିଁଙ୍କୁ ଠିକ ଖାପ ଖାଇଲା ପରି ଶାରିରୀକ ସୌନ୍ଦର୍ଯ୍ୟ ଗଠନ ହୋଇଛି । ଦୁହିଁଙ୍କ ବେଶ ପୋଷାକ; ଚାଲି ଚଳନ ଓ କଥା ବାର୍ତ୍ତାରୁ ଜଣାଯାଉଥିଲାଯେ ସେ ଦୁହେଁ ଶିଖ ଦମ୍ପତ୍ତି । ହୁଏତ ଖୁବ୍ ରିସେଣ୍ଟଲି ସେମାନେ ପରସ୍ପରକୁ ବିବାହ କରିଛନ୍ତି । ହାତ ଛନ୍ଦାଛନ୍ଦି ହୋଇ ଦୁହେଁ ମେନେଜରିଆଲ ସେକ୍‍ସନ୍ ଭିତରକୁ ପ୍ରବେଶ କଲେ । ପ୍ରଥମେ ରିସେପ୍‍ସିନିଷ୍ଟ ସହିତ ଦେଖା କରିବାର କଥା । ଯୁବକ–ଯୁବତୀ ଦୁହେଁ ଅନୁରୂପ ସାକ୍ଷାତ କରି ମେନେଜରଙ୍କ ସହିତ ସାକ୍ଷାତ ପାଇଁ କହିଲେ ।

 

ରିସେପ୍‍ସିନିଷ୍ଟ–ଆଂଲୋଇଣ୍ଡିଆନ ମହିଳା । ବୟସ ୩୦–୩୨ ହେଲେ ମଧ୍ୟ ଆହୁରି ତଳକୁ ଖସାଇବାକୁ ଚେଷ୍ଟା କରା ଯାଇଛି । ଦେହର ଯୌବନ ସହିତ ସୌନ୍ଦର୍ଯ୍ୟ ମନ୍ଦ ନୁହେଁ । ଶାରୀରିକ ଗଠନ ସାମାନ୍ୟ ପୃଥୁଳକାୟ ମେନେଜରଙ୍କ ସହିତ ଆମ୍ଭେ ସାକ୍ଷାତ କରିବାକୁ ଚାହୁଁଛୁ । ଧୀର ଏବଂ ଶାନ୍ତ ସ୍ଵରରେ କହିଲେ ଯୁବକ । “ଦୟାକରି ମିସେସ୍...

‘‘ନୋ ମିସେସ୍ । ଆଇ ଆମ୍ ମିସ୍ ସାରଖେଲ କଥା ଛଡ଼ାଇ ନେଇ ନିଜର ନୟନକୁ ନଚାଇ ନଚାଇ କହିଲେ ରିସେପ୍‍ସିନିଷ୍ଟ ମିସ ସାରଖେଲ ।

“ଓ ସରି” ।

“ନେଭର ମାଇଣ୍ଡ ।ନେମ୍ ପ୍ଳିଜ୍

ଶକ୍ତିରାଜ ସିଂ ।

“ମିନସ୍–ୟୁ ଆର ଦି କିଙ୍ଗ୍ ଅଫ ଦି ଷ୍ଟ୍ରେଙ୍ଗ୍‍ଥ ।’’ ହସି ହସି କହିଲା ମିସ୍ ସାରଖେଲ ।

ଓ–ଇୟେସ୍ । ୟୁ ଆର୍ ସମ୍‍ହାଓ କରେକ୍ଟ । ଆଇ ଏମ୍ ଦି କିଙ୍ଗ୍ ଏଣ୍ଡ ସି ଇଜ୍ ଦି କୁଇନ୍ ଅଫ୍ ଦି ଷ୍ଟ୍ରେଙ୍ଗ୍‍ଥ । ଶକ୍ତିରାଜ ସିଂ । ସାଙ୍ଗରେ ଥିବା ଯୁବତୀଙ୍କୁ ଲକ୍ଷ କରି କହିଲେ ଯୁବକ ।

“ଓ. କେ.” ଫୋନର ଡାଏଲ ଘୁରାଉଥିଲା ରିସେପ୍‍ସିନିଷ୍ଟ ।

ହେଲୋ...

ସାର୍, ରିସେପସିନିଷ୍ଟ ସ୍ପିକିଂ...ମିଃ ଶକ୍ତିରାଜ ସିଂ ଆପଣଙ୍କୁ ସାକ୍ଷାତ କରିବାକୁ ଚାହାଁନ୍ତି-

ସେ ସସ୍ତ୍ରୀକ ଅଛନ୍ତି ।

କ’ଣ ଆପଣଙ୍କର ଦରକାର ? ଫୋନରୁ ମୁହଁବାହାର କରି ପ୍ରଶ୍ନ କଲେ ଶକ୍ତି ସିଂଙ୍କୁ ମିସ୍ ସାରଖେଲ ।

ଗୋଟାଏ ଡବଲ୍ ବେଡ୍ ରୁମ୍ ଉଇଥ୍ ଆଟାଚ୍‍ଡ଼୍‍ ବାଥ ମୋର ଆବଶ୍ୟକ କିଛି ଦିନ ପାଇଁ ।

ଆମର ତ ସବୁରୁମ ଗୁଡ଼ିକ ଆଟାଚଡ୍ ବାଥ୍ ।

ଫେର ଫୋନ୍‌ର ମାଇକ୍ରୋଫୋନ ମୁହଁରେ ଦେଲେ ମିସ୍ ସାରଖେଲ । ସେ ଆମ ହୋଟେଲରେ କିଛିଦିନ ରହିବାକୁ ଚାହାଁନ୍ତି । ତାଙ୍କର ଗୋଟାଏ ଡବଲ୍ ବେଡ଼ର ରୁମ ଦରକାର ।

ମୁଁ ତାଙ୍କୁ ତା’ହେଲେ ଆପଣଙ୍କ ପାଖକୁ ପଠାଇଦେଉଛି ?

ହଁ ସାର୍ ।

ମିସ୍ ସାରଖେଲ ଫୋନ ରଖି ଦେଇ ଶକ୍ତିରାଜ ସିଂଙ୍କୁ କହିଲେ–ଆପଣ ଦୁହେଁ ଦୟାକରି ଟିକିଏ ଏଇଠାରେ କିଛି ସମୟ ଅପେକ୍ଷା କରନ୍ତୁ ! ମେନେଜର ଆପଣଙ୍କୁ ବର୍ତ୍ତମାନ ଡକାଇଲେ ଆପଣ ମାନେ ଯିବେ ତାଙ୍କ ରୁମକୁ ।

 

ପାଖରେ ପଡ଼ିଥିବା କେତେଖଣ୍ଡି ଡନ୍‌ଲଗ୍ ଚେୟାର ଆଡ଼କୁ ହାତ ଦେଖାଇଲେ ମିସ୍ ସାରଖେଲ ।

ଶ୍ରୀ ଓ ଶ୍ରୀମତୀ ଶକ୍ତିରାଜ ସିଂ ଦୁଇଖଣ୍ଡି ଚେୟାର ଅଧିକାର କଲେ ନୀରବରେ ।

ରିସେପ୍‍ସିନିଷ୍ଟ ତାଙ୍କର ଫାଇଲ କାମରେ ମନୋନିବେଶ କଲେ । ହଠାତ୍ ଜଣେ ରୂପ ଯୌବନ ସମ୍ପର୍ଣ୍ଣା ଯୁବତୀ ପଶି ଆସିଲେ ହୋଟେଲ ମଧ୍ୟକୁ ।

ହାଲୋ ମିସ୍ ସାରଖେଲ ହାଓ ଡ଼ୁ ଇଉ ଡ଼ୁ ?

ୱେଲ୍–ବଟ୍ ଇଉ ?

ସମ୍ ହାଓ । ଆଛା ମିଃ ଆଚାର୍ଯ୍ୟ ଅଛନ୍ତି ତାଙ୍କ ରୁମରେ ?

ହଁ–ଅଛନ୍ତି ।

ଓ: କେ: କହି ମେନେଜରିଆଲ ସେକ୍‌ସନ୍‌ ଆଡ଼କୁ ଆଗେଇ ଗଲେ ଯୁବତୀ ଜଣକ ।

ଶକ୍ତିରାଜ ସିଂ ପାଟି ଖୋଲିଲେ । ମିଃ ଆଚାର୍ଯ୍ୟ ମାନେ ...

ହଁ ଏ ହୋଟେଲର ମେନେଜର ।

ଉତ୍ତରଟି ଶୁଣି ନିରବ ରହିବାକୁ ଉଚିତ ମନେ କଲେ ଶକ୍ତିସିଂ । ତାଙ୍କ ମନ ମଧ୍ୟରେ ଆନ୍ଦୋଳନ ସୃଷ୍ଟି ହୋଇ ସାରିଥିଲା । ଏ ଯୁବତୀଙ୍କୁ ସେ କେବେ କେଉଁଠାରେ ଦେଖିଛନ୍ତି । ମନେ ପକାଇବାକୁ ଚେଷ୍ଟା କଲେ–ହିଁ ଠିକ୍ ମନେ ପଡ଼ିଛି ।

ପୁଷ୍ପା ବାନାର୍ଜୀ । ଜଗତ୍‍ ବନ୍ଧୁ ଷ୍ଟିଲ ଫେକ୍ଟ୍ରିର ଜେନେରାଲ ମେନେଜରଙ୍କ ବ୍ୟକ୍ତିଗତ ସହକାରୀ । କିନ୍ତୁ ସେ କାହିଁକି ଅସମୟରେ ଏ ହୋଟଲ କଂଜରଭେଟିଭ୍ ରେ ? ପୁଣି ମେନେଜରଙ୍କ ସହିତ ତାଙ୍କୁ ଦେଖା କରିବାରେ ଯେଉଁଠି ଏତେ କଟକଣା କିନ୍ତୁ ପୁଷ୍ପା ବାନାର୍ଜୀ ନିଜ ଘରେ ଏବଂ ନିଜର ଆତ୍ମୀୟଙ୍କୁ ସାକ୍ଷାତ କଲାପରି ହଠାତ୍ ମେନେଜରିଆଲ ସେକ୍‌ସନ୍‌କୁ ତ ପଶିଗଲେ ।

ଆଉ ବିଶେଷ କିଛି ଚିନ୍ତା କରି ପାରୁ ନଥିଲେ ସେ । ମୁଣ୍ଡରେ ଏସବୁ ଯେପରି ପଶି ପାରୁନଥିଲା ସବୁ ଅଡ଼ୁଆ ହୋଇ ଯାଉଥିଲା–ସବୁ ଗଣ୍ଡଗୋଳ ହୋଇ ଯାଉଥିଲା ।

ଫୋନର ଗୁରୁଗର୍ଜନ ଚିତ୍କାର ଶକ୍ତି ସିଂଙ୍କର ଭାବନା ରାଶିକୁ ଛିନ୍ନ କଲା । ସେ ରିସେପ୍‍ସିନିଷ୍ଟ ମିସ ସାରଖେଲଙ୍କ ଆଡ଼କୁ ଦୃଷ୍ଟି ସଞ୍ଚାଳନ କଲେ । ମିସ୍ ସାରଖେଲ ସେତେବେଳକୁ ଫୋନ ଧରି ସାରିଥିଲେ ।

ହାଲୋ…ରିସେପସିନିଷ୍ଟ ସ୍ପିକିଂ... ।

ଇଏସ୍ ସାର...ମୁଁ ବର୍ତ୍ତମାନ ପଠାଇ ଦେଉଛି । ଫୋନ୍ ରଖିଲେ ସେ ।

ଠିକ୍ ଏଇ ସମୟରେ ଫେରିଲେ ପୁଷ୍ପା ବାନାର୍ଜୀ ମେନେଜରିଆଲ୍ ସେକ୍‌ସନରୁ । ସେ ଭାରି ଖୁସି ଥିଲେ–ଖୁସିରେ ଫାଟି ପଡ଼ୁଥିଲେ ଯେପରି । ଟେବୁଲ ଉପରେ ସାଇଖେଲ–ମିଃ ସିଂ ଆପଣଙ୍କୁ ମେନେଜର ସାକ୍ଷାତ କରିବା ପାଇଁ ଡାକିଲେଣି । ଆପଣ ବର୍ତ୍ତମାନ ସହୀଦ ସଙ୍ଗରେ ଯାଆନ୍ତୁ । ସେ ଆପଣଙ୍କୁ ମେନେଜରଙ୍କ ନିକଟରେ ପହଞ୍ଚାଇ ଦେବ ।

 

ଖାକି ଡ୍ରେସ ପିନ୍ଧା ଜଣେ ଅର୍ଡରଲି ଆସି ପହଞ୍ଚିସାରିଥିଲା ସେତେବେଳକୁ ସେଠାରେ ।

 

ମିସ୍ ସାରଖେଲଙ୍କ ନିର୍ଦ୍ଦେଶାନୁସାରେ ସହୀଦ ମନେଜରିଆଲ ସେକ୍‌ସନ୍ ଆଡ଼କୁ ଆଗେଇଲା । ଶ୍ରୀ ଓ ଶ୍ରମତି ଶକ୍ତି ସିଂ ତାକୁ ଅନୁସରଣ କରୁଥିଲେ ।

 

ମିଃ ରଣେନ୍ ଆଚାର୍ଯ୍ୟ ଏମ୍. ଏ.

 

ଜେନେରଲ ମେନେଜର

 

ନେମ୍ ପ୍ଳେଟଟି ଉପରେ ଆଖି ବୁଲାଇ ଆଣି ନାମଟିକୁ ମାତ୍ର କେତେଥର ଦୋହରାଇଲେ ଶକ୍ତିରାଜ ସିଂ । ପ୍ରବେଶକଲେ ରୁମ ମଧ୍ୟକୁ ସହୀଦର ଇଙ୍ଗିତ ପାଇ ।

 

ସମ୍ମୁଖରେ ଏକ ମୁଭିଂ ଚେୟାର ଉପରେ ବସିଥିଲେ ମେନେଜର ମିଃ ଆଚାର୍ଯ୍ୟ । ଧୀର ଗମ୍ଭୀର । ସାଧାରଣ ଭଦ୍ରତାରେ କୌଣସି ତ୍ରୁଟି କରି ନଥିଲେ ସେ ସିଂ ଦମ୍ପତ୍ତିଙ୍କ ପ୍ରତି ।

 

ସାମାନ୍ୟ ଆଳାପ ଆଲୋଚନା ପରେ ସେ ହୋଟେଲରେ ରହିବାର ସ୍ଥିର ହେଲା । ମେନେଜର ମଧ୍ୟ ବିଶେଷ କିଛି ଆଳାପ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କଲେ ନାହିଁ । ତଦୃପ ଶକ୍ତି ସିଂ ମଧ୍ୟ ବିଶେଷ ଆଲୋଚନା କରିବାର କୌଣସି ଆଗ୍ରହ ପ୍ରକାଶ କଲେ ନାହିଁ ।

 

ରୁମ୍ ନମ୍ବର ୫୫୫ରେ ଏମାନଙ୍କର ରହିବାର ବ୍ୟବସ୍ଥା ହେଲା ପରେ ମେନେଜରଙ୍କ ଠାରୁ ବିଦାୟ ନେଲେ । ବିଦାୟ ବେଳେ ମେନେଜର ସ୍ଵହାର୍ଦ୍ଦତା ଦେଖାଇ କହିଲେ ଆପଣ କିଛି ଚିନ୍ତା କରନ୍ତୁ ନାହିଁ । ମିଃ ଏଣ୍ଡ ମିସେସ ସିଂ । ଆପଣଙ୍କର ସମସ୍ତ ଭଲ ମନ୍ଦ କଥା ବୁଝିବା ପାଇଁ ଲୋକ ଅଛନ୍ତି । ଆଉ ଅଧିକନ୍ତୁ ମୁଁ ମିସ୍ ସାରଖେଲଙ୍କୁ କହିଦେବି ସେ ସବୁ ସମୟରେ ଆପଣଙ୍କ ପ୍ରତି ବିଶେଷ ଯତ୍ନ ନେବାକୁ ଯେପରି ଚେଷ୍ଟା କରିବେ । ‘‘ବହୁତ ବହୁତ ଧନ୍ୟବାଦ’’–କହିଲେ ଶକ୍ତି ସିଂ ।

 

–ବାର–

 

ହଁ ଆପଣଙ୍କ ଅନୁମାନ ବୋଧହୁଏ ଅଧିକାଂଶରେ ସତ୍ୟ । ମୁଁ କେତେକ ସନ୍ଦେହ ଜନକ ବ୍ୟକ୍ତି ଓ ଘଟଣାର ସନ୍ଧାନ ଏଠାରେ ପାଇଛି । ଫୋନରେ ଏ ସବୁ ବିଷୟରେ ଖୋଲା ଖୋଲି ଭାବରେ କିଛି ପ୍ରକାଶ କରିବା ଉଚିତ ହେବନି ବୋଲି ମୁଁ ମନେ କରୁଛି । ଆପଣଙ୍କ ସହିତ କେଉଁଠାରେ ଏବଂ କେଉଁ ସମୟରେ ଦେଖା ହୋଇ ପାରିବ କୁହନ୍ତୁ !

 

ହଁ । ଆମେ ଦୁହେଁ ଭଲରେ ଅଛୁ । କିଛି ଅସୁବିଧା ନାହିଁ । ଆପଣଙ୍କ ନିର୍ଦ୍ଦେଶ ମୁତାବକ ସବୁ ବ୍ୟବସ୍ଥା ହୋଇଛି ।

 

ବେଶ୍ ମନେ ରହିଲା । ତା’ହେଲେ ଇଭିନିଂ ପାର୍କ ସମୟ ୫ଟା ।

 

ରହିଲି । ନମସ୍କାର ।

 

ଫୋନ ରଖିଲେ ଶକ୍ତି ସିଂ । ଫୋନରେ ହେଉଥିବା କଥାବାର୍ତ୍ତାମାନ ଶୁଣି ମୃଦୁ ହସ ହସୁଥିଲେ ଶ୍ରୀମତୀ ସିଂ ।

 

ତା’ହେଲେ ମୁଲାକାତ ସନ୍ଧ୍ୟା ୫ଟାରେ ଇଭିନିଂ ପାର୍କରେ । ମୁଁ କିନ୍ତୁ ଯିବି । ଏଠାରେ କି ମଣିଷ ଏକୁଟିଆ ରହିପାରେ ।

 

ହେଲା ବାବା ଯିବ–ଏତେ ବ୍ୟସ୍ତ କାହିଁକି ?

 

ଆଉ ସେଦିନ ସେମାନେ ପଦାକୁ ବାହାରିଲେ ନାହିଁ । କେତେକ ବାକିଥିବା କାମ ଶେଷ କରି ସାରିଲା ପରେ ଦୁହେଁ ଛଦ୍ମ ବେଶରେ ସଜ୍ଜିତ ହେଲେ । ଫେରିବାଲା ମୁସଲମାନ ସ୍ତ୍ରୀ ଓ ପୁରୁଷ ।

 

ଦର୍ପଣରେ ନିଜର ପରିବର୍ତ୍ତିତ ରୂପ ଦେଖି ନିଜକୁ ଚିହ୍ନିପାରୁ ନଥିଲେ ଶ୍ରୀ ଓ ଶ୍ରୀମତି ସିଂ-। ରୁମରେ ଭଲ ରୂପେ ଚାବି ଦେଇ ହୋଟେଲ ତ୍ୟାଗ କଲେ । ଖଣ୍ଡିଏ ଟେକ୍‌ସି କରି ପହଞ୍ଚିଲେ ଇଭିନିଂ ପାର୍କରେ ।

 

ଇଭିନିଂ ପାର୍କ ଏକ ବିରାଟ ପ୍ରମୋଦ ଉଦ୍ୟାନ । ଏହି ପ୍ରମୋଦ ଉଦ୍ୟାନର ଏକ ଚତୁର୍ଥାଂଶ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ । ଅବଶିଷ୍ଟ ଅଂଶଟି ଜନସାଧାରଣଙ୍କ ନିମିତ୍ତ ଉଦ୍ଦିଷ୍ଟ ।

 

ଟେକ୍‌ସି ଡ୍ରାଇଭରର ପଇସା ଚୁକାଇ ଦେଇ ପାର୍କ ଆଡ଼କୁ ଆଗେଇ ଯାଉଛନ୍ତି, ପଛରୁ କିଏ ଡାକ ଦେଲା–

 

ହେଲୋ ମିଃ ଏଣ୍ଡ ମିସେସ୍ ସିଂ ।

 

ଏପରି ଅଚାନକ ଡାକରେ ଦୁହେଁ ଆଶ୍ଚର୍ଯ୍ୟ ଏବଂ ହତବାକ୍ ହୋଇ ପଡ଼ି ପଛକୁ ଚାହିଁଲେ ।

 

ଜଣେ ଚେନାଚୁର ବିକାଳୀ ହିନ୍ଦୁସ୍ଥାନୀ ହସି ହସି ଏ ଦୁହିଁଙ୍କ ଆଡ଼କୁ ଆସୁଥାଏ ।

 

ଏମାନଙ୍କ ମନରେ ଦକା ପଶିଲା । ଇଏ କିମିତି ଚିହ୍ନିଲା ? ତା’ହେଲେ ଶତ୍ରୁପକ୍ଷ କ’ଣ ଚିହ୍ନି ନେଇଛନ୍ତି ? କ’ଣ ଜାଣିନେଇଛନ୍ତି ସେମାନଙ୍କର ପ୍ରକୃତ ପରିଚୟ ?

 

ଏଇମିତ କେତେ କ’ଣ ଅନାବନା ସୂଚନା ମୁଣ୍ଡକୁ ଢୁକୁଥିଲା ଶକ୍ତି ସିଂହଙ୍କର । ସେ ବାକ୍‌ଶକ୍ତି ରହିତ ଥିଲେ ।

 

କ’ଣ ବର୍ତ୍ତମାନ ଆସୁଛ ? ପରବର୍ତ୍ତିତ ସ୍ଵର ଶୁଣି ଟିକିଏ ଶାନ୍ତିରେ ଆଶ୍ୱସ୍ତି ଅନୁଭବ କଲେ ଶ୍ରୀ ଓ ଶ୍ରୀମତି ସିଂ । ଦୁହିଁଙ୍କ ଦେହରେ ଜୀବନ ନଥିଲା—ବର୍ତ୍ତମାନ ଜୀବନ ପଶିଲା ଯେପରି-

 

ଆପଣଙ୍କର ଏପରି ବେଶ–ବଶେଷତଃ ଆପଣଙ୍କ କଣ୍ଠ ସ୍ଵର ଶୁଣି ଆମେ ହତବାକ୍ ହୋଇ ବୁଦ୍ଧି ଶୂନ୍ୟ ହୋଇ ପଡ଼ିଥିଲୁ ।

 

ଆଚ୍ଛା ବେଶୀ ସମୟ ଏଠାରେ ଏପରିଭାବେ ରହିବା ଉଚିତ୍ ନୁହେଁ । ତୁମେ ସେସବୁ ରିପୋର୍ଟ ଗୁଡ଼ିକ ସଙ୍ଗରେ ଆଣିଛ ତ ?

 

ନିଶ୍ଚୟ ତାହା ନଆଣି ଆଉ ଆମେ କ’ଣ ଖାଲି ଆସୁଥିଲୁ । ନିଜର କୋଟ ପକେଟରୁ କେତେକ କାଗଜପତ୍ର ବାହାର କରି ବଢ଼ାଇ ଦେଲେ ମିଃ ସିଂ ଆଗନ୍ତୁକଙ୍କ ହାତକୁ । ଆଗନ୍ତୁକ ଜଣକ ସେସବୁ ନିଜର ପେଡ଼ିରେ ରଖି ହସି ହସି କହିଲା–

 

କ’ଣ ବାବୁ–ଗରମ ଚେନାଚୁର ନେବେ ? ନିଅନ୍ତୁ–ଖାଆନ୍ତୁ ! ଥରେ ଖାଇଲେ ପାଟିରୁ ଛାଡ଼ିବ ନାହିଁ । ଦୁଇଟି ପୁଡ଼ିଆ ସଜାଇ ଦୁଇଜଣଙ୍କ ହାତକୁ ବଢ଼ାଇ ଦେଲା ସେ ।

 

ଚେନାଚୁର୍‌ ପୁଡ଼ିଆଟି ନେଉ ନେଉ ଶ୍ରୀମତୀ ସିଂ କହିଲେ ମୁଁ ଆଉ ସେଠାରେ ରହି ପାରିବନି । ମୋତେ ଆଦୌ ଭଲ ଲାଗୁନି । ଆଜି ମୁଁ ତୁମ ସଙ୍ଗରେ ଫେରିଯିବି ।

 

ହେଉ ଟିକିଏ ମୋ ପାଇଁ କଷ୍ଟ କରି ମାତ୍ର ଆଉ ଦୁଇ ତିନିଟା ଦିନ ରହିଯାଅ । ତା’ପରେ ସବୁ ଠିକ୍ ଠାକ୍ ହୋଇ ଯିବ ତୁମେ ମଧ୍ୟ ତୁମର ସ୍ଵସ୍ଥାନକୁ ଫେରି ଆସିବ ।

 

ହଁ ତୁମେ ଭାରି ଜଣେ ।

 

କୃତ୍ରିମ କ୍ରୋଧ ପ୍ରକାଶ କରି କହୁଥିଲେ ଶ୍ରୀମତୀ ସିଂ ।

 

ଆଚ୍ଛା ଆଚ୍ଛା ତୁମ ଅଭିମାନ ମୁଁ ଠିକ୍ ସମୟରେ ଭାଙ୍ଗିବି । ଏବେ ଯେତେ ଅଭିମାନ କରୁଛ କରୁଥାଅ ।

 

ଆଚ୍ଛା–ଗୁଡ଼ ବାୟ ଟୁ ବୋଥ । ଚେନାଚୁର୍–ଗରମ ଚେନାଚୁର୍‍–ଡାକି ଡାକି ଚାଲିଗଲା ଲୋକଗହଳି ମଧ୍ୟକୁ ଚେନାଚୁର୍‍ ବାଲାଟି ।

 

ମିଃ ଓ ମିସେସ ସିଂ ଫେରିବା ପୂର୍ବରୁ କିଛି ସମୟ ପାଇଁ ପାର୍କରେ ସନ୍ଧ୍ୟାର ପରିବେଶକୁ ଉପଭୋଗ କରିବାକୁ ଗୋଟାଏ ସିମେଣ୍ଟ ବେଞ୍ଚ ଉପରେ ବସି ରହିଲେ ।

 

–ତେର–

 

ମଳୟ ବାବୁଙ୍କ ମୋଟର ବାଇକ୍ ପ୍ରବେଶ କରୁଥିଲା ଜଗତ୍‌ ବନ୍ଧୁ ଷ୍ଟିଲ ଫେକ୍ଟ୍ରିର ହତା ମଧ୍ୟରେ । ଦ୍ଵିତଳ ଏକ ପ୍ରକାଣ୍ଡ ବିଲଡିଂରେ ଫେକ୍ଟ୍ରିର ଅଫିସ କାର୍ଯ୍ୟ କରୁଛି । ଅଫିସକୁ ଛାଡ଼ି ଅଳ୍ପ କେତେ ଗଜ ଦୂରରେ ୱାର୍କସପ୍ ।

 

ମଳୟ ବାବୁ ଆଗେଇ ଚାଲିଲେ ଅଫିସଗୃହ ଅଭିମୁଖରେ । ଦରଓ୍ୟାନ ନେପାଳୀ । ମଳୟ ବାବୁଙ୍କ ଠାରୁ ଭିତରକୁ ଯିବାପାଇଁ ଅନୁମତିପତ୍ର ଚାହିଁଲା ସେ ।

 

ବାକ୍ୟବ୍ୟୟ ନକରି ପକେଟରୁ ନିଜର ନାମାଙ୍କିତ କାର୍ଡଟି ବାହାର କରି ତତ୍‌କ୍ଷଣାତ୍‌ ବଢ଼ାଇ ଦେଲେ ଦରୱାନ ହାତକୁ ।

 

‘ଜେନେରାଲ ମେନେଜର’ ।

 

ଦରୱାନଟି waiting ରୁମରେ ଅପେକ୍ଷା କରିବାକୁ ଇଙ୍ଗିତ ଦେଇ ଭିତରକୁ ପ୍ରବେଶ କଲା । ବାହାରେ ଅପେକ୍ଷା–ମାଣ ମଳୟ ବାବୁ ।

 

ପାଞ୍ଚ ମିନିଟ–ଦଶ ମିନିଟ ଗଲା । ତଥାପି ଦରୱାନ ଫେରିବାର କିଛି ସଙ୍କେତ ଦେଖିପାରୁ ନଥିଲେ ସେ । ମନେ ମନେ ବଡ଼ ବିରକ୍ତ ହେଉଥିଲେ ।

 

ହଠାତ୍ ଶୁଣିଲେ–ଏକ ନାରୀକଣ୍ଠର ଉଚ୍ଚ ହାସ୍ୟରୋଳ ଭାସି ଆସୁଛି ଜେନେରାଲ ମେନେଜରଙ୍କ ରୁମ ଆଡ଼ୁ ।

 

ମଳୟ ବାବୁ ସ୍ତମ୍ଭିତ ହେଲେ । ମନରେ ତାଙ୍କର କୌତୁହଳ ଜାତ ହେଲା । ସେ ଅଧିକ ଆଉ ଦରୱାନକୁ ଅପେକ୍ଷା ନକରି ଦ୍ଵାର ଅତିକ୍ରମ କଲେ ।

 

ଜେନେରାଲ୍ ମେନେଜରଙ୍କ ଦ୍ଵାର ମୁହଁର ଏକ କଡ଼ରେ ବିଚାରା ଦରୱାନଟି ଏକମୁହାଁ ହୋଇ ଠିଆ ହେଉଛି । ବୋଧହୁଏ ଆଗ୍ରହର ସହିତ ଶୁଣୁଛି ଘର ଭିତରେ ସୃଷ୍ଟି ହେଉଥିବା ଶବ୍ଦକୁ-

 

ମଳୟ ବାରୁ ଚୁପ୍ ଚାପ୍ ପାଦ ପକାଇ ପକାଇ ଦରୱାନଟିର ପଛ ପାଖରେ ଠିଆହେଲେ । ଦରୱାନଟି ଏତେ ଭାବାମଗ୍ନ ଥିଲା ଯେ ସେ ତାଙ୍କର ଉପସ୍ଥିତି ସମ୍ବନ୍ଧରେ ବିନ୍ଦୁବିସର୍ଗ ବି ଜାଣି ପାରିଲା ନାହିଁ ।

 

ମଳୟ ବାବୁ କାନଡେରି ଶୁଣିବାକୁ ଚେଷ୍ଟାକଲେ । ଅକ୍ଳେଶରେ ମଧ୍ୟ ଶୁଣି ପାରିଲେ । ହାସ୍ୟରୋଳ ସେତେବେଳକୁ ଥଣ୍ଡା ପଡ଼ିଯାଇଥିଲା ସତ କିନ୍ତୁ କଥୋପକଥନର ସୁଅ ଛୁଟିଥିଲା । ସେ ସବୁ କଥା ବାର୍ତ୍ତାଥିଲା ଏକ ଅବୈଧ ସଂପର୍କରେ ।

 

ଦରୱାନ ଓ ମଳୟ ବାବୁ ଶୁଣୁଥିଲେ ଧିର ସ୍ଥିର ଚିତ୍ତରେ ସେ ସମସ୍ତ ଅଶ୍ଳୀଳ ଏବଂ ଚାଟୁପୂର୍ଣ୍ଣ ବାକ୍ୟାଳାପକୁ । କିନ୍ତୁ ସେ ସମସ୍ତ କ୍ରମେ କ୍ରମେ ଲୋପ ହୋଇ ଆସିବାକୁ ଲାଗିଲା ଦୁହିଁଙ୍କର ଅଶ୍ଳୀଳ କାର୍ଯ୍ୟ କଳାପ ପାଇଁ ।

 

ମଳୟବାବୁ ଆଉ ଅଧିକ ସମୟ ସେଠାରେ ରହିବାକୁ ଉଚିତ ମଣିଲେ ନାହିଁ । ହୁଏତ କିଛି ସମୟପରେ ରୁମର କବାଟ ଫିଟିଯିବ । ଫେରି ଆସିଲେ ସେ ୱେଟିଂ ରୁମକୁ ।

 

ୱେଟିଂ ରୁମରେ ବସିବାର ପ୍ରାୟ ୨ ମିନିଟ ପରେ ଦରୱାନ ଫେରି ଆସିଲା ସେଠାକୁ ।

 

କ’ଣ ଯିବାକୁ ଅନୁମତି ମିଳିଲା ? ସାହେବ କ’ଣ କରୁଛନ୍ତି ? କିଛି ନଜାଣିଲା ପରି ପଚାରିଲେ ମଳୟ ବାବୁ ଦରୱାନଟିକୁ ।

 

ଦରୱାନ ବିଚାରା ପ୍ରଥମେ ବଡ଼ ହଡ଼ବଡ଼େଇ ଗଲା । ଏହା ମଧ୍ୟ ମଳୟ ବାବୁଙ୍କ ଆଖିରୁ ବାଦ ଗଲାନି ।

 

ଟିକିଏ ଛେପ ଢୋକି ଦରୱାନ ଉତ୍ତର ଦେବାକୁ ଚେଷ୍ଟା କଲା । ସାହେବ ଲେକିନ ବିଜି-। ଆପ୍ ଔର ଦୋ–ଚାର ମିନିଟ୍ ଠୈରୋ ।

 

ମଳୟ ବାବୁ ସାମାନ୍ୟ ହସିଲେ–କିଛି ନକହି କେବଳ ମୁଣ୍ଡ ହଲାଉ ଥିଲେ ।

 

ପକେଟରୁ ଖଣ୍ଡିଏ ସିଗାରେଟ୍ ବାହାର କରି ମଳୟ ବାବୁ ସେଥିରେ ନିଆଁ ଧରାଇଲେ । ଆଉ ଖଣ୍ଡିଏ ଦରୱାନ ଆଡ଼କୁ ବଢ଼ାଇ ଦେଲେ ।

 

ସିଗ୍ରେଟ ପିଲୋ ।

 

ଦରୱାନ ଖୁସିହୋଇ ସିଗାରେଟ୍ ଖଣ୍ଡକ ନେଇ ଟାଣିଲା ।

 

ମେନେଜରଙ୍କର ରୁମ ଖୋଲିବାର ଶବ୍ଦ ହେଲା । ଦରୱାନ ଉଠି ପଡ଼ିଲା । ଆତା ହୁଁ କହି ମେନେଜରଙ୍କ ରୁମ ଆଡ଼କୁ ଆଗେଇ ଗଲା ।

 

ମଳୟ ବାବୁ ଦେଖିଲେ ମେନେଜରଙ୍କର ରୁମରୁ ବାହାରି ଆସୁଥିଲେ ଜଣେ ତରୁଣୀ ନିଜର ଅସଂଲଗ୍ନ ଅଙ୍ଗବାସକୁ ସଜାଡ଼ି ସଜାଡ଼ି ।

 

ମଳୟ ବାବୁ ଦେଖିଲେ କେବେ ତାଙ୍କର ହୁଏତ ଚିହ୍ନିବାରେ ଭୁଲ ହୋଇନି । ନିଶ୍ଚୟ ଏ ତରୁଣୀ ଜଣକ ଜେନେରାଲ ମେନେଜରଙ୍କର ବ୍ୟକ୍ତିଗତ ସହକାରୀ ମିସ୍ ପୁଷ୍ପା ବାନାର୍ଜୀ ।

 

‘ନା–ତାଙ୍କର ଚିହ୍ନିବାରେ ଆଦୌ ଭୁଲ ହୋଇନାହିଁ । ଯଦିଓ ସେ ହଠାତ୍ କରି ପଶିଗଲେ ଟୟେଲେଟ ରୁମକୁ ତଥାପି ସେ ଠିକ୍ ଚିହ୍ନି ନେଇଛନ୍ତି । ମନେ ମନେ ଦୋହରାଉଥିଲେ ମଳୟ ବାବୁ ।

 

ସୁବ୍ରତ ବାବୁଙ୍କ ବ୍ୟକ୍ତିଗତ ପରିଚୟ ତା’ହେଲେ ଏଇଆ । ପୁଷ୍ପା ବାନାର୍ଜୀ ଆଉ ସୁବ୍ରତ ବାବୁଙ୍କ ଚରିତ୍ରରୁ ହିଁ ଜଣାଯାଉଛି ଯେ ସେ ଦୁହିଁଙ୍କୁ ବର୍ତ୍ତମାନ ପାଇଁ ଅନ୍ତତଃ ବିଶ୍ଵାସ କରାଯାଇ ପାରେନା । ପୁଷ୍ପା ବାନାର୍ଜୀ ପୂର୍ବରୁ ସନ୍ଦେହର ଗଣ୍ଡି ମଧ୍ୟରେ ରହିଯାଇ ଥିଲେ ଆଉ ତାଙ୍କ ସହିତ ଯୋଗ ଦେଲେ ସୁବ୍ରତ ବାବୁ । ଚିନ୍ତାକରି ଯାଉଥିଲେ ଘଟିଯାଇଥିବା କଥା ଗୁଡ଼ିକୁ କିଛି କିଛି ପରିମାଣରେ ମଳୟ ବାବୁ ।

 

ଆଇୟେ ସାବ୍ । ପରମିସନ୍ ମିଲ୍ ଗୟା । ଦରୱାନ ଆସି ଡାକିଲା ମଳୟ ବାବୁଙ୍କୁ । ମଳୟ ବାବୁ ଅନୁସରଣ କଲେ ଦରୱାନକୁ ।

 

ଶୀତ ତାପ ନିୟନ୍ତ୍ରିତ ଏକ କୋଠରୀ–ଜେନେରାଲ ମେନେଜର ସୁବ୍ରତ ବାବୁଙ୍କ ଅଫିସ ରୁମ ।

 

ମଳୟ ବାବୁଙ୍କୁ ଦେଖି ପ୍ରଥମେ ନମସ୍କାର କଲେ ସେ । ଡନଲପ୍ ଚେୟାର ଉପରେ ବସିବାକୁ ଅନୁରୋଧ କରୁଥିଲେ ବହୁତ ଆଗ୍ରହ ସହକାରେ । ସତେଯେପରି ମଳୟ ବାବୁଙ୍କର ଆଗମନରେ ସେ ବିଶେଷ ଆନନ୍ଦରେ କୃତ୍ୟ କୃତ୍ୟ ହୋଇ ଯାଉଛନ୍ତି ।

 

ମଳୟ ବାବୁ ପ୍ରତିନମସ୍କାରାନ୍ତେ ଆସନ ଗ୍ରହଣ କଲେ । ଏକ ପ୍ରକାର ଗନ୍ଧର ତୀବ୍ରତା ଅନୁଭବ କଲେ ସେ । ସେ ଗନ୍ଧ ‘ଥ୍ରି ଏକ୍‌ସ–ବିଅର’ ବ୍ୟତୀତ ଆଉ କିଛି ନୁହେଁ ବୋଲି ତାଙ୍କର ହୃଦ୍‌ବୋଧ ହେଲା ।

 

“ବାଃ–ସୁରା ଆଉ ସାକୀ” । ମନେ ମନେ ହସିଲେ ସେ ।

 

କୁହନ୍ତୁ ! ଆପଣଙ୍କ ପାଦ ହଠାତ୍ କିପରି ଏଠାରେ ପଡ଼ିଲା ? ମୋ ଦ୍ଵାରା କି’କାର୍ଯ୍ୟ ହୋଇପାରେ ? କଲିଂ ବେଲ ଚିପୁଚିପୁ କହିଲେ ସୁବ୍ରତ ବାବୁ ।

 

ନା–ସେପରି ବିଶେଷ କିଛି ଆବଶ୍ୟକତା ନଥିଲା । ତଥାପି ଏମିତି ଆସୁ ଆସୁ ଚାଲିଆସିଲି । ଭାବିଲି, ଯାଏ ସୁବ୍ରତ ବାବୁଙ୍କ ଆଡ଼ୁ ଅନ୍ତତଃ ଟିକିଏ ବୁଲି ଆସେ ।

 

ହେଉ–ଆସିଲେ ଭଲ କଲେ ।

 

ଠିକ୍ ଏତିକିବେଳେ ଅଫିସ ପିଅନ ପଶିଆସିଲା । କଫି ଦୁଇକପ ଆଣିବା ପାଇଁ ବରାଦ ଦେଲେ ସୁବ୍ରତ ବାବୁ । ସମ୍ମତି ସୂଚକ ଭଙ୍ଗୀରେ ନୀରବରେ ଫେରି ଗଲା ସେ ।

 

ଅଧାଥିବା କଥାକୁ ପୁଣି ଆରମ୍ଭ କଲେ ମଳୟବାବୁ–ଆଚ୍ଛା, ବାସନ୍ତୀ ଦେବୀଙ୍କର କ’ଣ କିଛି ଖବର ମିଳିଲା ?

 

ନା–ଆଉ ମିଳିଲା କେଉଁଠି ? ଆପଣଙ୍କ ଉପରେ ତ ନିର୍ଭର କରି ଆମେ ରହିଛୁ । ଆପଣ କେତେଦୂର ଆଗେଇଲେ ଅନ୍ତତଃ ସେ ବିଷୟରେ ଆମକୁ ଟିକିଏ ସୂଚନା ଦିଅନ୍ତୁ ।

 

ନା–ଆମ୍ଭେ ଆଉ ବିଶେଷ ଆଗେଇ ପାରିନାହୁଁ । ଆପଣଙ୍କ ପରି ଆମ୍ଭେ ମଧ୍ୟ ସେହି ଅଜ୍ଞତା ଅନ୍ଧକାର ମଧ୍ୟରେ ବୁଡ଼ି ରହିଛୁ । କୌଣସି ପ୍ରକାର ଆଲୋକର ଚିହ୍ନବର୍ଣ୍ଣ ମଧ୍ୟ ନାହିଁ ।

 

ନା–ଆପଣ ସେପରି କୁହନ୍ତୁ ନାହିଁ ମଳୟବାବୁ । ଆମ୍ଭର ବିଜ୍‍ନେସ୍‍ ପୁରା ବଦନାମ ହୋଇଯିବ । ଏହାର ଗୋଟାଏ କିଛି ବନ୍ଦୋବସ୍ତ କରନ୍ତୁ ।

 

ଦେଖାଯାଉ–ଆମ୍ଭେମାନେ ତ ଚେଷ୍ଟା କରୁଛୁ । ଆମ୍ଭମାନଙ୍କର ସନ୍ଦେହ ଯଦି ସତ୍ୟ ହୁଏ ତା’ହେଲେ ଦୋଷୀ ଖୁବ୍ ଶୀଘ୍ର ଆଇନର କଡ଼ା ବନ୍ଧନୀ ମଧ୍ୟରେ ନିଶ୍ଚୟ ଆବଦ୍ଧ ହେବ । ଯଥାସମ୍ଭବ ଗମ୍ଭୀରତା ରକ୍ଷାକରି କହିଲେ ମଳୟ ବାବୁ ।

 

ତା’ହେଲେ ଆପଣ ଏ ସମ୍ବନ୍ଧରେ ୟା’ ମଧ୍ୟରେ କିଛି କିଛି ସୁରାକ ପାଇ ସାରିଲେଣି । କ’ଣ ବାସନ୍ତୀକୁ ହତ୍ୟା କରାଯାଇଛି ? ଖୁବ୍‌ ବ୍ୟଗ୍ର ସହକାରେ କହିଯାଉ ଥିଲେ ସୁବ୍ରତ ବାବୁ ।

ମଳୟ ବାବୁ ଲକ୍ଷ କରୁଥିଲେ ତାଙ୍କର ମନଭାବକୁ । ତଥାପି ବାହାରକୁ ତାଙ୍କର ଏପ୍ରକାର ଧାରଣାକୁ ପ୍ରକାଶ କରିବାକୁ ନଦେଇ ଚୁପ୍ ଚାପ୍ ସୁବ୍ରତ ବାବୁଙ୍କର ପ୍ରଶ୍ନର ଯଥାଯର୍ଥ ଉତ୍ତର ଦେଇ ଚାଲିଥିଲେ ।

ନା–ବିଶେଷ କିଛି ସୁରାକ ନପାଇ ଥିଲେ ମଧ୍ୟ ବାସନ୍ତୀ ଦେବୀ ଯେ ଆତ୍ମହତ୍ୟା କରିନାହାନ୍ତି ଏବଂ ତାଙ୍କୁ ହତ୍ୟା କରାଯାଇଛି ଏଥିରେ ଆମେ ସ୍ଥିର ନିଶ୍ଚିନ୍ତ ।

କ’ଣ ତାଙ୍କୁ ଏଠାରୁ ହରଣଚାଳ କରାଯାଇ ହତ୍ୟା କରାଯାଇଛି ? ନା–ଅନ୍ୟ କିଛି ଧାରଣା କରୁଛନ୍ତି ।

ନା–ସେ ସବୁ ସମ୍ବନ୍ଧରେ ଆମ୍ଭେ କିଛି ନିଶ୍ଚିନ୍ତରେ ନପହଞ୍ଚି ଥିଲେ ମଧ୍ୟ ଏକଥା ସତ୍ୟ ଯେ ମୃତ୍ୟୁ ସ୍ଥଳକୁ ତାଙ୍କୁ ହରଣଚାଳ କରି ନିଆ ଯାଇ ନଥିଲା–ନିଜେ ନିଜେ ଯାଇ ଥିଲେ ହୁଏତ ତାଙ୍କୁ ସେଠାକୁ ପଠାଯାଇ ଥିଲା ।

ପଠାଯାଇଥିଲା ? ଅର୍ଥାତ୍ ?? ଆପଣ କ’ଣ କହିବାକୁ ଚାହାନ୍ତି ??? ସୁବ୍ରତ ବାବୁ ଏପରିଭାବେ ଏଗୁଡ଼ିକୁ ପଚାରି ଗଲେ ଯେ–ହୁଏତ ସେ ଯେପରି ତାଙ୍କର ଅସ୍ଥିର ହରେଇ ଦେବେ ।

ମଳୟ ବାବୁଙ୍କ ଆଖିରୁ ତାଙ୍କର ଏପରି ଭାବପ୍ରବଣତା ଓ ବିଚଳିତ ଭାବ ବାଦ୍ ଗଲାନି-। ତଥାପି ସେ ଚୁପ୍ ରହିଥିଲେ–ଖାଲି ଲକ୍ଷ କରି ଯାଉଥିଲେ ।

ଅର୍ଡ଼ରଲି କଫି ଦୁଇ କପ୍ ଆଣି ଥୋଇ ଦେଇ ଗଲା । ଦୁହେଁ ଗୋଟିଏ ଗୋଟିଏ କପ୍ ଉଠାଇ ନେଲେ ।

କଫି ପାନ କରୁ କରୁ ଅସମ୍ପୂର୍ଣ୍ଣ କଥାବାର୍ତ୍ତାକୁ ପୁଣି ଆରମ୍ଭ କରି ସୁବ୍ରତ ବାବୁ କହିଲେ–

ମୋର ପ୍ରଶ୍ନର ଉତ୍ତର ଦେଲେନି ଯେ ମଳୟବାବୁ ?

ଉତ୍ତର ଆଉ ଦେବି କ’ଣ ? ଅନୁମାନ କରାଯାଉଛି କେବଳ–ସେଥିରେ କ’ଣ କିଛି ଠିକ୍ ଅଛି ? ହୁଏତ ନିଜର ବ୍ୟକ୍ତିଗତ କାର୍ଯ୍ୟ ପାଇଁ ବି ବାସନ୍ତୀ ଦେବୀ ଯାଇ ପାରିଥାନ୍ତି । ତଥାପି...

ନା ଆଉ ତଥାପି କ’ଣ । ବରଂ ମୁଁ ଖୁବ୍ ଶୀଘ୍ର ଏହି ବିଷୟରେ କିଛି ଗୋଟାଏ ଗୁରୁତ୍ଵପୂର୍ଣ୍ଣ ସମ୍ବାଦ ଆପଣଙ୍କୁ ଯୋଗାଇ ଦେଇ ପାରିବି ବୋଲି ଆଶା କରୁଛି । ଆସନ ଛାଡ଼ି ଉଠୁ ଉଠୁ କହୁଥିଲେ ମଳୟ ବାବୁ ।

ଆପଣ ଉଠିଲେ ଯେ–ଆଉ କିଛି ସମୟ ବସନ୍ତୁନା ।

ନା । ମୋର ତେଣେ ଅନ୍ୟ ଏନଗେଜ୍ ମେଣ୍ଟ ଅଛି । ପରେ ସମୟ ଦେଖି ଆସିବି । ଆଉ ଉତ୍ତରକୁ ଅପେକ୍ଷା ନକରି ଆଗେଇଲେ ମଳୟ ବାବୁ ଏବଂ ଦ୍ଵାର ପର୍ଯ୍ୟନ୍ତ ବାଟେଇ ଦେବାକୁ ଆସୁଥିଲେ ସୁବ୍ରତ ବାବୁ ।

 

–ଚଉଦ–

 

ଖାକି ପୋଷାକ ପରିହିତ ପୋଷ୍ଟ ପିଅନଟି ଆସି ଖୁବ୍ ସକାଳୁ ସକାଳୁ ମଳୟ ବାବୁଙ୍କ ଦରଜାରେ ନକ୍ କଲା । ନକ୍ ପରେ ନକ୍ । ରତନା ନିଦ ମଳମଳ ଅଖିରେ ଆସି ଦ୍ଵାର ଖୋଲିଲା ।

 

ସାର୍‌ଙ୍କର ଗୋଟିଏ ଇନ୍‌ସିଓଡ଼ ଅଛି । ଟିକିଏ ଡାକିଦିଅ । ରତନା ଫେରିଲେ ମଳୟ ବାବୁଙ୍କୁ ଡାକିବାକୁ ।

 

ମଳୟ ବାବୁ ନାଇଟ୍ ଗାଉନ ପିନ୍ଧିଥିବା ଅବସ୍ଥାରେ ପଶି ଆସିଲେ ଡ୍ରଇଁ ରୁମକୁ । ପୋଷ୍ଟ ପିଅନ ସଂଭ୍ରମ ଅଭିବାଦନ କରି ଇନ୍‌ସିଓଡ଼ଟି ବଢ଼ାଇଦେଇ ଖଣ୍ଡେ ଏକନଲେଜମେଣ୍ଟ କାଗଜରେ ଦସ୍ତଖତ କରାଇ ନେଇ ଚାଲିଗଲା ।

 

ମଳୟ ବାବୁ ସରକାରୀ ଇନ୍‌ସିଓଡ଼ଟି ଦେଖିଲେ ବମ୍ବେରୁ ଆସିଛି । ମନ ମଧ୍ୟରେ ବ୍ୟଗ୍ରତା କ୍ରମେ ଅଧିକରୁ ଅଧିକ ପ୍ରକାଶ ପାଇବାକୁ ଲାଗିବାକୁ ଆରମ୍ଭ କଲା । ସେହି ଡ୍ରଇଁ ରୁମ୍ ରେହିଁ ସେ ଖୋଲି ପକାଇଲେ ଇନ୍‌ସିଓଡ଼ଟିକୁ । ତା’ ମଧ୍ୟରେ ଖଣ୍ଡିଏ ଚିଠି ଓ କେତେ ଖଣ୍ଡ ଫିଙ୍ଗର ପ୍ରିଣ୍ଟ ଫଟୋ ଓ ଡକୋମେଣ୍ଟ ଆଦି ଥିବାର ଦେଖିଲେ । ଫେରି ଆସି ନିଜର ଅଫିସ ରୁମରେ ସବୁ ଭଲ ଭାବରେ ଦେଖିବାଟା ଉଚିତ ମନେକଲେ ।

 

ସବୁ ଡକୋମେଣ୍ଟ ଗୁଡ଼ିକୁ ଭଲ ଭାବରେ ତନଖି ଦେଖୁଥିଲେ । ମୁହଁର ଭଙ୍ଗୀ ମଧ୍ୟ ପରବର୍ତ୍ତିତ ହେଉଥିଲା । ସମସ୍ତ ଦେଖିସାରି ଡ୍ର ମଧ୍ୟରେ ରଖି ଗୋଟାଏ ସ୍ଵସ୍ଥିର ନିଶ୍ଵାସ ମାରିଲେ ମଳୟ ବାବୁ । ଅନ୍ଧକାର ଧିରେ ଧିରେ ଅପସରି ଯାଉଥିଲା ଏବଂ ଆଲୋକ ତଥା ସୂର୍ଯ୍ୟଙ୍କର ଆଭା କ୍ରମେ କ୍ରମେଫୁଟି ଉଠୁଥିଲା ।

 

ମଳୟ ବାବୁ ବାଥରୁମ୍ ଆଟାଚଡ୍ ଲେଟରିନ୍‌ ଗଲେ–ରତନାକୁ ଚା’କରିବା ପାଇଁ ବରାଦ୍ ଦେଇ ।

 

ମଳୟ ବାବୁଙ୍କର ନିତ୍ୟକର୍ମ ଶେଷବେଳକୁ ରତନା ଚା’–ବିସ୍କୁଟଆଣି ପହଞ୍ଚାଇଲା । ମଳୟ ବାବୁ ସେତକ ଆତ୍ମସାତ୍ କରିସାରି ଫୋନ୍‍ର ଡାଏଲ ଘୁରାଇଲେ ।

 

ହେଲୋ...ହେଲୋ... ଆଇ ଆମ୍ ମଳୟ ସ୍ପିକିଂ ।

 

କିଏ ଆପଣ ?ନିହାର ବାବୁଙ୍କ ଘରୁ କହୁଛନ୍ତି ତ ?

 

ଆଚ୍ଛା–ନମସ୍କାର ମିସେସ୍ ପଟ୍ଟନାୟକ । ନିହାର ବାବୁ ତେବେ କୁଆଡ଼େ ଯାଇଛନ୍ତି ? ଫେରିବେ କେତେବେଳକୁ ?

 

ଯଦି ଆପଣ ଜାଣିନାହାନ୍ତି ବୋଲି କହୁଛନ୍ତି–ତା’ହେଲେ ଗୋଟେ କଥା କରନ୍ତୁ ! ନିହାର ବାବୁ ଆସିଲା ମାତ୍ରେ ତାଙ୍କୁ ସିଧା ମୋ ଘରକୁ ପଠାଇ ଦିଅନ୍ତୁ । ବିଶେଷ ଦରକାର ଅଛି ।

 

ଓ: କେ:

 

ଫୋନଟି ସଶଦ୍ଦେ ରଖିଲେ ମଳୟ ବାବୁ । ସହକାରୀ ଶଚିକାନ୍ତ ପାଖକୁ ଅନ୍ତତଃ ଫୋନଟା କରି କିଛି ସମ୍ବାଦ ନେବାକୁ ଚିନ୍ତା କରୁଥିଲେ, ମଳୟ ବାବୁ । ଠିକ୍ ସେହି ସମୟରେ ଘରର କଲିଂବେଲଟି ଚିତ୍କାର କରି ଉଠିଲା । ...କ୍ରିଂ...କ୍ରିଂ...କ୍ରିଂ

 

ଇଏସ୍ କମ୍ଇନ୍ । ଗମ୍ଭୀର ସ୍ଵରରେ କହିଲେ ମଳୟ ବାବୁ । ଏବଂ ଗୃହ ମଧ୍ୟକୁ ଯିଏ ପ୍ରବେଶ କଲେ ତାଙ୍କୁ ଦେଖି ଖୁବ ଆଶ୍ଚର୍ଯ୍ୟ ହୋଇଗଲେ ସେ । ସେ ଆଦୌ ଏପରି ଚିନ୍ତା କରି ନଥିଲେ ଏବଂ ନିଜକୁ ନିଜେ ଯେପରି ବିଶ୍ଵାସ କରି ପାରୁନଥିଲେ ।

 

କ’ଣ ଏତେ ଦେଖୁଛନ୍ତି ମୋ ମୁହଁରେ ?

 

ନିଜର ସଂବିତ୍ ଫେରି ପାଇଲେ ମଳୟ ବାବୁ । ନିଜକୁ ଟିକିଏ ଅପ୍ରତିଭ ଲାଗିଲା ତରୁଣୀଙ୍କର ଏପ୍ରକାର ପ୍ରଶ୍ନବାଚୀ ବାକ୍ୟଟିରେ । ଚେୟାରଟିଏ ଦେଖାଇ ବସିବାକୁ କହିଲେ ତାଙ୍କ ଅତି ନମ୍ର ଅଥଚ ଗାମ୍ଭୀର୍ଯ୍ୟ ପୂର୍ଣ୍ଣ କଣ୍ଠରେ ।

 

ତରୁଣୀଟି ବସିଲା ପରେ ତାଙ୍କ ଆଗମନର ଉଦ୍ଦେଶ୍ୟ ବର୍ଣ୍ଣନା କଲେ–

 

ମୋତେ ଆପଣ ବର୍ତ୍ତମାନ ସ୍ଵଚକ୍ଷୁରେ ଦେଖି ନିଶ୍ଚିତରୂପେ ବିସ୍ମିତ ହୋଇ ଯାଉଥିବେ । କିନ୍ତୁ ମୁଁ ଏକ ବାସ୍ତବ ।

 

କିନ୍ତୁ ଆପଣ କ’ଣ...

 

କ’ଣ କହିବାକୁ ଚାହୁଁଥିଲେ ମଳୟ ବାବୁ ପ୍ରଶ୍ନବାଚୀ ନୟନରେ । କିନ୍ତୁ ତାଙ୍କୁ ଅଧିକ କିଛି ଆଉ କହିବାକୁ ନଦେଇ ଆରମ୍ଭ କଲେ ପୁଣି ଭଦ୍ର ମହିଳା ।

 

ହଁ ମୁଁ ବର୍ତ୍ତମାନ ସୁଦ୍ଧା ଜୀବିତ ଅଛି–ମୋର ଆଦୌ ମୃତ୍ୟୁ ହୋଇନାହିଁ । ଅନ୍ୟମାନଙ୍କ ପରି ଆପଣଙ୍କର ମଧ୍ୟ ଭୁଲ ହୋଇ ଯାଇଛି । ଆପଣ ଠକି ଯାଇଛନ୍ତି ।

 

ତା’ହେଲେ ଯାହାର ମୃତ୍ୟୁହେଲା ? ...ଯାହାକୁ ମୃତ ଅବସ୍ଥାରେ ଆମ୍ଭେମାନେ ଆବିଷ୍କାର କଲୁ ?ଯାହାର ଶବକୁ ପୋଷ୍ଟମର୍ଟମ କଲୁ–ସେ କିଏ ?

 

ମଳୟ ବାବୁ ଏକା ନିଶ୍ଵାସରେ ଏତେ ଗୁଡ଼ାଏ ପ୍ରଶ୍ନ ପଚାରିଗଲେ ଭଦ୍ର ମହିଳାଙ୍କୁ । ସତେ ଯେପରି ସେ ତାଙ୍କୁ ଏବଂ ତାଙ୍କର କଥାକୁ ଆଦୌ ବିଶ୍ଵାସ କରି ପାରୁ ନାହାନ୍ତି କିନ୍ତୁ କ’ଣ କରିବେ ନିଜକୁ ତଥା ନିଜ ଆଖିକୁ ତ ଆଉ ଅବିଶ୍ଵାସ କରି ପାରୁନାହାଁନ୍ତି ।

 

ଭଦ୍ର ମହିଳା ମଳୟ ବାବୁଙ୍କର ସନ୍ଦେହ ଦୂର କରିବାକୁ ଯାଇ କହିଲେ...

 

ସବୁ ରହସ୍ୟ ତ ସେଇଠି । ଆପଣ ଟିକିନିଖି କରି ସବୁ ଶୁଣି ସାରିଲାପରେ ମନେ ମନେ ବିଷୟବସ୍ତୁ ଗୁଡ଼ିକୁ ସୂକ୍ଷ୍ମ ଭାବରେ ପର୍ଯ୍ୟାଲୋଚନା କରିଯିବେ ଏବଂ ସବୁ କଥା ପରିଷ୍କାର ହୋଇଯିବ ଆପଣଙ୍କ ନିକଟରେ ।

 

ମଳୟ ବାବୁ ନିରବରେ ମଥା ହଲାଇ ସମ୍ମତି ପ୍ରକାଶ କଲେ । ତା’ପରେ ଭଦ୍ର ମହିଳା କହିଲେ—

 

ଆପଣ ବରଂ ମୋ ସହିତ ଆସନ୍ତୁ ! ମୋ ଘରେ ସବୁ କଥା ଆପଣଙ୍କୁ କହିବି । ବଡ଼ ଉଦ୍‌ବିଗ୍ନ ହୋଇ ଚାହିଁ ରହିଛି ଆପଣଙ୍କୁ ‘ଟିକି’ ।

 

ଟିକି ? ଟିକି କିଏ ? ପ୍ରଶ୍ନ କଲେ ମଳୟ ବାବୁ ।

 

ଆପଣ ଆସନ୍ତୁ ତାକୁ ଦେଖିବେ ଏବଂ ସେଠାରେ ତା’ର ପୂର୍ଣ୍ଣ ପରିଚୟ ପାଇବେ ।

 

ମଳୟ ବାବୁ କ୍ଷଣେ କାଳ ଚିନ୍ତା କଲେ । ତା’ପରେ ରତନାକୁ ଡାକିଲେ । କ’ଣ କଫି ନା ଚା’ ଆପଣଙ୍କର ଦରକାର ? ଭଦ୍ର ମହିଳାଙ୍କୁ ପ୍ରଶ୍ନକଲେ ମଳୟ ବାବୁ ।

 

କିଛି ନହେଲେ ବି ଚଳିବ ।

 

ତଥାପି…

 

ଯାହା ହେଲେ ବି ଆପତ୍ତି ନାହିଁ ।

 

ରତନାକୁ ୨ କପ୍ ଚା’ କରିବାକୁ ଏବଂ ଭଦ୍ର ମହଳାଙ୍କୁ କିଛି ସମୟ ପାଇଁ ସେଠାରେ ଅପେକ୍ଷା କରିବାକୁ କହି ମଳୟ ବାବୁ ଡେସିଂ ରୁମକୁ ପଶି–ଗଲେ ନିଜର ପୋଷକ ବଦଳାଇବାକୁ-

 

ଭଦ୍ର ମହିଳାଙ୍କ ସହିତ ଯିବାକୁ ସେ ପ୍ରସ୍ତୁତ ହେଉଥିଲେ ଏବଂ ପ୍ରସ୍ତୁତ ହେଉଥିଲେ କିଛି ଗୋଟାଏ ନୂତନ ଆବିଷ୍କାର କରିବାକୁ ।

 

ତାଙ୍କର ପୋଷାକ ପରିବର୍ତ୍ତନ ବେଳକୁ ରତନା ଚା’ ଆଣି ଦେଇ ସାରିଛି । ଦୁହେଁ ଚା’ ପର୍ବ ଶେଷକଲେ ନୀରବରେ ।

 

ରତନାକୁ ଶଚୀକାନ୍ତଙ୍କ ପାଇଁ ଓ ଅନ୍ୟାନ୍ୟ କେତେକ ନିର୍ଦ୍ଦେଶ ଦେଇ ଗୃହ ତ୍ୟାଗ କଲେ ଭଦ୍ରମହିଳାଙ୍କୁ ଅନୁସରଣ କରି ।

 

–ପନ୍ଦର–

 

ଅମାବାସ୍ୟାର କୃଷ୍ଣ କବରୀ ତଳେ ପ୍ରଖର ନିଶ୍ଵାସ ନେଉଥିଲା ସେଦିନର କାଳ ରାତ୍ରୀ । ପ୍ରକୃତ ପ୍ରକ୍ଷେ ତାହା ଥିଲା ଏକ କାଳ ରାତ୍ରୀ–ଦୃଷ୍ଟ ଏବଂ ଖଳ ପ୍ରକୃତିର ସେହି ସଇତାନ ମାନଙ୍କ ପକ୍ଷରେ ଆଉ ମଧ୍ୟ ସେମାନଙ୍କୁ ଶାସନ କରିବାର ଦାଇତ୍ଵ ନେଇଥିବା ଗୋଏନ୍ଦା ଓ ପୋଲିସ ମାନଙ୍କ ପକ୍ଷରେ ।

 

ମଳୟ ବାବୁ ଶଚୀକାନ୍ତ ବାବୁ ଏବଂ ନିହାର ବାବୁଙ୍କୁ କେତେକ ନିର୍ଦ୍ଦେଶ ନିମ୍ନ କଣ୍ଠରେ ଦେଉଥିଲେ । ଅଦୂରରେ ସୁସଜ୍ଜିତ ତିନୋଟି ସଶସ୍ତ୍ର ମିଲିଟାରୀ ଭ୍ୟାନ୍ ମିଲିଟାରୀ ପୋଲିସ୍ ମାନଙ୍କୁ ବୁକୁରେ ଧରି ଦଣ୍ଡାୟମାନ । ସତେ ଯେପରି ସେ ମଧ୍ୟ ଆଜି ବିଜୟ ଆଶାରେ ଉତ୍‌ଫୁଲିତ ଏବଂ ଗର୍ବିତ ।

 

ମଳୟ ବାବୁଙ୍କର ଆବଶ୍ୟକୀୟ ନିର୍ଦ୍ଦେଶ ଦେବା ଶେଷ ହୋଇଛି । ସେ ତନିଜଣ ଜଣେ ଜଣେ ପୋଲିସ୍ ଇନିସପେକ୍ଟରଙ୍କ ସହକାରୀ ରୂପେ ନେଇ ଆଗେଇ ଗଲେ ଭିନ୍ନ ଭିନ୍ନ ତିନୋଟି ଜିପ୍ ଆଡ଼କୁ । ପ୍ରତି ଜିପ୍ ପଛରେ ଗୋଟିଏ ଗୋଟିଏ ପୋଲିସ୍ ଭ୍ୟାନ ଗଡ଼ି ଚାଲିଲା । ତିନୋଟି ଜିପ୍ ଭିନ୍ନ ଭିନ୍ନ ତିନୋଟି ରାସ୍ତା ଧରିଲେ ।

 

ଶଚୀକାନ୍ତ ଓ ନିହାର ବାବୁଙ୍କ ଜିପ୍ ମୁହାଁଉଥିଲା ହୋଟେଲ କଂଜରଭେଟିଭର ପଶ୍ଚିମ ଏବଂ ପୂର୍ବଦିଗ ଆଡ଼କୁ ଏବଂ ମଳୟ ବାବୁଙ୍କ ଜିପଟି ଆଗେଇ ଚାଲିଥିଲା ଜଗତ୍ ବନ୍ଧୁ ଷ୍ଟିଲ୍ ଫେକ୍ଟ୍ରି ଆଡ଼କୁ ।

 

ପଥରେ କାହାରି ମୁଖରେ ଭାଷା ନାହିଁ । ସମସ୍ତଙ୍କ ମନ ଏକ ଅଜଣା ଆନନ୍ଦ–ବିସ୍ମୟ ଓ ଆଶଙ୍କାରେ ଦ୍ରବୀଭୂତ । କିଏ ଜାଣେ କି ଘଟଣା ଘଟୁଛି ଆଉ ମାତ୍ର ଅଳ୍ପ କେତୋଟି ମିନିଟ୍ ପରେ ।

 

ଜଗତ ବନ୍ଧୁ ଷ୍ଟିଲ ଫେକ୍ଟ୍ରିର ଆଜି ଆନ୍‍ଭରସାରି ଡେ । ନାଲି–ନେଳି ଆଲୋକରେ ଉଦ୍‌ଭାଷିତ ଏବଂ ନାନାଦି ରୋଳ କୋଳାହଳରେ ମୁଖରିତ ଏହି ଫ୍ୟାକ୍ଟ୍ରିଟି ସତେ ଯେପରି ଆଜି ଅତି ମାତ୍ରାରେ ଜୀବନ୍ତ ହୋଇ ଉଠଛି । ଅଙ୍ଗେ ଅଙ୍ଗେ ତା’ର ବିଳାସ ଓ ଉପଭୋଗର ସାମଗ୍ରୀ ।

 

ଫେକ୍ଟ୍ରିର ମିଟିଂ ହଲଟି ଅତ୍ୟାଧୁନିକ ସାଜ ସଜ୍ଜାରେ ସଜ୍ଜିତ ହୋଇଛି । ଗୋଟିଏ ପରେ ଗୋଟିଏ ମୁଭିଂ ରିପ୍ଲେସେବଲ୍ ପେଣ୍ଡାଲ ସମ୍ମୁଖରେ ଧାଡ଼ି ଧାଡ଼ି ହୋଇ ଡନଲପ୍ ଚେୟାର ଗୁଡ଼ିକ ପଡ଼ିଛି । ଫେକ୍ଟ୍ରିର ବଡ଼ ଛୋଟ ସବୁ କର୍ମଚାରୀଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ ସମାବେଶ ହୋଇଛି । ଏ ସବୁର ଦାୟିତ୍ଵ ବୁଝୁଛନ୍ତି ସ୍ଵୟଂ ଜେନେରାଲ ମେନେଜର୍ ଏବଂ ତାଙ୍କୁ ସାହାଯ୍ୟ କରୁଛନ୍ତି ସକ୍ରିୟ ଭାବରେ ତାଙ୍କର ପ୍ରାଇଭେଟ୍ ସେକ୍ରେଟେରୀ ମିସ୍ ପୁଷ୍ପା ବାନାର୍ଜୀ ।

 

ପେଣ୍ଡାଲ ଉପରେ ବର୍ତ୍ତମାନ ସୋ–ଆରମ୍ଭ ହେବ । ନୃତ୍ୟ କରିବେ ଓଡିଶାର ଖ୍ୟାତନାମା ନୃତ୍ୟଶିଳ୍ପୀ କ୍ଷଣପ୍ରଭା । ନୃତ୍ୟ ପରେ ପରେ ସପର୍ ତା’ପରେ ବିରତି । ଆଜି ଦିନ ତମାମ୍ ବିଭିନ୍ନ ପ୍ରୋଗ୍ରାମ୍ ପରେ ଏହା ହେଲା ଶେଷ ପ୍ରୋଗ୍ରାମ ତା’ପରେ ବିଶ୍ରାମ୍ ।

 

ପେଣ୍ଡାଲ ଉପରେ ନୀଳ ଆଲୋକ ଜଳି ଉଠିଲା–ପରେ ପରେ ନାଲି ଆଲୋକ । ଏକ ପ୍ରକାର ମୃଦୁ ଏବଂ ସ୍ଵପ୍ନିଳ ପରିବେଶ ସୃଷ୍ଟି କରୁଥିଲା । ହଲ୍ ରେ ସମ୍ପୂର୍ଣ୍ଣ ନୀରବତା ବିରାଜମାନ । ସମସ୍ତେ ନୃତ୍ୟ ପାଇଁ ଉଦଗ୍ରୀବ ହୋଇ ବସି ରହିଛନ୍ତି । ମନରେ ସେମାନଙ୍କର ଅକଳନ ବ୍ୟଗ୍ରତା–କେତେବେଳେ ନର୍ତ୍ତକୀଙ୍କର ଆବିର୍ଭାବ ହେବ ମଞ୍ଚ ଉପରେ ।

ସେ ସମୟ ପାଖେଇ ଆସୁଥାଏ ନିକଟରୁ ନିକଟତର ହୋଇ ।

ହଠାତ ମଞ୍ଚର ଆଲୋକ ସବୁ ନିର୍ବାପିତ ହେଲା–ତା’ପରେ ପରେ ନୁପୁରର ରୁଣୁଝୁଣୁ ସହିତ ନୀଳାଲୋକ ଉଦ୍‌ଭାସିତ ହେଲା । ସେହି ନୀଳାଲୋକରେ ଦେଖୁଥିଲେ ଦର୍ଶକ–ଦର୍ଶୀକାବୃନ୍ଦ ନୀଳବାସନା ସୁନ୍ଦରୀ ଅଙ୍ଗର ପ୍ରତିଟି ଭଙ୍ଗୀରେ ପୁରୀ ରହିଥିବା ମାଧୁର୍ଯ୍ୟକୁ । ତନ୍ଵୀ ନର୍ତ୍ତକୀ ନୃତ୍ୟର ତାଳେ ତାଳେ ପ୍ରଦର୍ଶନ କରୁଥିଲେ ତାଙ୍କର ତନୁ ସୌରଭକୁ ସମସ୍ତ କୃତ୍ରିମ ଆବରଣରୁ ମୁକ୍ତ କରି ।

ପୁରୁଷ–ସ୍ତ୍ରୀ, ଯୁବକ ଯୁବତୀ ସମସ୍ତେ ଅପଲକ ନୟନରେ ମୁଗଧ ବିଭୋର ହୋଇ ଚାହିଁ ରହିଛନ୍ତି ମଞ୍ଚ ଉପରକୁ । ସତେ ଯେପରି ପିଇ ଯାଉଥାନ୍ତି କ୍ଷଣ ପ୍ରଭାଙ୍କ କଞ୍ଚା ଦେହର ସେ ନଗ୍ନ ଯୌବନକୁ ।

ନୃତ୍ୟ ଶେଷ ହେଲା । ମଞ୍ଚର ପରଦା ପଡ଼ିଲା । ନିମିଷକ ମଧ୍ୟର ଗୃହରେ ପୁଣି ବିଜୁଳି ଆଲୁଅର ସୁଅ ଛୁଟିଲା । ଲୋକମାନଙ୍କ କରତାଳି ଦେବା ବନ୍ଦ ହୋଇ ନଥାଏ–ହଠାତ୍ ଗୃହ ମଧ୍ୟକୁ କେତେଜଣ ପୋଲିସ୍ କର୍ମଚାରୀଙ୍କ ସମେତ ପ୍ରବେଶ କଲେ ମଳୟବାବୁ ।

ଦର୍ଶକ ମାନଙ୍କ ଦୃଷ୍ଟି ପଡ଼ିଲାକ୍ଷଣି କରତାଳି ଦେବା ସେମାନଙ୍କର ବନ୍ଦ ହୋଇଗଲା । ସମସ୍ତଙ୍କ ଆଖିରେ ଯେପରି ଅଜସ୍ର ବିସ୍ମୟ–ଅସଂଖ୍ୟ ପ୍ରଶ୍ନବାଚୀ ।

ମଳୟ ବାବୁଙ୍କୁ ଏପରି ଭାବେ ଦେଖି ମନରେ କିଛିନା କିଛି ସନ୍ଦେହ ପ୍ରକାଶ କରୁଥିଲେ ମଧ୍ୟ ତାହା ବାହାରକୁ ପ୍ରକାଶ ନକରି ଜେନେରାଲ୍ ମେନେଜର ତାଙ୍କ ନିକଟକୁ ଚାଲି ଆସିଲେ । ଖୁବ୍‌ ଆଦର କଣ୍ଠରେ ପଚାରିଲେ–

ଆପଣ ତ ନିଶ୍ଚୟ ଆମ ନିମନ୍ତ୍ରଣ କାର୍ଡ ପାଇଥିବେ–କିନ୍ତୁ ଏତେ ଡେରି କରିଦେଲେ କେମିତି ?

ମୁଁ ସେଥିପାଇଁ ଦୁଃଖିତ । ଉତ୍ତର ଦେଲେ ମଳୟ ବାବୁ ଅତି ଗମ୍ଭୀର କଣ୍ଠରେ ।

କିନ୍ତୁ ମୁଁ ଆପଣଙ୍କ ନିମନ୍ତ୍ରଣ ରକ୍ଷାକରିବାକୁ ଏଠାକୁ ଆସିନାହି–ବରଂ ଆପଣଙ୍କୁ ନିମନ୍ତ୍ରଣ କରି ସଙ୍ଗରେ ନେଇ ଯିବାକୁ ଆସିଛି । ଅର୍ଥାତ୍ ? ବଡ଼ ବିସ୍ମୟ ଏବଂ ସନ୍ଦିଗ୍‍ଧ କଣ୍ଠରେ ପଚାରିଲେ ଜେନେରାଲ ମେନେଜର । You are arrested. ମୁଁ ଆପଣଙ୍କୁ ଗିରଫ କରୁଛି ?

ହ୍ଵାଟ୍ ? ଆପଣଙ୍କର ତ କମ୍ ସାହସ ନୁହେଁ ମୁଁ ଦେଖୁଛି । ଜାଣନ୍ତି ଏହାର ପରିଣାମ କ’ଣ ହେବ ? ମଳୟ ନାୟକ ତାହା ଭଲକରି ଜାଣେ । ନିଆଁ ସାଙ୍ଗରେ ଖେଳିବା ଆଗରୁ ସେ ପ୍ରଚୁର ପରିମାଣରେ ପାଖରେ ପାଣି ରଖିଥାଏ ।

ମୁଁ ଆପଣଙ୍କ ବିରୁଦ୍ଧରେ ମାନହାନୀ କେଶ କରିବି ।

ହସାଇଲେ ମୋତେ । ଆପଣଙ୍କୁ ବରଂ ମୁଁ ଏକ ହତ୍ୟା ଅପରାଧରେ ବନ୍ଦୀ କରୁଛି । ସବୁ ପ୍ରମାଣ ମିଳିସାରିଛି–ସେ ସବୁ ହିଁ କେବଳ କୋର୍ଟରେ ଦିଆଯିବ । ସାବଧାନ ସେ ଚାଲାକି ମୋ ପାଖରେ ଚଳିବ ନାହିଁ । ସୁନା ପିଲାଟି ପରି ହାତ ପକେଟ ଆଡ଼କୁ, ନନେଇ ଉପରକୁ ଉଠାଅ ନହେଲେ ମୋ ହସ୍ତସ୍ଥିତ କ୍ଷୁଦ୍ର ଯନ୍ତ୍ରଟିରୁ ଗୋଟିଏ ମାତ୍ର ବୁଲେଟ୍‍ ତୁମର ବକ୍ଷ ଭେଦ କରିବ । ମଳୟ ବାବୁଙ୍କର ହସ୍ତରେ ଏକ ଅଟୋମେଟିକ୍ ଶକ୍ତିଶାଳୀ କ୍ଷୁଦ୍ର ପିସ୍ତଲ ଝଲସି ଉଠିଲା ।

 

ଜେନେରାଲ ମେନେଜର ବାଧ୍ୟ ପିଲାଟି ପରି ହାତ ଉପରକୁ ଟେକିଲେ ।

 

ମଳୟ ବାବୁଙ୍କ ନିର୍ଦ୍ଦେଶରେ ଜଣେ ପୋଲିସ୍ କନେଷ୍ଟବଳ୍ ତାଙ୍କ ହାତରେ ହାତକଡ଼ା ଦେଲେ ।

 

ନିକଟରେ ଦଣ୍ଡାୟମାନ ହୋଇଥିବା ପୁଷ୍ପା ବାନାର୍ଜୀଙ୍କ ହାତରେ ମଧ୍ୟ ହେଣ୍ଡକପ୍ ଦିଆଗଲା ।

 

ମୋତେ କାହିଁକ arrest କରୁଛନ୍ତି ?

 

ଅଭିଯୋଗ କରୁଥିଲେ ମିସ୍ ବାନାର୍ଜୀ ।

 

ଆପଣଙ୍କ ବିରୁଦ୍ଧରେ ମଧ୍ୟ ଏ କେଶ ସମ୍ପର୍କୀୟ ବହୁ ଗୁରୁତର ଅଭିଯୋଗ ମାନ ଅଛି–ଏବଂ ପ୍ରମାଣ ମିଳିଛି । ଅପେକ୍ଷା କରନ୍ତୁ ସେ ସବୁ କୋର୍ଟର କାଠଗଡ଼ା ଭିତରେ ଶୁଣିବେ ।

 

ପୋଲିସ୍ ମାନଙ୍କ ଗହଣରେ ମଳୟ ବାବୁ ବନ୍ଦୀ ଦୁହିଁଙ୍କୁ ନେଇ ଫେରିଲେ ।

 

ଉପସ୍ଥିତ ଦର୍ଶକ ଦର୍ଶିକା ଗଣ ଖାଲି ବିସ୍ମିତ ନୟନରେ ଚାହିଁ ରହି ଥିଲେ ।

 

–ଶେଷ–

 

ତା’ ପରଦିନ ସନ୍ଧ୍ୟା । ଏସ୍: ପି: ସାହେବଙ୍କ ସରକାରୀ ବାସ ଭବନରେ ଏକ ଚାହା ଭୋଜି ଅନୁଷ୍ଠିତ ହେଉଥାଏ । ଆଇ:ଜି:, ମଳୟ ବାବୁ, ଶଚିକାନ୍ତ ବାବୁ, ପୁଷ୍ପାଦେବୀ, ଡକ୍ଟର ଦାସ, ଅମିତାଭ, ତାରାମତୀ ଏବଂ ଅନ୍ୟାନ୍ୟ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ଥାନ୍ତି । ସ୍ଵୟଂ ଏସ୍: ପି: ସାହେବ ଅତିଥି ସତ୍କାର କରୁଥାନ୍ତି ।

 

ହଠାତ ଆଇ: ଜି: ସାହେବ କହି ଉଠିଲେ–ଆଚ୍ଛା ମଳୟ ବାବୁ ! ଦୟାକରି ଆପଣ ଏ କେଶ୍‍ର ତଦନ୍ତ ସମ୍ପର୍କରେ କିଛି କୁହନ୍ତୁ । କୋର୍ଟରେ ତ ନିଶ୍ଚୟ ସବୁ କହିବେ ତା’ ପୂର୍ବରୁ ଅନ୍ତତଃ–

 

ମଳୟ କ୍ଷୀଣ ହସି କଥା ଆରମ୍ଭ କଲେ–

 

ଆପଣ ମାନେ ତ ପୂର୍ବ ଘଟଣା ସବୁ ଜାଣନ୍ତି । ମୁଁ କେବଳ କିପରି ଦୋଷୀମାନଙ୍କୁ ଧରି ପାରିଲି ସେହି ସମନ୍ଧରେ କହୁଛି ।

 

ପ୍ରଥମେ ଜଗତ ବନ୍ଧୁ ଷ୍ଟିଲ ଫେକ୍ଟ୍ରିର ଜେନେରାଲ ମେନେଜର ଓ ପୁଷ୍ପା ବାନାର୍ଜୀ ଯେ କି ତାଙ୍କର ପ୍ରାଇଭେଟ ସେକ୍ରେଟାରୀ ଥିଲେ–ମୋର ସନ୍ଦେହ ଭିତରକୁ ଆସିଲେ ଅମିତାଭ ବାବୁଙ୍କ ଡାଇରୀ ପଢ଼ି ସାରିଲା ପରେ ।

 

ସେଥିରେ ମଧ୍ୟ ଲେଖାଥିଲା ଯେ ଅମିତାଭ ବାବୁ ଓ ସୁବ୍ରତ ବାବୁ ଦୁହେଁ ସାଙ୍ଗ ହୋଇ ପଢ଼ୁଥିଲେ ବମ୍ବେରେ ।

 

ତେଣୁ ତାଙ୍କ ବିଷୟରେ ଭଲ ଭାବେ ଜାଣିବାକୁ ବମ୍ବେ ପୋଲିସ୍‍ଙ୍କୁ ଲେଖିଲି । ୟାଃ ମଧ୍ୟରେ ହୋଟେଲ୍ କଂଜରଭେଟିଭରେ ହଠାତ୍ ଦିନେ ସୁବ୍ରତ ବାବୁଙ୍କ ଆବିର୍ଭାବ ମୋର ଆଖି ଆଗରେ ଘଟିଥିଲା । ସେ କେତେଜଣ ଗୁଣ୍ଡା ଶ୍ରେଣୀର ଲୋକମାନଙ୍କୁ କ’ଣ ନିର୍ଦ୍ଦେଶ ଦେଉଥିଲେ ।

 

ତେଣୁ ଏ ହୋଟେଲ ସମନ୍ଧରେ ବିଶେଷ ବିବରଣୀ ପାଇବା ପାଇଁ ଛଦ୍ମବେଶରେ ଶଚୀକାନ୍ତ ଓ ପୁଷ୍ପାଙ୍କୁ ପଠାଇଲି । ସେ ଦୁହେଁ ଆଶ୍ଚର୍ଯ୍ୟ ପ୍ରକାରର ସମ୍ବାଦ ସବୁ ମୋତେ ଦେଲେ । ଏପରିକ ସେହି ହୋଟେଲର ମାଲିକ ସ୍ଵୟଂ ସୁବ୍ରତ ବାବୁ ଓ ହୋଟେଲର ଏକ ଅଣ୍ଡର ଗ୍ରାଉଣ୍ଡ ରୁମ୍ ରେ ଅମିତାଭ ବାବୁ ବନ୍ଦୀ ଅଛନ୍ତି ବୋଲି ଜାଣି ପାରିଲି ।

 

ଏହି ଅବସରରେ ବମ୍ବେ ପୋଲିସଠାରୁ ମୋର ଚାହିଦା ମୁତାବକ ଉତ୍ତର ଆସିଗଲା । ସୁବ୍ରତ ବାବୁଙ୍କ ଫଟୋ, ଫିଙ୍ଗର ପ୍ରିଣ୍ଟ ଆଦି ସେମାନେ ଦେଖି–ତାହା କୁକ୍ଷାତ International cheater–ବ୍ଲୁ–ବାର୍ଡ଼–(ସମର–ସା’) ର ବୋଲି ଜଣାଇଲେ ।

 

କିନ୍ତୁ ମୁଁ ଏ କେଶ୍‍ର ମୋଟିଭ୍ ସମନ୍ଧରେ ବିଶେଷ କିଛି ଜାଣି ନଥାଏ । ହଠାତ୍ ଦିନେ ବାସନ୍ତୀ ଦେବୀଙ୍କ ଆବିର୍ଭାବ ମୋ ବାସ ଭବନରେ ହେଲା । ତାଙ୍କୁ ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି । କିନ୍ତୁ ସବୁ କଥା ଜାଣିଲି ଯେ–ଅମିତାଭ ବାବୁଙ୍କ ଘରେ ଯାହାକୁ ହତ୍ୟା କରା ଯାଇ ଥିଲା ସେ ତାଙ୍କର କନିଷ୍ଠା ଭଗ୍ନୀ ଆରତୀ । ସେଦିନ ସେ ଖୁସିରେ ବାସନ୍ତୀଙ୍କ ହାତରୁ ମୁଦିଟି ଆଣି ପିନ୍ଧିଥିଲା-। କେତେକ କଥା ତାରାମତୀଙ୍କ ଠାରୁ ନେଇ ସେ ଅମିତାଭଙ୍କ ନିକଟକୁ ଯାଇଥିଲା । ଏ ସମ୍ବାଦ ସୁବ୍ରତର ଲୋକେ ସୁବ୍ରତକୁ ଜଣାଇଲେ । ସୁବ୍ରତ ଏହିଠାରେ ଗୋଟାଏ ଫନ୍ଦି ଠିକ୍ କଲା–

 

ସୁବ୍ରତ ଏକ ନଷ୍ଟ ଚରିତ୍ରର ଲୋକ ଥିଲା । ତେଣୁ ସେ ବାସନ୍ତୀ ଓ ପୁଷ୍ପା ବାନାର୍ଜୀ ଦୁହିଁଙ୍କୁ ବିବାହ କରିବ କହି ଉପଭୋଗ କରୁଥାଏ । ପୁଷ୍ପା ବାନାର୍ଜୀ ଏହା ଜାଣି ପାରିଥିଲା । କିନ୍ତୁ ସୁବ୍ରତ କହିଥିଲା ଯେ ସେ ବାସନ୍ତୀକୁ ନୁହେଁ ତାକୁ ହିଁ ବିବାହ କରିବ ।

 

ବର୍ତ୍ତମାନ ଏକ ସୁବିଧା ମିଳିଥିବା ମନେକରି ପୁଷ୍ପାଙ୍କୁ କହିଲା–

 

ବର୍ତ୍ତମାନ ବାସନ୍ତୀଙ୍କୁ ତୁମ ରାସ୍ତାରୁ ହଟେଇ ଦେବା ଆବଶ୍ୟକ । ଗୁଳିକରି ତାକୁ ହତ୍ୟା କଲେ ହତ୍ୟାକାରୀ ବୋଲି ଅମିତାଭ ପ୍ରମାଣିତ ହେବେ ।

 

ପୁଷ୍ପା ସୁବ୍ରତ ପ୍ରେମରେ ପାଗଳ ଥିଲା । ସେ କିଛି ଚିନ୍ତା ନକରି ହଠାତ୍ ଆସି ଆରତୀକୁ ବାସନ୍ତୀ ମନେକରି ପଛପଟୁ ଗୁଳିକରି ହତ୍ୟାକରି ଫେରିଗଲା ।

 

ମୁଁ ଆପଣ ମାନଙ୍କୁ ସୁବ୍ରତ ବିଷୟରେ କହୁଛି । ଅମିତାଭ ବାବୁଙ୍କୁ ସଙ୍ଗରେ ସେ ଓଡ଼ିଶା ଆସିଥିଲା ଅତି ଦରିଦ୍ର ବୋଲି ପରିଚୟ ଦେଇ ଜଗତ୍ ବନ୍ଧୁ ଷ୍ଟିଲ ଫେକ୍ଟ୍ରିରେ ଚାକିରି କଲା । ଫେକ୍ଟ୍ରିର ମାଲିକ ଥିଲେ ସୁକଲ୍ୟାଣ ବାବୁ–ତାରାମତୀଙ୍କ ପିତା ।

 

ସୁକଲ୍ୟାଣ ବାବୁ ବଞ୍ଚିଥିବା ବେଳେ ଠିକ୍ କରିଥିଲେ ବନ୍ଧୁ ପୁତ୍ରଙ୍କୁ ଜାମାତା କରିବେ । କିନ୍ତୁ ହଠାତ୍ ଦିନେ ତାଙ୍କର ହୃଦକ୍ରିୟା ବନ୍ଦ ହେବା ଫଳରେ ସେ ଇହଧାମ ତ୍ୟାଗ କଲେ ବୋଲି କୁହାଯାଉଛି କିନ୍ତୁ ବୋଧହୁଏ ତାଙ୍କୁ ମଧ୍ୟ–ବ୍ଲୁ ବାଡ଼ ଓରଫ ସୁବ୍ରତର ଶିକାର ହେବାକୁ ପଡ଼ିଛି ।

 

ତା’ପରେ–

 

ସୁବ୍ରତର ଲୋଲୁପ ଆଖି ପଡ଼ିଲା ତାରାମତୀଙ୍କ ଦେହ ଓ ଅକଳନ ସମ୍ପତ୍ତି ଉପରେ ଏବଂ ତାକୁ ଖୋରାକ ଯୋଗାଇଲା ପୂର୍ବ ଘଟଣାଟି ।

 

ଅମିତାଭ ବାବୁଙ୍କୁ ପୋଲିସ୍ ହତ୍ୟାକାରୀ ବୋଲି ସନ୍ଦେହ କଲା— ତେଣୁ ସେ ଲୁଚି ଲୁଚି ବୁଲିଲେ ଏବଂ ଶତ୍ରୁ ଦ୍ଵାରା ବନ୍ଦୀ ହେଲେ ।

 

ଏଣେ କିନ୍ତୁ ତାରାମତୀ ଦେବୀ ଖୁବ୍ ନିରାପଦରେ ବାସନ୍ତୀ ଦେବୀଙ୍କ ଘରେ ରହି ଯାଇଥିଲେ । ବାସନ୍ତୀ ଦେବୀଙ୍କ ଜୀବିତ ଥିବା କଥା ବା ତାଙ୍କ ଘର ସମନ୍ଧରେ କୌଣସି କଥା ଶତ୍ରୁ ପକ୍ଷ ନଜାଣି ଥିବାରୁ ତାଙ୍କର ଏଯାଏ କିଛି କ୍ଷତି ହୋଇ ନାହିଁ ।

 

ତା’ପରେ ସମସ୍ତ କଥା ମୁଁ ତାରାମତୀଙ୍କ ଠାରୁ ଶୁଣିଲି ଏବଂ ସେହି ଅନୁସାରେ କାର୍ଯ୍ୟ କଲି ଆପଣମାନେ ଜାଣିଛନ୍ତି ।

 

ହୋଟେଲ କଂଜରଭେଟିଭ୍ ବର୍ତ୍ତମାନ ସିଜ୍ କରା ଯାଇଛି । ଅନ୍ତତଃ ୨୫ ଜଣ ଗିରପ୍ତାର କରା ଯାଇଛି ସୁବ୍ରତ ବାବୁ ଓ ପୁଷ୍ପା ବାନାର୍ଜୀ ମଧ୍ୟ ଜେଲ୍ ରେ ହୱା ଖାଉଛନ୍ତି । ସବୁ କାମ ସରିଲା କିନ୍ତୁ ଆଉ ଗୋଟାଏ ବଡ଼ କାମ ବାକି ରହିଗଲା ।

 

ପୁଣି ବାକି ରହିଗଲା କ’ଣ ? ବଡ ଉଦ୍‌ବିଗ୍ନରେ ପଚାରିଲେ ଏସ୍. ପି: ସାହେବ ।

 

ଅମିତାଭ ବାବୁ ଓ ତାରାମତୀଙ୍କର ବାହାଘର ଓ ଆମର ଡାଲିଭାତ ଖିଆ ।

 

ସମସ୍ତେ ହସି ଉଠିଲେ ଏକ ସଙ୍ଗରେ–ତାରାମତୀ ଦର ହସି ମୁହଁ ତଳକୁ କଲେ ।

Image